କଟକ, ପୁରୀ ଓ ଭୁବନେଶ୍ୱରରେ ଯୋଗାଇ ଦିଆଯିବ ଫାଭିପିରାଭିର୍‌

ଫାଭିପିରାଭିର ଖାଇବା ସମୟରେ ମଦ୍ୟପାନ ମନା

କଟକ, ପୁରୀ ଓ ଭୁବନେଶ୍ୱରରେ ଯୋଗାଇ ଦିଆଯିବ ଫାଭିପିରାଭିର୍‌

Business Line

ଭୁବନେଶ୍ୱର : ଘରେ ସଂଗରୋଧରେ ରହୁଥିବା କରୋନା ରୋଗୀମାନଙ୍କ ପାଇଁ ସରକାର ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଯୋଗାଇଦେବେ। ପ୍ରାରମ୍ଭିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ଔଷଧ ଯୋଗାଇ ଦିଆଯିବ। ଅଧିକାଂଶ ରୋଗୀ ଏହି ୩ଟି ଜିଲ୍ଲାରେ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଭିପିରାଭିର ବଟିକା ଖାଇବା ନେଇ ଏକ ଏସ୍‌ଓପି ଜାରି କରାଯାଇଥିଲା। ଏଥିରେ କିଭଳି ଭ‌ାବେ ଔଷଧ ଖାଇବାକୁ ହେବ ଓ ଔଷଧ ଯୋଗାଣଠାରୁ ଆରମ୍ଭ କରି ସବୁ ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଥିଲା।

ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଔଷଧର ବ୍ୟବହାର ସମ୍ପର୍କରେ କଟକ ଏସ୍‌ସିବିର ଇଣ୍ଟରନାଲ ମେଡିସିନ ବିଭାଗ ମୁଖ୍ୟ ଡ.ଜୟନ୍ତ ପଣ୍ଡା କହିଲେ, ବଟିକାକୁ ଚୋବାଇବା କିମ୍ବା ନ ଭାଙ୍ଗି ଖାଇବାକୁ ହେବ। ଯେଉଁମାନେ କୋଭିଡ୍‌ ପଜିଟିଭ୍‌ ଓ ଘରେ ସଂଗରୋଧରେ ଅଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ବଟିକା ଖାଇପାରିବେ। କେବଳ ଲକ୍ଷଣଯୁକ୍ତ ରୋଗୀଙ୍କୁ ଏହା ଦିଆଯିବ। କିଡ୍‌ନି ରୋଗ, ଗାଉଟ (ଉଚ୍ଚ ୟୁରିକ ଏସିଡ), ଲିଭର ଜନିତ ସମସ୍ୟା ଥିବା, ସ୍ତନ୍ୟପାନ କରୁଥିବା ମହିଳା, ଗର୍ଭଧାରଣ କରିଥିବା ମହିଳା ରୋଗୀଙ୍କୁ ଏହା ଦିଆଯାଇପାରିବ ନାହିଁ। ତେବେ ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ। ସରକାରଙ୍କ ପକ୍ଷରୁ ୫ ଦିନ ଲାଗି ଔଷଧ ପ୍ରଦାନ କରାଯାଉଉଛି। ସାଧାରଣ ଭାବେ, ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସଂଧ୍ୟାବେଳେ ଖାଇବାକୁ ହେବ ଓ ୨ୟ ଦିନରୁ ୫ମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସଂଧ୍ୟାବେଳେ ଖାଇବାକୁ ହେବ ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି।

ସେହିପରି ଅଶ୍ୱିନୀ ହସପିଟାଲର ଡାକ୍ତର ସଂପଦ ଦାସ କହିଲେ, ଫାଭିପିରାଭିର ଔଷଧ ଖାଉଥିବା ବ୍ୟକ୍ତିଙ୍କୁ ମଦ୍ୟପାନ ମନା। ଆଲକହଲ ସହିତ ବିଭିନ୍ନ ଔଷଧର ରାସାୟନିକ ପ୍ରତିକ୍ରିୟା ହେଉଥିବାରୁ ମଦ୍ୟପାନ ନିରାପଦ ନୁହେଁ। ତେବେ ଫାଭିପିରାଭିର ଖାଇବା ବେଳେ ରୋଗୀମାନେ ଅନ୍ୟାନ୍ୟ ଔଷଧ ଯଥା କରୋନା ସମୟରେ ସେବନ କରାଯାଉଥିବା ଆଣ୍ଟିବାୟୋଟିକ, ଭିଟାମିନ ଇତ୍ୟାଦି ଖାଇପାରିବେ। ସେହିପରି ଲୋକମାନେ ପୂର୍ବରୁ ନିୟମିତ ଖାଉଥବା ଔଷଧ ଯେପରିକି ଗ୍ୟାଷ୍ଟ୍ରିକ ଔଷଧ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଔଷଧ ଆଦି ଖାଇପାରିବେ ବୋଲି ଡା.ଦାସ କହିଛନ୍ତି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe