ସର୍ବସାଧାରଣରେ ମଦ ପିଇ ତଣ୍ଡ ଗଣିଲେ

୬ ଜୋନ୍‌ରେ ଚଢ଼ଉ, ୪୦ ହଜାର ଜରିମାନା ଆଦାୟ

ସର୍ବସାଧାରଣରେ ମଦ ପିଇ ତଣ୍ଡ ଗଣିଲେ

ଭୁବନେଶ୍ୱର : ମଦ୍ୟପାନ କରି ରାସ୍ତାଘାଟରେ ଆତଙ୍କ ସୃଷ୍ଟି କରୁଥିବା ନିଶାସକ୍ତଙ୍କୁ ସାବାଡ଼ କରିବା ଲାଗି ଅଣ୍ଟା ଭିଡ଼ିଛି ପୁଲିସ। ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତିଙ୍କ ନିର୍ଦେଶ କ୍ରମେ ଗତ ୨ ତାରିଖରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ରବିବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ୬ଟି ଜୋନ୍‌ରେ ବ୍ୟାପକ ଚଢ଼ଉ କରାଯାଇଥିଲା। କମିସନରେଟ୍‌ ପୁଲିସ ଅଧୀନ ଥାନାଗୁଡ଼ିକର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସର ଓ ସର୍ବସାଧାଣ ସ୍ଥାନରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ୭୯ ଜଣ ମଦ୍ୟପଙ୍କଠାରୁ ୩୯ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଥିଲା। ସେହିପରି ରାଜଧାନୀର ଗଳିକନ୍ଦିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନିଶାସକ୍ତଙ୍କ ଖଟିଗୁଡ଼ିକୁ ମଧ୍ୟ ପୁଲିସ ଟାର୍ଗେଟ୍‌ କରିଛି। ତେବେ ଏହି ଚଢ଼ଉ ପ୍ରକ୍ରିୟାକୁ ନିୟମିତ କରବା ପାଇଁ ଶ୍ରୀ ମହାନ୍ତି ନିର୍ଦେଶ ଦେଇଛନ୍ତି।

କୌଣସି ଶିକ୍ଷାନୁଷ୍ଠାନ ପରିସରରେ ହେଉ କି ସର୍ବସାଧାଣ ସ୍ଥାନରେ ଯଦି ନିଶାସକ୍ତମାନେ ଖଟି କରନ୍ତି, ନିଶାଖାଇ ସେଠାକାର ବାତାବରଣକୁ ନଷ୍ଟ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ଶିକ୍ଷାନୁଷ୍ଠାନ କିମ୍ବା ସର୍ବସାଧାରଣରେ ଯଦି କେହି ନିଶା ଖାଉଥାନ୍ତି ତେବେ ନିକଟସ୍ଥ ପୁଲିସ ଷ୍ଟେସନ୍‌ ବା ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ସହ ଯୋଗାଯୋଗ କରିବା ପାଇଁ କମିସନର୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe