ଭୁବନେଶ୍ବର/ ଜଗତସିଂହପୁର ଟାଉନ୍: ‘ମୁଁ ଜଣେ ତାନ୍ତ୍ରିକ। ତୋର ଓ ତୋ ପରିବାରର ଜୀବନ ପ୍ରତି ବିପଦ ଅଛି। ମୋ କଥା ମାନି ତାର ପ୍ରତିକାର କର, ନ ହେଲେ ତୋର ଗାଡ଼ି ଧକ୍କାରେ ଜୀବନ ଯିବ। ପରିବାର ବିପଦରେ ପଡ଼ିବ। ପ୍ରତିକାର ପାଇଁ ମୁଁ ଗୋଟେ ତନ୍ତ୍ର ପୂଜା କରିବି। ଟଙ୍କା ଦେଲେ ପୂଜା ଆରମ୍ଭ ହେବ। ଏମିତି ଡରାଇ, ଧମକାଇ ଜଗତସିଂହପୁର ଏସ୍ଭିଏମ୍ କଲେଜର ଛାତ୍ର ରୁଦ୍ରପ୍ରସାଦ ନାୟକଙ୍କଠାରୁ ଫୋନ୍ ପେ’ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଜଗତସିଂହପୁର ଥାନା ପୁଲିସ।
ଗିରଫ ମହିଳା ହେଲେ ଏୟାରପୋର୍ଟ ଥାନା ଅନ୍ତର୍ଗତ ଗଙ୍ଗନଗର ପଲ୍ଲୀ ଅଞ୍ଚଳର କବିତା ମହାରଣା(୨୬)। ତାଙ୍କ ପାଖରୁ ଠକେଇ ହୋଇଥିବା ୫୦ହଜାର ଟଙ୍କା ଓ ଫୋନ କଲ୍ରେ ବ୍ୟବହୃତ ସିମ୍ କାର୍ଡ ଜବତ କରାଯାଇଛି। ତେବେ ଜଣେ ପୁରୁଷ ଲୋକ ଫୋନ୍ କରିଥିବାରୁ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଏବଂ ଏଭଳି ଘଟଣା ପଛରେ ଏକ ଗ୍ୟାଙ୍ଗ୍ର ସଂପୃକ୍ତି ଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ମଧ୍ୟ ଖୋଜା ଚାଲିଥିବା ପୁଲିସ କହିଛି।
Follow Us