ଚନ୍ଦ୍ରଶେଖରପୁର: ନାରୀ ଦୁର୍ବଳା, ଅବଳା କିମ୍ବା ପଛୁଆ ନୁହେଁ। ନାରୀ ବର୍ତମାନ ପ୍ରତିଟି କ୍ଷେତ୍ରରେ ପୁରୁଷ ସହିତ ତାଳ ଦେବାକୁ, ଏପରିକି ତା’ଠୁ ବଳିଯିବାକୁ ସକ୍ଷମ। କାନ୍ଭାସ୍ ଉପରେ ଏଭଳି ଏକ ପ୍ରସଙ୍ଗର ପ୍ରତିଫଳନ ଦର୍ଶକଙ୍କୁ ଚମତ୍କୃତ କରିଥିଲା ଆଜି ବୁଦ୍ଧଆର୍ଟ ଗ୍ୟାଲେରିରେ। ‘ନାରୀ’ ଶୀର୍ଷକ ରଖା ଯାଇଥିବା ଏହି ପ୍ରଦର୍ଶନୀଟି ୭ଦିନ ଧରି ଚାଲିବ। ଏଥିରେ ଦୁଇଜଣ ଶିଳ୍ପୀଙ୍କର କୃତି ପ୍ରଦର୍ଶିତ ହେଉଛି। ସେମାନେ ହେଉଛନ୍ତି ଉଷାରାଣୀ ମିଶ୍ର ଓ ସୁଚେତା ପ୍ରିୟବାଦିନୀ। ବେଙ୍ଗାଲୁରୁରେ ରହୁଥିବା ଉଷାରାଣୀ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ସ୍ଥପତି ଓ କବି। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଫେସର ସୁଚେତା ଶିକ୍ଷାବିତ୍ ଓ ଚିତ୍ରଶିଳ୍ପୀ। ପ୍ରଦର୍ଶନୀରେ ସ୍ଥାନ ପାଇଥିବା ସୁଚେତାଙ୍କର ଚିତ୍ରଗୁଡ଼ିକ ବିନାତୁଳୀରେ କେବଳ ଆଙ୍ଗୁଠି ଛିଟା ଓ ଲେପ ଦ୍ବାରା ଅଙ୍କା ହୋଇଥିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ଉଭୟ କଳାକାରଙ୍କ ଛବିରେ ନାରୀ ଅଛି କେନ୍ଦ୍ର ସ୍ଥାନରେ। ଯଦିଓ ଛବିଗୁଡ଼ିକରେ ନାରୀ ଜୀବନର ବିଭିନ୍ନ ସ୍ଥିତି ସ୍ଥାନ ପାଇଛି, ତେବେ ସେଥିରେ ମୁଖ୍ୟତଃ ନାରୀର ଶକ୍ତିକୁ କହିବାର ପ୍ରୟାସ ଦେଖିବାକୁ ମିଳିଛି।
ଆଜି ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣା ଅତିଥିଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶତାଧିକ ଦର୍ଶକ ଓ ଚିତ୍ରକଳାପ୍ରେମୀ ପ୍ରଦର୍ଶନୀ ବୁଲିଦେଖିଥିଲେ। ଆଳୁ, ପିଆଜ ଅଖାରେ ତିଆରି ଚିତ୍ରଗୁଡ଼ିକୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ। ଆଜିକାର ଫ୍ୟାସନ୍କୁ ଆଖିଆଗରେ ରଖି ଚିତ୍ରଶିଳ୍ପୀମାନେ ପ୍ରସ୍ତୁତ କରିଥିବା ବିଭିନ୍ନ ଗୃହ ଉପକରଣ ଓ ଅଳଙ୍କାର ମଧ୍ୟ ଦର୍ଶକମାନଙ୍କ ମନ ମୋହିଥିଲା।
Follow Us