Utkal Automobiles
ଭୁବନେଶ୍ୱର : ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ରେ ଲାଗୁ ହୋଇଛି ‘୫-ଟି’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦେଶ ପରେ ହଠାତ୍ ଚେଇଁ ଉଠିଛନ୍ତି ବିଏମ୍ସି ଅଧିକାରୀ। ରାଜଧାନୀରେ ବେଆଇନ ପାର୍କିଂ ଓ ହୋଲଡିଂ ଟ୍ୟାକ୍ସ ଦେବାରେ ଠକୁଥିବା ବ୍ୟାବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିବିଶେଷଙ୍କୁ ନାଲି ଆଖି ଦେଖାଇଛି ବିଏମ୍ସି। କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ସହରର କୌଣସି ସ୍ଥାନରେ ତ୍ରୁଟି ଦେଖିବା ମାତ୍ରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଛି।
ପ୍ରଥମ ପଦକ୍ଷେପ ସ୍ବରୂପ ସହର ଉପକଣ୍ଠରେ ଥିବା ଦୁଇଟି ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଉତ୍ତରମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସଂପୃକ୍ତ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯିବା ସହ ଜରିମାନା ଆଦାୟ କରିବାକୁ ଚେତାବନୀ ଦିଆଯାଇଛି।
ଉତ୍ତର ମଣ୍ଡଳ କାର୍ଯ୍ୟାଳୟର ଏକ ପ୍ରତିନିଧି ଦଳର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ବେଳେ ପାହାଳଠାରେ ଥିବା ଏକ ବ୍ୟାବସାୟିକ ପ୍ରତିଷ୍ଠାନ ବେଆଇନ ଭାବେ ଗାଡ଼ି ପାର୍କିଂ କରିଥିବା ନଜରକୁ ଆସିଥିଲା। ବେଆଇନ ପାର୍କିଂ ପାଇଁ ଉତ୍କଳ ହ୍ୟୁଣ୍ଡାଇକୁ କଡ଼ା ନୋଟିସ୍ ଜାରି କରାଯାଇଛି।
ମଂଗଳବାର ବିଏମ୍ସି ପକ୍ଷରୁ କରାଯାଇଥିବା ଚିଠି ସଂଖ୍ୟା ୨୧୬୮ରେ ସୂଚିତ କରାଯାଇଛି ଯେ ସମ୍ପୃକ୍ତ ସଂସ୍ଥା ଦୀର୍ଘ ଦିନ ଧରି ବିକ୍ରି କରିବାକୁ ଥିବା ୪ଚକିଆ ଯାନଗୁଡ଼ିକୁ ନିଜ ସ୍ଥାନଠାରୁ ଅଧିକ ଆଗକୁ ମଡାଇ ରଖୁଛି। ଏଥିସହ ସେଠାକୁ ଆସୁଥିବା ଗ୍ରାହକମାନେ ମଧ୍ୟ ସେମାନଙ୍କ ଯାନବାହନ ସରକାରୀ ଜମିରେ ରଖୁଛନ୍ତି। ଫଳରେ ନିକଟରେ ଯାଇଥିବା ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ତେଣୁ ଏହି ନୋଟିସ୍ ମାଧ୍ୟମରେ ଉତ୍କଳ ହ୍ୟୁଣ୍ଡାଇ ନିଜ ହତା ମଧ୍ୟକୁ ଗାଡ଼ିଗୁଡ଼ିକୁ ନେଇଯିବା ଲାଗି ପରାମର୍ଶ ଦିଆଯାଇଛି।
ଏଥିସହ ତିନି ମାସ ଧରି ରାସ୍ତା ଉପରେ (୭୦ ଫୁଟରେ ୨୦୦ ଫୁଟର ରାସ୍ତାକଡ) ବେଆଇନ ପାର୍କିଂ କରିଥିବା ଯୋଗୁଁ ଏକ ଲକ୍ଷ ୮୩ ହଜାର ୬୦୦ ଟଙ୍କା ଜରିମାନା କରାଯାଇଛି। ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ଓଡ଼ିଶା ମ୍ୟୁନିସିପାଲ୍ ଆଇନ-୨୦୧୩ ଅନୁଯାୟୀ ପଦକ୍ଷେପ ନେଆଯିବ ବୋଲି ବିଏମ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ମଂଗଳବାର ଚିଠି ସଂଖ୍ୟା-୨୧୬୫ରେ ଆଉ କେତେକ ପ୍ରତିଷ୍ଠାନକୁ ବି ନୋଟିସ୍ ଜାରି ହୋଇଛି। ପାହାଳସ୍ଥିତ ସିମ୍ଫୋନି ମଲ୍, ଓର୍ଜିତା ପ୍ରୋଜେକ୍ଟ୍ ପ୍ରାଇଭେଟ୍ ଲିମିଟେଡ୍, ପଞ୍ଚମ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍କୁ ହୋଲଡିଂ ଟାକ୍ସ୍ ଫାଙ୍କିବା ଓ ବେଆଇନ ବ୍ୟବସାୟ ଚଳାଉଥିବା ନେଇ ନୋଟିସ୍ ଜାରି କରାଯାଇଛି। ଉକ୍ତ ପ୍ରତିଷ୍ଠାନଗୁଡ଼ିକୁ ୪ମାସ ତଳେ ହୋଇଥିବା ନୋଟିସ୍ ଅନୁଯାୟୀ, ତାଙ୍କର ରୁଦ୍ରପୁରସ୍ଥିତ ବଡ଼ ବିଲ୍ଡିଂ(ପ୍ଲଟ୍ ନଂ- ୧୪୯ ପି, ପ୍ଲଟ୍ ନଂ-୧୫୪ ଓ ୧୫୨/୯୦୭୮, ଖାତା-୫୯୬, ମୌଜା- ରୁଦ୍ରପୁର)କୁ ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନକୁ ବିକ୍ରି ଓ ଭଡ଼ାରେ ଗତ ମାର୍ଚ୍ଚ ମାସରୁ ଦେଇଛନ୍ତି। ତେବେ ହିସାବ ମୁତାବକ ଟାକ୍ସ ନ ଦେବା, ଟ୍ରେଡ୍ ଲାଇସେନ୍ସ ନ ଥାଇ ଉକ୍ତ ସ୍ଥାନରେ ବ୍ୟବସାୟ ଚଳାଇବା, ଅନୁମୋଦନ ମୁତାବକ ହୋଲଡିଂ ଟ୍ୟାକ୍ସ୍ ନ ଦେବା, ବିନା ଅନୁମତିରେ ବିଜ୍ଞାପନ ବୋର୍ଡ ଇତ୍ୟାଦି ମାରିବା, ରାସ୍ତାପାର୍ଶ୍ବକୁ ବେଆଇନ ପାର୍କିଂ ଇତ୍ୟାଦି ତ୍ରୁଟି ପାଇଁ ତାଗିଦ୍ କରାଯାଇଛି।
Follow Us