କରୋନା ପ୍ରଭାବ: ଦୁର୍ଦ୍ଦିନରେ ଚଳଚ୍ଚିତ୍ର ଟେକ୍ନିସିଆନ୍‌

Advertisment
କରୋନା ପ୍ରଭାବ: ଦୁର୍ଦ୍ଦିନରେ ଚଳଚ୍ଚିତ୍ର ଟେକ୍ନିସିଆନ୍‌

The Economic Times

ଭୁବନେଶ୍ବର: କରୋନା ପାଇଁ ଓଲିଉଡ୍‌ ଜଗତର ସମସ୍ତ ସୁଟିଂ କାର୍ଯ୍ୟକ୍ରମ ବନ୍ଦ ରହିଛି। ଏହାଦ୍ବାରା ଚଳଚ୍ଚିତ୍ର ଶିଳ୍ପ ତ ବିଶେଷ କ୍ଷତିଗ୍ରସ୍ତ ହୋଇଛି, ସେହିଭଳି ସୁଟିଂସେଟ୍‌ରେ କାର୍ଯ୍ୟ କରୁଥିବା ଟେକ୍‌ନିସିଆନ୍‌ମାନେ ବି ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ନିକଟରେ ଆଜିଯାଏ କୌଣସି ପ୍ରକାରର ସହାୟତା ପହଞ୍ଚି ପାରିନାହିଁ। ସରକାର ତ ଦୂରର କଥା, କୌଣସି କଳାକାର, ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ ପହଞ୍ଚି ନାହାନ୍ତି। ଓଲିଉଡ୍‌ରେ ଥିବା ୭୦୦ ଟେକ୍‌ନିସିଆନ୍‌ ବର୍ତମାନ ମହାମାରୀ ପାଇଁ ରୋଜଗାର ହରାଇଛନ୍ତି। ଏପରି ଦୁର୍ଦ୍ଦିନ ସମୟରେ ଏହି ଟେକ୍‌ନିସିଆନ୍‌ମାନଙ୍କ ଦରଦ ବୁଝିବା ପାଇଁ ଓଲିଉଡ୍‌ ହେଭିୱେଟ୍ କଳାକାରମାନେ ମଧ୍ୟ ଚୁପ୍‌। ଫଳରେ ଦିନ ମଜୁରିଆଠାରୁ କମ୍ ବେତନ ପାଉଥିବା ଏହି ଶ୍ରମିକମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଲାଣି। ଏପରି ଦୁର୍ଦ୍ଦିନ ସମୟରେ ରାଜ୍ୟ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଟେକ୍‌ନିସିଆନ୍‌ମାନଙ୍କ ଆସୋ‌ସିଏସନ୍ ‘ଓମ୍‌ଟୁଆ’ ନିବେଦନ କରିଛି। ଆସୋସିଏସନ୍‌ର ସଭାପତି ଦେବୀପ୍ରସାଦ ପଟ୍ଟନାୟକ ଓ ସଂପାଦକ ନିରଞ୍ଜନ ଦାଶ ଏନେଇ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ମାତ୍ର ସୁଫଳ କିଛି ମିଳି ନାହିଁ।

ଏପରି ସ୍ଥିତିରେ ସ୍ପଟ୍‌ବୟ ମୁନା ଦାସ କୁହନ୍ତି, କାମ ବନ୍ଦ ଦିନଠାରୁ ତାଙ୍କ ପାରିବାରିକ ସ୍ଥିତି ବହୁତ ଖରାପ ଅଛି। ମହାମାରୀ କରୋନାଠାରୁ ଭୋକ ତାଙ୍କ ପାଇଁ ବଡ଼ ମହାମାରୀ ପାଲଟିଛି। ସେହିଭଳି ଲାଇଟ୍ ମ୍ୟାନ୍ ପ୍ରମୋଦ ସ୍ବାଇଁ କୁହନ୍ତି, ଅନେକ କଳାକାରଙ୍କୁ ମଣିଷ ହେବା ଦେଖିଛୁ। କିନ୍ତୁ ଅସୁବିଧା ବେଳେ ସେହି ମଣିଷମାନେ ଆମକୁ ଭୁଲି ଯାଉଥିବା ମଧ୍ୟ ଅଙ୍ଗେ ନିଭାଇଛୁ। ଟେକ୍‌ନିସିଆନ୍ ଆ‌ସୋସିଏସନ୍ ‘ଓମ୍‌ଟୁଆ’ର ଏପରି ଦୁର୍ଦ୍ଦିନରେ ବଲିଉଡ୍‌ ନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ନୀଳମାଧବ ପଣ୍ଡା ୫୦୦ ଟେକ୍‌ନିସିଆନ୍‌ମାନଙ୍କୁ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏହି ଅର୍ଥ ଆସୋସିଏସନ୍ ପକ୍ଷରୁ ସଭ୍ୟମାନଙ୍କ ଆକାଉଣ୍ଟ୍‌ରେ ପଠାଯାଉଛି। ଅନ୍ୟ ଓଲିଉଡ଼୍ କଳାକାର ଓ ରାଜ୍ୟ ସରକାର ତୁରନ୍ତ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe