ଖୋଜା ପଡ଼ିଲେଣି ନକଲି ବାପା ମା’

ଦୋଷ ଲୁଚାଇବାକୁ ଛାତ୍ରଛାତ୍ରୀଙ୍କ କସରତ

ଖୋଜା ପଡ଼ିଲେଣି ନକଲି ବାପା ମା’

ଭୁବନେଶ୍ୱର: ନକଲି ସ୍କୁଲ କଥା ଶୁଣିଛନ୍ତି। ନକଲି ଶିକ୍ଷକଙ୍କ କଥା ବି ଶୁଣିଛନ୍ତି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ, ଏବେ ନକଲି ବାପା, ମା’ ବି ଭଡ଼ାରେ ମିଳିଲେଣି। ପିଲାଏ ଏତେ ଚାଲାକ୍‌ ଯେ ସ୍କୁଲରୁ ନୋଟିସ୍‌ ପାଇଲେ ଟଙ୍କା ଦେଇ ବଜାରରୁ ନକଲି ବାପା, ମା’ କିଣି ନେଉଛନ୍ତି ମାତ୍ର କେଇ ଘଣ୍ଟା ପାଇଁ। ଖୋଦ୍‌ ନାମକରା କଲେଜର ପିଲାଙ୍କ ଦ୍ୱାରା ଏହିଭଳି କାରନାମା ପଦାକୁ ଆସିଛି। ସ୍ଥିତି ଏମିତି ଯେ କଥା ଯାଇ ଥାନାରେ ପହଞ୍ଚିଲାଣି। ପିଲାଙ୍କୁ ତାଗିଦ୍‌ କରାଯିବା ପରେ ଅବଶ୍ୟ ଛାଡ଼ି ଦିଆଯାଇଛି। ହେଲେ ଏହାକୁ ନେଇ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ଗତବର୍ଷ ଏଭଳି ୭ ଜଣ ପିଲାଙ୍କୁ ପୁଲିସ ଜିମା ଦିଆଯାଇଥିବା ବେଳେ ଏଥର ମଧ୍ୟ ସେଭଳି ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ବିଦ୍ୟାଳୟ କର୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି। ଯେଉଁ ପିଲା କ୍ଲାସ୍‌କୁ ନ ଆସିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ କହିଛନ୍ତି। ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ଯେ ଏମିତି କିଛି ପିଲା ଅଛନ୍ତି, ଯେଉଁମାନେ ନାମ ଲେଖାଇବା ପରେ କ୍ଲାସ କରିବାକୁ ଆସୁନାହାନ୍ତି। ବର୍ଷକୁ ଥରେ କି ଦୁଇଥର କ୍ଲାସ୍‌ କରୁଛନ୍ତି। ପୁଣି ଫର୍ମ ପୂରଣ ସମୟରେ ମେଡିକାଲ ସାର୍ଟିଫିକେଟ୍‌ ଦାଖଲ କରି ଖସି ଯାଉଛନ୍ତି। ଏମିତି ଗୋଟିଏ କି ଦୁଇଟି ଘଟଣା ନୁହେଁ, ପ୍ରତିବର୍ଷ ଏଭଳି ଘଟଣା ପଦାକୁ ଆସୁଛି। ଶିକ୍ଷାବର୍ଷ ମଧ୍ୟରେ ଏନେଇ ଅଭିଭାବକଙ୍କୁ ଆମେ ଜଣାଇବାକୁ ଚାହିଁଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ। ଅଭିଭାବକଙ୍କୁ ଡାକିଲେ ପିଲାମାନେ ଦୋଷ ଲୁଚାଇବାକୁ ବାହାର ଲୋକଙ୍କୁ ଆଣି ଛିଡ଼ା କରି ଦେଉଛନ୍ତି। ଗତବର୍ଷ ଏମିତି ୭ରୁ ୮ ଜଣ ଧରା ପଡ଼ିଥିଲେ। ସେମାନଙ୍କୁ ପୁଲିସ ଜିମା ବି ଦିଆଯାଇଥିଲା। ଭୁଲ୍‌ ମାଗିବା ପରେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଛାଡ଼ିଥିଲୁ।

ଏଥର ମଧ୍ୟ ସମାନ ଆଶଙ୍କା ପ୍ରକାଶ ପାଇଛି। ଗତବର୍ଷ ୧୬ ଜଣ ପିଲା ଆଦୌ କ୍ଲାସ ଆସି ନ ଥିଲେ କି ପରୀକ୍ଷା ଦେଇ ନଥିଲେ। ଯୁକ୍ତ୨ ପ୍ରଥମ ବର୍ଷରେ ୬ ମାସିଆ ଓ ବାର୍ଷିକ ପରୀକ୍ଷା ହୋଇଥାଏ। ଦ୍ୱିତୀୟ ବର୍ଷକୁ ଯିବା ପୂର୍ବରୁ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀଙ୍କର ଏକ ସ୍ୱତନ୍ତ୍ର ପରୀକ୍ଷା କରାଯାଏ। ଗତବର୍ଷ ୧୬ ଜଣ ପିଲା ଭାଗ ନେଇନଥିବା ବେଳେ ଏଥର ଏହି ସଂଖ୍ୟା ୨୩ରେ ପହଞ୍ଚିଛି, ଯେଉଁମାନେ ଆଦୌ ପରୀକ୍ଷା ଦେଇ ନାହାନ୍ତି। ପ୍ରଥମ ବର୍ଷରେ ବାଧ୍ୟତାମୂଳକ ହୋଇଥିବା ଯୋଗ, ପରିବେଶ ବିଜ୍ଞାନ, ବେସିକ୍‌ କମ୍ପ୍ୟୁଟର ବିଷୟରେ ପିଲା ପରୀକ୍ଷା ହେଉଥିଲେ ମଧ୍ୟ ପିଲାମାନେ ସେଥିରେ ଅଂଶଗ୍ରହଣ କରୁନାହାନ୍ତି।

ଶ୍ରୀ ଦାଶ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। କହିଛନ୍ତି ଯେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସବୁଥିରେ ବଦନାମ କରାଯାଉଛି। ହେଲେ ପିଲାମାନେ କିଭଳି କ୍ଲାସ୍‌ କରୁଛନ୍ତି ତା’ର ତଦାରଖ ବାପା, ମା’ କରୁନାହାନ୍ତି। ସରକାରୀ ନିୟମ ଅନୁଯାୟୀ, ବିଜେବି କଲେଜରେ ସବୁଠାରୁ ଅଧିକ କ୍ଲାସ୍‌ ହେଉଛି। ବର୍ଷକୁ ଦୁଇଥର ଶିକ୍ଷକ-ଅଭିଭାବକ ବୈଠକ ଡକାଯାଉଛି। ଦ୍ୱିତୀୟ ଶନିବାର, କୌଣସି ଛୁଟି ଦିନରେ ଏଭଳି ବୈଠକ ହେଉଥିଲେ ମଧ୍ୟ ଅଭିଭାବକଙ୍କ ଦେଖା ମିଳୁନି। ଏଠାରେ କଳା, ବିଜ୍ଞାନ, ବାଣିଜ୍ୟରେ ୧୫୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ବୈଠକକୁ ମାତ୍ର ୧୦ରୁ ୧୫ ଜଣ ଅଭିଭାବକ ଆସୁଛନ୍ତି। ପିଲାଙ୍କର କେଉଁ ବିଷୟରେ ତ୍ରୁଟି ରହୁଛି, ତାହା ଜାଣିବା ଲାଗି ଅଭିଭାବକଙ୍କର ଆନ୍ତରିକତା ନାହିଁ। ଯେଉଁଥିପାଇଁ ମାଟ୍ରିକ୍‌ରେ ୯୨ ପ୍ରତିଶତ ମାର୍କ ରଖି ପାସ୍‌ କରୁଥିବା ପିଲା ଯୁକ୍ତ୨ରେ ଫେଲ୍‌ ହେଉଛନ୍ତି। କେବଳ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୁହେଁ। ରାଜଧାନୀର ଅଧିକାଂଶ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ପିଲାମାନଙ୍କ ଉପସ୍ଥାନ ଦିନକୁ ଦିନ କମୁଛି। ଯେତିକି ପିଲା ନାମ ଲେଖାଉଛନ୍ତି କ୍ଲାସ୍‌ରେ ଉପସ୍ଥାନ ସେତିକି ହେଉନାହିଁ।

ପୂର୍ବବର୍ଷ ଧରା ପଡ଼ିଥିଲେ ବିଜେବିର ୭ ଛାତ୍ର
ବୈଠକକୁ ଆସନ୍ତି ହାତଗଣତି ଅଭିଭାବକ

ଶିକ୍ଷକଙ୍କୁ ଡାକୁଛନ୍ତି ଭାଇ
ପିଲାମାନେ କିଭଳି ଥିଓରି ଓ ପ୍ରାକ୍ଟିକାଲ କ୍ଲାସ୍‌ କରୁଛନ୍ତି, ତାହାର ନମୁନା ଏବେ ପଦାକୁ ଆସିଛି। ପ୍ରାକ୍ଟିକାଲ ପରୀକ୍ଷାରେ ଶିକ୍ଷକଙ୍କୁ ଚିହ୍ନିପାରୁନାହାନ୍ତି ନା ଜାଣି ଅଜଣା ହେଉଛନ୍ତି ତାହା ପରୀକ୍ଷାର୍ଥୀଙ୍କୁ ଜଣା। ତେବେ ବିଜେବି କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାଶ ଏକ ଅଭିଜ୍ଞତାକୁ ବର୍ଣ୍ଣନା କରି କହିଛନ୍ତି ଯେ ଗତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀ ନିଜ ବିଭାଗର ଶିକ୍ଷକଙ୍କୁ ଚିହ୍ନି ପାରିଲେ ନାହିଁ। ଶିକ୍ଷକଙ୍କୁ ପିଅନ ଭାବି ଭାଇ ବୋଲି ସମ୍ବୋଧନ କରିଥିଲେ। ଉତ୍ତର ଖାତା ମଧ୍ୟ ମାଗିଥିଲେ। ଯଦି ଏଭଳି ଚାଲିବ ତେବେ ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe