କରୋନା ସାଙ୍ଗକୁ ଖରା ଭୟ, ରାଜଧାନୀରେ ରକ୍ତ ସଂକଟ ଆଶଙ୍କା

Advertisment

ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଲୋଡ଼ା,  ୨୦୨୦ର ସ୍ଥିତି ପୁନରାବୃତ୍ତି ନହେଉ

ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଲୋଡ଼ା,  ୨୦୨୦ର ସ୍ଥିତି ପୁନରାବୃତ୍ତି ନହେଉ

କରୋନା ସାଙ୍ଗକୁ ଖରା ଭୟ, ରାଜଧାନୀରେ ରକ୍ତ ସଂକଟ ଆଶଙ୍କା

Indian Express

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ପୁଣି ଉପରମୁହାଁ ହେବା ଆରମ୍ଭ କରିଛି। ତା’ସାଙ୍ଗକୁ ଖରା ଓ ତାତି ବଢ଼ୁଥିବାରୁ ପୂର୍ବ ତୁଳନାରେ ରକ୍ତଦାନ କମିବାରେ ଲାଗିଛି। ଯଦିଓ ରାଜଧାନୀର ବିଭିନ୍ନ ରକ୍ତଭଣ୍ଡାରରେ ଏବେ ଅଧିକାଂଶ ଗ୍ରୁପ୍‌ର ରକ୍ତ ମହଜୁଦ୍ ଅଛି; ତଥାପି ଆଗାମୀ ଦିନରେ ତାତି ଆହୁରି ବଢ଼ିବା ସାଙ୍ଗକୁ କରୋନା ସ୍ଥିତି ବିଗିଡ଼ିଗଲେ ଗତବର୍ଷ ଭଳି ରକ୍ତସଂକଟ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଆଗକୁ ଡାକ୍ତରଖାନାମାନଙ୍କରେ ଯେପରି ରକ୍ତ ସଙ୍କଟ ନ ହେବ, ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବା ଲାଗି ନିର୍ଦେଶ ଦିଆଯିବ ବୋଲି କହିଛନ୍ତି ରକ୍ତ ସୁରକ୍ଷା ଅଧିକାରୀ ଉର୍ମିଳା ମିଶ୍ର।

ଖରାଦିନରେ ସ୍ବାଭାବିକ ଭାବେ ରକ୍ତଦାନ ଶିବିର ଆୟୋଜନ କମ୍‌ ହେବା ସହିତ ବିଭିନ୍ନ ଡାକ୍ତରଖାନାରେ ରକ୍ତ ସଙ୍କଟ ଦେଖାଯାଏ। ୨୦୨୦ ମସିହା ଆଜିର ସମୟରେ ଲକ୍‌ଡାଉନ୍‌ ଯୋଗୁଁ ଶିବିର ଏକପ୍ରକାର ବନ୍ଦ ହୋଇଯାଇଥିଲା। ତେଣୁ ବିଭିନ୍ନ ଡାକ୍ତରଖାନାରେ ରକ୍ତର ଘୋର ଅଭାବ ଦେଖାଯାଇଥିଲା। ପୂର୍ବରୁ ସେଭଳି ସ୍ଥିତି କେବେ ବି ଦେଖାଯାଇ ନ ଥିଲା। ନେଗେଟିଭ୍‌ ତ ଦୂରର କଥା, ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ପଜିଟିଭ୍ ରକ୍ତ ପାଇଁ ମଧ୍ୟ ସମସ୍ୟା ଦେଖାଯାଇଥିଲା। ରୋଗୀଙ୍କ ପରିବାର ପକ୍ଷରୁ ରକ୍ତ ଦିଆ ନ ଗଲେ ରକ୍ତଭଣ୍ଡାରରୁ ରକ୍ତ ମିଳିବା କଷ୍ଟକର ହୋଇ ପଡ଼ୁଥିଲା। ଏଥିଯୋଗୁଁ ଅସହାୟ ଏବଂ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନେ ମୃତ୍ୟୁ ସହିତ ଲଢ଼ିଥିଲେ। ଏ ବର୍ଷ କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜଧାନୀର ବିଭିନ୍ନ ରକ୍ତଭଣ୍ଡାରରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ସେହି ଅବସ୍ଥାର ପୁନରାବୃତ୍ତି ଯେମିତି ନହେବ, ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ରକ୍ତଭଣ୍ଡାରର ଅଧିକାରୀ।

ଇ-ବ୍ଲଡ୍‌ ବ୍ୟାଙ୍କ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଶିବିର ଆୟୋଜନ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ ସତ୍ତ୍ବେ ଏ- ନେଗେଟିଭ, ଓ-ନେଗେଟିଭ, ଏବି -ନେଗେଟିଭ ରକ୍ତ କେଉଁଠି ମଧ୍ୟ ନାହିଁ। ବିଏମ୍‌ସି ଡାକ୍ତରଖାନା ରକ୍ତଭଣ୍ଡାର ଅଧିକାରୀ କଲ୍ୟାଣ ସରକାର କହିଛନ୍ତି ଯେ ଏଠାରେ ଦୈନିକ ହାରାହାରି ୩୦ରୁ ୪୦ ୟୁନିଟ୍‌ ରକ୍ତର ଆବଶ୍ୟକତା ରହିଛି। ଅନେକ ସମୟରେ ୯୦ ୟୁନିଟ୍‌ ପର୍ଯ୍ୟନ୍ତ ଆବଶ୍ୟକତା ପହଞ୍ଚିଯାଏ। ଖରା ୨ ମାସ ରକ୍ତର ଅଭାବ ହୁଏ। ଏହି ସ୍ଥିତିରେ ରକ୍ତ ବଦଳ ହୁଏ। ଏବେ ପୁଣି କରୋନା ସ୍ଥିତି ସଂଗିନ ହେବାକୁ ଯାଉଛି। ଏଥିଯୋଗୁଁ ବର୍ତ୍ତମାନ ‘ସମ୍ବାଦ ଆମ ଓଡ଼ିଶା’ ଓ ଅନ୍ୟାନ୍ୟ ସଂଗଠନ ସହାୟତାରେ ବିଏମ୍‌ସି ପକ୍ଷରୁ ଗ୍ରାମାଞ୍ଚଳରେ ଛୋଟ-ଛୋଟ କ୍ୟାମ୍ପ୍‌ କରାଯାଉଛି। ସହରରେ ଆୟୋଜିତ ଶିବିରରେ ବେଶୀ ସଂଖ୍ୟକ ଲୋକ ହେଉନଥିବାରୁ ଗ୍ରାମାଞ୍ଚଳର ଶିବିରଗୁଡ଼ିକ ଉପଯୋଗୀ ହୋଇପାରୁଛି।

କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡ.ଦେବାଶିଷ ମିଶ୍ର କହିଛନ୍ତି, ଏହି ଡାକ୍ତରଖାନାରେ ଦୈନିକ ପ୍ରାୟ ୬୦ରୁ ୭୦ ୟୁନିଟ୍‌ ରକ୍ତ ଆବଶ୍ୟକ ହୁଏ। ଏହି ରକ୍ତ ଭଣ୍ଡାର ରାଜଧାନୀର ଅନ୍ୟାନ୍ୟ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ଆବଶ୍ୟକତା ମଧ୍ୟ ପୂରଣ କରେ। ବର୍ତ୍ତମାନ ସେଭଳି ରକ୍ତ ସଙ୍କଟ ସୃଷ୍ଟି ହୋଇ ନାହିଁ। ‌ତେବେ ରକ୍ତର ଅଭାବ କେମିତି ନ ହେବ, ସେଥିପାଇଁ ଆମକୁ ରକ୍ତସଂଗ୍ରହ ବଢ଼ାଇବାକୁ ପଡ଼ିବ। ରକ୍ତ ସଂଗ୍ରହ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ କୁହାଯାଇଛି, କରୋନା ଓ ଖରାକୁ ଦୃଷ୍ଟିରେ ରଖି କଟକରେ ‘ବିପଦର ବନ୍ଧୁ’ ନାଁରେ ଏକ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଛୋଟ କ୍ୟାମ୍ପକୁ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe