ନଦୀପଠାରୁ ଅବାଧ ଗଛକଟାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ନଦୀପଠାରୁ ଅବାଧ ଗଛକଟାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ସତ୍ୟଭାମାପୁର ପଞ୍ଚାୟତ କୁଆଖାଇ ନଦୀପଠାରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଗଛକଟାକୁ ନେଇ ଆଜି ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ପଞ୍ଚାୟତ ଅଧୀନ ଇନ୍ଦ୍ରପାଳ, କଣ୍ଟାଗୋଠ ଓ ଓସ୍ତଗେଞ୍ଜ ଗ୍ରାମ ସୀମା ପରିସରଭୁକ୍ତ ନଦୀପଠା ଜଙ୍ଗଲରୁ ନିୟମିତ ଭାବେ ୪/୫ଜଣ ବ୍ୟକ୍ତି ନିଲାମ ନେବା ଆଳରେ କଞ୍ଚାଗଛ ସବୁ କାଟି ଲୁଟି ନେଉଥିବା ଅଭିଯୋଗ ହୋଇଛି।

ଆଜି ପୂର୍ବାହ୍ନରେ ସ˚ପୃକ୍ତ ବ୍ୟକ୍ତିବିଶେଷ ଜଙ୍ଗଲରୁ ଗଛ କାଟି ଟ୍ରାକ୍ଟର୍‌ରେ ଲଦି ନେବାକୁ ଉଦ୍ୟମ କରୁଥିବା ସ˚ପର୍କରେ ଖବର ପାଇ ଗ୍ରାମବାସୀ ପହଞ୍ଚି ସେମାନଙ୍କୁ ଦୃଢ଼ ବିରୋଧ କରିଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ତ ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଜଙ୍ଗଲରେ କଟା ହୋଇ ପଡ଼ିଥିବା କାଠଗଣ୍ତି ସମେତ ଟ୍ରାକ୍ଟର୍‌ରେ ଲଦା ହୋଇଥିବା କାଠଗଣ୍ତିକୁ ଗ୍ରମବାସୀ ଜବତ କରିଥିଲେ। ଗ୍ରାମବାସୀମାନେ ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ଓ ଭୁବନେଶ୍ବର ଫରେଷ୍ଟ କର୍ପୋରେସନ୍ କର୍ତ୍ତୃପକ୍ଷଙ୍କୁ ଫୋନ କରି ଜଣାଇଥିଲେ ମଧ୍ୟ ପଦସ୍ଥ ଅଧିକାରୀଙ୍କ ଦେଖା ମିଳି ନଥିଲା। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ସୁଯୋଗରେ ସଂପୃକ୍ତ ବ୍ୟକ୍ତିବିଶେଷ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ ଗତ ଅଗଷ୍ଟ ମାସ ୨୭ ତାରିଖରେ ଶୁଖିଲା ଗଛ କଟାଯିବା ପାଇଁ ପଞ୍ଚାୟତ ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅକ୍ଟୋବର ୧୭ ତାରିଖରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଏ ସ˚ପର୍କିତ ବିଜ୍ଞପ୍ତି ପଞ୍ଚାୟତ ନୋଟିସ ବୋର୍ଡରେ ମରା ଯାଇଥିଲା। ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ଣ ୧୧ଟାରେ ଜଙ୍ଗଲରେ ଥିବା ସବୁ ଶୁଖିଲା ଗଛ କାଟିବା ପାଇଁ ନିଲାମ ଡକାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିବା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଉପରୋକ୍ତ ଜଙ୍ଗଲର ସୁରକ୍ଷା ନେଇ ପଞ୍ଚାୟତ ପକ୍ଷରୁ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ କହିଛନ୍ତି। ଉତ୍ତମ ପରିବେଶ ପାଇଁ ଶୁଖିଲା ଗଛ କଟାଯାଇ ସେଠାରେ ପୁନର୍ବାର ଚାରାରୋପଣ କରାଯିବାକୁ ବନ ବିଭାଗକୁ ମଧ୍ୟ ପ୍ରସ୍ତାବ ଦିଆଯିବ। ଏ ଦିଗରେ ବନ ନିଗମ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe