ଆକାଶ ଡରାଇଲା; ବର୍ଷା, ପବନ ହେଲାନି

Advertisment

ସର୍ବାଧିକ ୫୦କିମି ପବନ, ୪୦ମିମି ବର୍ଷା

ସର୍ବାଧିକ ୫୦କିମି ପବନ, ୪୦ମିମି ବର୍ଷା

ଆକାଶ ଡରାଇଲା; ବର୍ଷା, ପବନ ହେଲାନି

ଭୁବନେଶ୍ବର : ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ, ଭୁବନେଶ୍ବରରେ ସକାଳୁ ଘଣ୍ଟା ପିଛା ୧୦୦କିମି ବେଗରେ ପବନ ବହିବ, ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ପୂର୍ବାନୁମାନ ଦେଖି ରାଜଧାନୀବାସୀଙ୍କ ଠାରୁ ଆରମ୍ଭ କରି ବିଏମ୍‌ସି ଅଧିକାରୀମାନେ ମଧ୍ୟ ଛାନିଆ ହୋଇଯାଇଥି‌ଲେ। କିନ୍ତୁ ସକା‌ଳୁ ନା ଜୋର୍‌ରେ ବର୍ଷା ଥିଲା ନା ପବନ। ହେଲେ ଆକାଶରେ କଳା ବାଦଲ ଅଜାଡ଼ି ହୋଇପଡ଼ିଲା ଭଳି ଥିଲା। ଦିନ ଯେତିକି ବଢ଼ୁଥିଲା ପବନ ସେତିକି ବଢ଼ୁଥିଲା। ବାତ୍ୟା ବାଲେଶ୍ବରରେ ସ୍ଥଳଭାଗକୁ ଛୁଇଁଲା। ହେଲେ ଭୁବନେଶ୍ବରରେ ଝିପିଝିପି ବର୍ଷା ଲାଗି ରହିଲା, ପବନ ବି ବଢ଼ିଲା। ଏମିତି ପାଗ ଆଜି ଦିନତମାମ୍ ଜାରି ରହିଲା ଯେ, ଲୋକ ବାତ୍ୟା ଭୟରେ ଦିନ କାଟିଲେ।

ମଙ୍ଗଳବାର ରାତିରୁ ଭୁବନେଶ୍ବରରେ ପବନ କମି ଯାଇଥିଲା। କିନ୍ତୁ ଝିପିଝିପି ବର୍ଷା ଜାରି ରହିଥିଲା। ତେଣୁ ବୁଧବାର ସକାଳୁ ବର୍ଷା, ପବନ ବଢ଼ିବ ବୋଲି ଲୋକ ଆଶଙ୍କା କରିଥିଲେ। କିନ୍ତୁ ବାତ୍ୟା ବାଲେଶ୍ବରରେ ସ୍ଥଳଭାଗ ଛୁଇଁବା ପରେ ବି ଭୁବନେଶ୍ବରରେ କିଛି ହୋଇନଥିଲା। ଅପରାହ୍ନ ୨ଟା ପରେ ପବନର ବେଗ ବଢ଼ିଥିଲା। ୨ଟାରୁ ୪ଟା ମଧ୍ୟରେ ପବନ ଘଣ୍ଟା ପିଛା ୪୦ରୁ ୫୦କିମି ବେଗରେ ବହିଥିଲା। ହେଲେ ବହୁତ କମ୍‌ ସମୟ ପାଇଁ ବିଭିନ୍ନ ଅଞ୍ଚଳରେ ଏହିଭଳି ପବନ ହୋଇଥିଲା। କିନ୍ତୁ ସଂଧ୍ୟା ସମୟରେ ମଧ୍ୟମ ଧରଣର ବର୍ଷା ଓ ୩୦ରୁ ୩୫କିମି ବେଗରେ ପବନ ବହିବାରୁ ଲୋକଙ୍କ ମନରେ ବାତ୍ୟା ନେଇ ଭୟ ଲାଗି ରହିଥିଲା। ମଙ୍ଗଳବାର ଅପରାହ୍ନ ୫ଟା ୩୦ରୁ ବୁଧବାର ଅପରାହ୍ନ ୫ଟା ୩୦ ମଧ୍ୟରେ ମାତ୍ର ୪୩.୩ ମିମି ବର୍ଷା ହୋଇଥିଲା। ଅପରପକ୍ଷରେ ଯେଉଁ ଲୋକମାନେ ବାତ୍ୟା ହେବ ବୋଲି ଆଶଙ୍କା କରି ବହୁତ ପନିପରିବା, ସଉଦା ଚଢ଼ା ଦାମ୍‌ରେ କିଣିଥିଲେ ସେମାନେ ଆଜି ପଶ୍ଚାତାପ କରୁଥିଲେ।

ଅପରପକ୍ଷେ ଆଜି ବର୍ଷା, ପବନ ନହେବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ଦୋକାନ ଖୋଲିଥିଲା। କିନ୍ତୁ ଆମିଷ ଦୋକାନକୁ ଛାଡ଼ିଦେଲେ ବାକି ଦୋକାନରେ ଲୋକଙ୍କ ଭିଡ଼ ନଥିଲା। ସରକାରୀ କଟକଣା ଅନୁଯାୟୀ, ଆଜି ସବୁ ଦୋକାନ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe