ଡମଣା ଅଞ୍ଚଳକୁ ଘାରିଲାଣି ଜଣ୍ଡିସ୍ ଭୟ

Advertisment
ଡମଣା ଅଞ୍ଚଳକୁ ଘାରିଲାଣି ଜଣ୍ଡିସ୍ ଭୟ

ଚନ୍ଦ୍ରଶେଖରପୁର: ବର୍ଷା ଦିନ ପାଇଁ ଡମଣା ଅଞ୍ଚଳକୁ ଘାରିଲାଣି ଜଣ୍ଡିସ୍ ଭୟ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ଥାନୀୟ ଲୋକମାନେ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ଦେଖା ଦେଇଥିବାରୁ ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଗଲାଣି। ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି। ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଘରଘର ବୁଲି ଲୋକଙ୍କୁ ପିଇବା ପାଣି ବ୍ୟବହାର ଉପରେ ସତର୍କ କରାଉଛନ୍ତି। କିନ୍ତୁ ଏହି ଅଞ୍ଚଳରେ ଥିବା ମୂଳ ସମସ୍ୟାକୁ ବର୍ଷ ବର୍ଷ ଧରି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଡ୍ରେନ୍‌ ପାଚେରି କାମ ନିର୍ମାଣ ଶେଷ କରିବାରେ ବିଏମ୍‌ସିର ଅବହେଳାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି।

ଗତବର୍ଷ ଡମଣା ଓ ଏହାର ଆଖପାଖ ଅଞ୍ଚଳରୁ ୨୦ରୁ ଅଧିକ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହାର ମୁଖ୍ୟ କାରଣ ଥିଲା ସ୍ଥାନୀୟ ଅଞ୍ଚଳର ବଡ଼ ଡ୍ରେନ୍। ଚନ୍ଦ୍ରଶେଖରପୁର ‌ଶୈଳଶ୍ରୀବିହାର ଅଞ୍ଚଳର ମଇଳା ଡ୍ରେନ୍‌ ପାଣି ଡମଣା ଦେଇ ବଡ଼ ଡ୍ରେନ୍ ଯୋଗେ କାଳୀକ୍ଷମାଠାରେ ଗଙ୍ଗୁଆ ଡ୍ରେନ୍‌ରେ ମିଶୁଛି। ମାତ୍ର ଏ ପର୍ଯ୍ୟନ୍ତ ଏହି ଡ୍ରେନ୍‌ର ପାଖାପାଖି ୫୦ ଭାଗ ଅଂଶ କଂକ୍ରିଟ୍‌ ପାଚେରି ହୋଇନାହିଁ। ଶୈଳଶ୍ରୀବିହାରରୁ ପ୍ରାଚୀବିହାର ଯାଏ ପାଚେରି ହୋଇଥିବା ବେଳେ ପ୍ରାଚୀବିହାରରୁ କାଦମ୍ବିନୀ ବିହାର ଓ ସେଠାରୁ ଡମଣା ଗ୍ରାମ ପର୍ଯ୍ୟନ୍ତ ଡ୍ରେନ୍ ଦୁଇ ପାଖରେ କଂକ୍ରିଟ୍ ପାଚେରି ହୋଇନାହିଁ। ଫଳରେ ସ୍ଥାନୀୟ ନଳକୂପ, ବୋର୍‌ୱେଲ୍‌ ଓ କୂଅ ପୋଖରୀରେ ‌ଡ୍ରେନ୍ ପାଣି ଝରାଇ ପଶୁଛି। ଏହି ଅପରିଷ୍କାର ପାଣି ପିଇବା ଦ୍ବାରା ପ୍ରତିବର୍ଷ ଉକ୍ତ ଅଞ୍ଚଳରେ ଜଣ୍ଡିସ୍ ରୋଗ ବ୍ୟାପୁଛି। ଏନେଇ ସ୍ଥାନୀୟ ବାସିନ୍ଦା ତୁଷାରକାନ୍ତ ମହାନ୍ତିଙ୍କ କହିବା କଥା, ବିଏମ୍‌ସି ପ୍ରତିବର୍ଷ ପାଚେରି ନିର୍ମାଣ କାମ କରୁଛି, କିନ୍ତୁ କାମ ଶେଷ ହୋଇପାରୁନି। ଗତ ୪ ବର୍ଷ ହେଲା କାମ ଚାଲିଛି। ଏହା ଦ୍ବାରା ଠିକାଦାର ଲାଭବାନ୍‌ ହେଉଛନ୍ତି ସିନା, ସ୍ଥାନୀୟ ଲୋକ ‌ରୋଗରେ ହନ୍ତସନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତର ପ୍ରବୀଣ କୁମାର ମହାପାତ୍ର ମଧ୍ୟ ଅନୁରୂପ ମତ ଦେଇଛନ୍ତି। ଡ୍ରେନ୍‌ ମୁକୁଳା ଥିବାରୁ କୂଅ ପାଣି ପ୍ରଭାବିତ ହେଉଥିବା ସେ କହିଛନ୍ତି। ତେଣୁ ତୁରନ୍ତ ଡ୍ରେନ୍ ପାଚେରି ନିର୍ମାଣ ହେବା ଜରୁରି ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe