୯ ମାସ ପରେ ଖୋଲିଲା ସିନେମା ହଲ୍‌ : ପ୍ରଥମ ଦିନରେ ହାତଗଣତି ଦର୍ଶକ

Advertisment
୯ ମାସ ପରେ ଖୋଲିଲା ସିନେମା ହଲ୍‌ : ପ୍ରଥମ ଦିନରେ ହାତଗଣତି ଦର୍ଶକ

‌ଦେଖିଲେ ‘ଓଣ୍ଡର ଓମେନ୍‌’, ‘ଇନ୍ଦୁ କି ଜୱାନି’ ଓ ‘ସୂରଜ ପେ ମଙ୍ଗଲ ଭାରି’
ନୂଆ ସିନେମା ରିଲିଜ୍ ହୋଇ ନ ଥିବାରୁ ଆଗ୍ରହ ନାହିଁ

ଭୁବନେଶ୍ବର : କରୋନା ସଂକଟ କିଛିଟା ଟଳିବା ପରେ ସିନେପ୍ରେମୀଙ୍କ ପାଇଁ ନୂଆ ଆଶା ଆଣିଛି ନବବର୍ଷ। ଚଳଚ୍ଚିତ୍ରକୁ ମିଳିଛି ବଡ଼ ପରଦା। କରୋନା ପାଇଁ ପାଖାପାଖି ୯ ମାସ ଧରି ବନ୍ଦ ରହିବା ପରେ ଆଜି ରାଜଧାନୀର ପ୍ରାୟ ସବୁ ସିନେମା ହଲ୍‌ ଖୋଲିଛି। ଫଳରେ ବଡ଼ ପରଦାରେ ଚଳଚ୍ଚିତ୍ର ଦେଖିବାର ନିଆରା ମଜାକୁ ଆଜି କିଛି ଚଳଚ୍ଚିତ୍ରପ୍ରେମୀ ଉପଭୋଗ କରିଛନ୍ତି। ପ୍ରଥମ ଦିନରେ ସିନେମା ଦେଖିବାକୁ ହାତଗଣତି ଦର୍ଶକଙ୍କ ଆସି‌ଥିଲେ ମଧ୍ୟ ଆଗକୁ ଭିଡ଼ ବଢ଼ିବ ବୋଲି ହଲ୍‌ ମାଲିକମାନେ ଆଶାବାଦୀ ଅଛନ୍ତି।

ଆଜି ଡିଏନ୍‌ ରେଗାଲିଆ ଓ ସିମ୍ଫୋନି ମଲ୍‌ରେ ଥିବା ଆଇନକ୍ସ, ଏସ୍‌ପ୍ଲାନେଡ୍‌-୧ ମଲ୍‌ରେ ଥିବା ସିନେପଲିସ୍‌, ଆଚାର୍ଯ୍ୟବିହାରସ୍ଥିତ ମହାରାଜା ସହ କେଶରୀ ଓ ଶ୍ରୀୟା ହଲ୍‌ ଆଦି ଖୋଲିଛି। ବାକି ଯେଉଁ ହାତଗଣତି କେତୋଟି ସିନେମା ହଲ୍‌ ରହିଛି, ତାହା ମଧ୍ୟ ଖୁବ୍‌ଶୀଘ୍ର ଖୋଲିଯିବ ବୋଲି ଜଣାଯାଇଛି। ଅପରପକ୍ଷେ ହଲ୍‌ ଖୋଲିବା ଯୋଗୁଁ ଦୀର୍ଘ ଦିନ ହେବ ରୋଜଗାର ହରାଇ ବସିଥିବା ହଲ୍‌ କର୍ମଚାରୀଙ୍କ ମୁହଁରେ ହସ ଫୁଟିଛି। ପ୍ରଥମ ଦିନରେ ହଲ୍‌ରେ ଦର୍ଶକଙ୍କ ଭିଡ଼ ନ ହେବାର କାରଣ ହେଲା, କରୋନା ଯୋଗୁଁ ଏବେ କୌଣସି ନୂ୍ଆ ସିନେମା ରିଲିଜ୍ ହୋଇନାହିଁ। କୌଣସି ଲୋକପ୍ରିୟ ବଲିଉଡ୍‌ କିମ୍ବା ଓଲିଉଡ୍‌ ଚଳଚ୍ଚିତ୍ର ନ ଥିବାରୁ ଲୋକେ ଆଗ୍ରହ ପ୍ରକାଶ କରିନାହାନ୍ତି।

publive-image

କଡ଼ା କଟକଣା, ୫୦ ପ୍ରତିଶତ ସିଟ୍‌ ପାଇଁ ଅନୁମତି
ସ୍ବତନ୍ତ୍ର ରିଲିଫ କମିସନର୍‌ଙ୍କ ଦ୍ବାରା ଜାରି ହୋଇଥିବା କୋଭିଡ୍‌ ଏସ୍‌ଓପି ଅନୁଯାୟୀ, ୫୦% ସିଟ୍‌‌‌ରେ ଆଜି ହଲ୍‌ ଖୋଲିଥିଲା। ପଛ ଓ ପରବର୍ତ୍ତୀ ସିଟ୍‌ ଛାଡ଼ି ଦର୍ଶକଙ୍କ ବସିବାର ବ୍ୟବସ୍ଥା କରାଯାଇଥିଲା। ଖାଲିଥିବା ସିଟ୍‌ରେ ‘ଅକ୍ୟୁପାଏଡ୍‌’ ଲେଖା ହେବା ସହ ‌କେତେକ ସ୍ଥାନରେ ସିଟ୍‌କୁ ସିଲ୍‌ କରି ଦିଆଯାଇଥିଲା। ହଲ୍‌ର ପ୍ରବେଶ ପଥରେ ସାନିଟାଇଜିଂ ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ପ୍ରତି ସୋ’ ଶେଷରେ ହଲ୍‌କୁ ବିଶୋଧିତ କରାଯାଉଥିଲା। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ସେହିପରି ପ୍ରାୟ ସବୁ ହଲ୍‌ରେ ଅନଲାଇନ୍‌ ଟିକେଟ୍‌ ବୁକିଂର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କୌଣସି ହଲ୍‌ରେ ଟିକେଟ୍‌ ଦରବୃଦ୍ଧି କରାଯାଇ ନ ଥିଲା।

ଆଇନକ୍ସ‌ରେ ୩ ଚଳଚ୍ଚିତ୍ର, ୧୨ ସୋ’
ପାତ୍ରପଡ଼ାସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ ଓ ସିମ୍ଫୋନି ମଲ୍‌ରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସରେ ଆଜି ଅପେକ୍ଷାକୃତ କମ୍ ‌ଭିଡ଼ ଥିଲା। ଏହି ଦୁଇଟି ମଲ୍‌ଟିପ୍ଲେକ୍ସରେ ୧୨ଟି ଲେଖାଏଁ ୨୪ଟି ‌ସୋ’ ପଡ଼ିଥିଲେ ହେଁ ଦର୍ଶକଙ୍କ ସଂଖ୍ୟା ଆଶାତୀତ ଭାବେ କମ୍‌ ରହିଥିଲା। ତେବେ ଆସନ୍ତାକାଲି ସପ୍ତାହନ୍ତ ଓ ପରଦିନ ରବିବାର ଥିବାରୁ ଦର୍ଶକଙ୍କ ସଂଖ୍ୟା ବଢ଼ିବ ବୋଲି ଆଇନକ୍ସ କର୍ତୃପକ୍ଷ ଆଶାବାଦୀ ଅଛନ୍ତି। ଏଠାରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଟିକେଟ୍‌ ବୁକିଂ ହୋଇପାରୁଛି। ସିଟ୍‌ ପ୍ରାୟ ଖାଲି ରହୁଥିବାରୁ ଅନ୍‌ଲାଇନ୍‌ ବୁକିଂ ଆଗୁଆ କରିବାକୁ ପଡ଼ୁନାହିଁ। ଆଜି ଆଇନକ୍ସରେ ହଲିଉଡ୍ ଚଳଚ୍ଚିତ୍ର ‘ଓଣ୍ଡର ଓମେନ୍‌ ୧୯୮୪’, ବଲିଉଡ୍‌ ଚଳଚ୍ଚିତ୍ର ‘ଇନ୍ଦୁ କି ଜୱାନି’ ଓ ‘ସୂରଜ ପେ ମଙ୍ଗଲ ଭାରି’ ଆଦି ପଡ଼ିଥିଲା। ସୂଚନାଯୋଗ୍ୟ, ଏସବୁ ଚଳଚ୍ଚିତ୍ର ଓଟିଟି ପ୍ଲାଟ୍‌ଫର୍ମରେ ପୂର୍ବରୁ ମୁକ୍ତିଲାଭ କରିସାରିଛି। ତଥାପି ହଲିଉଡ୍ ଚଳଚ୍ଚିତ୍ର ‘ଓଣ୍ଡର ଓମେନ୍‌ ୧୯୮୪’ ଦେଖିବାକୁ ଅନ୍ୟ ଦୁଇ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଭିଡ଼ ହୋଇଥିଲା। ଆସନ୍ତାକାଲି ତେଲୁଗୁ ଚଳଚ୍ଚିତ୍ର ‘କ୍ରାକ୍‌’ ମୁକ୍ତିଲାଭ କରିବ।

ମୁଣ୍ଡରେ ହାତ ଦେଲେଣି ମାଲିକ
ଏବେ ସେମିତି କିଛି ବଡ଼ ବଜେଟ୍‌ ଚଳଚ୍ଚିତ୍ର ନଥିବାରୁ ହଲ୍‌ ମାଲିକମାନଙ୍କୁ ଚିନ୍ତା ଘାରିଲାଣି। ଆସନ୍ତା ସପ୍ତାହରେ ବି ସେମିତି କିଛି ନାମୀ ବଲିଉଡ୍‌ କି ଓଲିଉଡ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ନାହିଁ। ଏବେ ହାତରେ ରହିଛି ହଲିଉଡ୍‌ ଚଳଚ୍ଚିତ୍ର ‘ଓଣ୍ଡର ଓମେନ୍‌ ୧୯୮୪’। ଓଡ଼ିଆ ଦର୍ଶକ ବିଶେଷ ହଲିଉଡ୍‌ପ୍ରିୟ ହୋଇ ନଥିବାରୁ ‌ଆଗ୍ରହ ପ୍ରକାଶ କରିନାହାନ୍ତି। ‌ଗୋଟିଏ ପଟେ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ୫୦% ସିଟ୍‌ରେ ହଲ୍‌ ଖୋଲିଛୁ, ଅପରପକ୍ଷେ ଭଲ ଚଳଚ୍ଚିତ୍ର ନଥିବାରୁ ଦର୍ଶକ ଆସୁନାହାନ୍ତି। ସେହିପରି ହାତରେ ଥିବା ସମସ୍ତ ଚଳଚ୍ଚିତ୍ର ପୂର୍ବରୁ ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିସାରିଛି। ଏଣୁ ଅଧିକାଂଶ ଲୋକ ଚଳଚ୍ଚିତ୍ର ଦେଖି ସାରିଥିବାରୁ ସେମାନେ ହଲ୍‌କୁ ଆସୁନାହାନ୍ତି। ଏବେ ମୁମ୍ବାଇ ଚଳଚ୍ଚିତ୍ର ବିତରକଙ୍କ ସହ କଥା ହେବୁ। ତା’ ପରେ ଆଗକୁ କ’ଣ ଚଳଚ୍ଚିତ୍ର ପଡ଼ିବ, ସେନେଇ ନିଷ୍ପତ୍ତି ନେବୁ ବୋଲି ମହାରାଜା ହଲ୍‌ର ମାଲିକ ଲିଙ୍ଗରାଜ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe