ଓଡ଼ିଶାରେ ବଢ଼ୁଛି ସ୍ନାୟବିକ ଯନ୍ତ୍ରଣାଦାୟକ ବ୍ୟାଧି ‘ଫାଇବ୍ରୋମାୟାଲଜିଆ’, ସଚେତନତା ଅଭିଯାନ ଆରମ୍ଭ

Advertisment
ଓଡ଼ିଶାରେ ବଢ଼ୁଛି ସ୍ନାୟବିକ ଯନ୍ତ୍ରଣାଦାୟକ ବ୍ୟାଧି ‘ଫାଇବ୍ରୋମାୟାଲଜିଆ’, ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ସହ ଭଳିକି ଭଳି ରୋଗବ୍ୟାଧି ମଧ୍ୟ ସମାଜକୁ ଗ୍ରାସ କରୁଛି ଏବଂ ସମଗ୍ର ବିଶ୍ୱ ପାଇଁ ତାହା ଚିନ୍ତାର କାରଣ ହେଉଛି। ଆଜି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଏକ ସଚେତନତା ସୃଷ୍ଟି କର୍ମଶାଳାରେ ମଞ୍ଚାସିନ ଅତିଥିମାନେ ଆଲୋଚନା କରି ଫାଇବ୍ରୋମାୟାଲଜିଆ ନାମକ ଏକ ସ୍ନାୟବିକ ଯନ୍ତ୍ରଣାଦାୟକ ବ୍ୟାଧି ଉପରେ ଜୋର୍‌ ଦେଇଛନ୍ତି। ବାହ୍ୟ ଚଳଣି ଯାହା ହୋଇଥାଉ ନା କାହିଁକି ସବୁ ଗାଁ ବା ସହରରେ ଶହଶହ ମଣିଷଙ୍କ ଠାରେ ଏହି ବ୍ୟାଧି ପୁରୁଣା ହୋଇଗଲାଣି। ସେମାନେ ଯନ୍ତ୍ରଣାକୁ ସାଥୀ କରି ଜୀଉଁଛନ୍ତି। ଏହି ଯନ୍ତ୍ରଣା ପରିଚାଳନା ପାଇଁ କୌଣସି ସାମୂହିକ ଉଦ୍ୟମ ନାହିଁ କି ପାରସ୍ପରିକ ଯୋଗାଯୋଗ ନଥିବାରୁ ତାହା ଅଜାଗା ଘାଆ ଭଳି ଜନମାନସରେ ଲୁଚି ରହିଯାଉଛି ବୋଲି ମନୋଚିକିତ୍ସକ ମତ ଦେଇଛନ୍ତି।

ତେବେ ସ୍ନାୟୁତତ୍ତ୍ୱ ଚିକିତ୍ସକମାନେ ମତ ଦେଇଛନ୍ତି ଯେ ଏ ବ୍ୟାଧିର ଜଟିଳ ଉପଚାର ରହିଛି। ଯଥାସମୟରେ ଚିହ୍ନଟ ହେବା ସହ ଚିକିତ୍ସାରେ ରହିଲେ, ସେହିସମସ୍ତେ ଏକ ଯନ୍ତ୍ରଣାମୁକ୍ତ ଜୀବନ ବଞ୍ଚିପାରିବେ। ଭାରତର ଛଅଟି ରାଜ୍ୟରେ ଏହି ରୋଗର ପ୍ରଭାବ ରହିଥିବାରୁ ପ୍ରଥମ ପର୍ଯ୍ୟାୟରେ ସେଗୁଡ଼ିକରେ ସଚେତନତା ପ୍ରସାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶାରେ ‘ଅମୃତଧାରା ଟ୍ରଷ୍ଟ’ ଏହି ଅଭିଯାନକୁ ଆରମ୍ଭ କରିଥିବା ବେଳେ ଏଥିରେ ଡାକ୍ତର, ଡାକ୍ତରୀ ଛାତ୍ର, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମୀ ଓ ସଂଗଠନ, ସରକାରୀ ସ୍ୱାସ୍ଥ୍ୟ ଅଧିକାରୀ, ଗଣମାଧ୍ୟମ, ନିର୍ବାଚିତ ଜନପ୍ରତିନିଧି ସାମିଲ ହୋଇଛନ୍ତି। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ସ୍ନାୟୁତତ୍ତ୍ୱ ବିଭାଗର ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଏ କର୍ମଶାଳାରେ ଫାଇବ୍ରୋମାୟାଲଜିଆ ଜଡ଼ିତ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଧିବେଶନର ସଂଚାଳନ କରିଥିଲେ।

publive-image

ବରିଷ୍ଠ ସେବାନିବୃତ୍ତ ପ୍ରଫେସର ଡାକ୍ତର ଅମୋଦ ଚନ୍ଦ୍ର ମହାକୁରଙ୍କ ନେତୃତ୍ୱରେ ବିବିଧ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ଏହି କ୍ରୋନିକ୍‌ ଯନ୍ତ୍ରଣାଦାୟକ ବ୍ୟାଧି ଫାଇବ୍ରୋମାୟାଲଜିଆ ଉପରେ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ଉଭୟ ସଭାଗୃହରେ ଓ ଅନ୍‌ଲାଇନ୍‌ରେ ସଭାସଦ୍‌ମାନେ ଅଂଶଗ୍ରହଣ କରିଥିଲେ। ଲୋକେ କମ୍‌ ଜାଣିଥିବା ଓ କମ୍‌ ବୁଝୁଥିବା ଏ ବ୍ୟାଧିର ଉପଚାର ସଚେତନତା ଉପରେ ସ୍ନାୟୁତତ୍ତ୍ୱ, ବାତବ୍ୟାଧିତତ୍ତ୍ୱ, ସ୍ନାୟୁଶଲ୍ୟ, ବୃକ୍‌କବିଜ୍ଞାନ, ସ୍ନାୟୁମନୋଚିକିତ୍ସା ବିଶାରଦମାନେ ଆଲୋଚନା କରିଥିଲେ। ଏହି ବ୍ୟାଧି ଜନସଂଖ୍ୟାର ପ୍ରାୟ ୩ରୁ ୫ ପ୍ରତିଶତଙ୍କ ମଧ୍ୟରେ ବ୍ୟାପି ରହିଛି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ସାତ ଗୁଣ ଅଧିକ ରିସ୍କ ରହିଛି। ମାତ୍ର ସୁନା ପରଖିଲା ଭଳି କୌଣସି ସହଜ ନିଦାନ ବ୍ୟବସ୍ଥା ନଥିବାରୁ ବିନା ନିଦାନରେ ସଂପୃକ୍ତ ରୋଗୀମାନଙ୍କ ପରିବାର ଏ ଉପଚାରକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ମହିଳାମାନଙ୍କ ସ୍ୱାସ୍ଥ୍ୟକୁ କୌଣସି ସ୍ଥିତିରେ ବି ଅଣଦେଖା କରାଯାଇପାରିବ ନାହିଁ। ତେଣୁ ବହୁବିଭାଗୀୟ ଚିକିତ୍ସାବିଜ୍ଞାନୀମାନଙ୍କର ହସ୍ତକ୍ଷେପ ଲୋଡ଼ା ହେଉଛି। ଡାକ୍ତରମାନେ ଆହୁରି କହିଛନ୍ତି ଯେ ରୋଗୀମାନଙ୍କର ମନସ୍ତାତ୍ତ୍ୱିକ ଓ ସାମାଜିକ ଥଇଥାନ ନିହାତି ଆବଶ୍ୟକ। ଟ୍ରଷ୍ଟର ସଂପାଦକ ଡାକ୍ତର ଧରିତ୍ରୀ ମହାକୁର ସଂଚାଳନ କରିଥିବା ବେଳେ ଅଧିବେଶନ ପରିଚାଳନା କରିଥିଲେ ଅନ୍ୱେଷା ଅଧ୍ୟୟନ ଷ୍ଟ୍ରାଟେଜିଜ୍‌ର ନିର୍ଦେଶକ ଅମଳିନ ପଟ୍ଟନାୟକ। କଟକ ବଡ଼ଡାକ୍ତରଖାନାର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅମୀୟ ଗୌଡ଼, ସ୍ନାୟୁତତ୍ତ୍ୱ ଡାକ୍ତର ଶୁଭଙ୍କର ମିଶ୍ର, ଡାକ୍ତର ପ୍ରିୟବ୍ରତ ନାୟକ, ମନୋଚିକିତ୍ସକ ଡାକ୍ତର ସୁଜାତା ସାହୁ, ଭେଲୋର ବଡ଼ଡାକ୍ତରଖାନାର ବାତବ୍ୟାଧି ବିଶେଷଜ୍ଞ ଡାକ୍ତର ଅଜିତ୍‌ ସୁରିନ୍‌ ଉପସ୍ଥାପନରେ ଭାଗ ନେଇଥିବା ବେଳେ ଅନ୍ୱିତା ଦିବ୍ୟାଂଶୀ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।  ଅନ୍ୟ ୫ଟି ରାଜ୍ୟରେ ଏହି ସଚେତନତା କେମିତି ଚାଲିଛି, ତହିଁରୁ ଶିଖିବା ଉପରେ ଶେଷରେ ପ୍ରସ୍ତାବ ଗୃହିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe