ସରିଲା ସଜବାଜ, ଆଜି ପହିଲି ରଜ

Advertisment
ସରିଲା ସଜବାଜ, ଆଜି ପହିଲି ରଜ

ଭୁବନେଶ୍ବର: ସଜା ‌ସରିଲାଣି ଦୋଳି, ବଟା ସରିଲାଣି ପିଠା ଆଣ। କୁଆଁରୀଙ୍କ ସଜବାଜ ବି ସରିଲାଣି। ଅପେକ୍ଷା ପହିଲି ରଜକୁ। ଏଥିପାଇଁ ଆଜି ସକାଳୁ ସକାଳୁ ଚଳଚଞ୍ଚଳ ହୋଇଯାଇଥିଲା ରାଜଧାନୀ। ସିଲେଇ ଦୋକାନୀଙ୍କଠାରୁ ପାର୍ଲର ଯାଏ, ଷ୍ଟେସନାରି ବେପାରୀଙ୍କଠାରୁ ମେହେନ୍ଦୀ ଆର୍ଟିଷ୍ଟଙ୍କ ଯାଏ; କାହାକୁ ଆଜି ଫୁର୍‌ସତ୍‌ ନଥିଲା। ଅନ୍ୟପଟେ ଆଜିଠାରୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ଆୟୋଜିତ ହୋଇଗଲାଣି। ଦୋଳିର ଆସର କୁଆଁରୀଙ୍କୁ ଡାକିଲାଣି। ପୋଡ଼ ପିଠାର ମିଠା ମହକ ଗ୍ରାହକଙ୍କୁ ଆକର୍ଷିତ କଲାଣି। ସହର ସାରା ପାନ ପସରା ମେଲିଲାଣି। ମେହେନ୍ଦୀର ବାସ୍ନା ହୃଦୟକୁ ଅାନମନା କଲାଣି। ରାଜଧାନୀଟା ଆଜି ସମ୍ପୂର୍ଣ୍ଣ ଭାବେ ଗାଁ ପରିବେଶରେ ସଜେଇ ହୋଇଗଲାଣି। ବିଭିନ୍ନ କଲୋନି, ଆପାର୍ଟମେଣ୍ଟ୍‌ ଓ ବସ୍ତିରେ ରଜ ଆସର ଜମି ଆସିଲାଣି। ୨ ବର୍ଷ ପରେ କରୋନାମୁକ୍ତ ଏହି ରଜ ପାଳିବାକୁ ସବୁ ବର୍ଗର ଲୋକ ନିଜ ପ୍ରସ୍ତୁତି ସାରିଲେଣି।

publive-image

ପ୍ରସ୍ତୁତ ହେଲାଣି ଦୋଳି, ଏବେ କୁମାରୀଙ୍କୁ ଅପେକ୍ଷା

ବନ୍ଧା ସରିଲାଣି ୧୧୧ ଦୋଳି। ବସି ସାରିଲାଣି ରାମ ଦୋଳି ଓ ଦୋକାନ ବଜାର। ପୂରା ପରିବେଶ ହୋଇ ଉଠିଲାଣି ଉତ୍ସବ ମୁଖର। ଆଜି ରଜ ପାଇଇଁ ସଜବାଜ ସରିଥିବା ବେଳେ ଆସନ୍ତାକାଲିର ପହିଲି ରଜ ପାଇଁ ପାତ୍ରପଡ଼ାରେ ସବୁ ପ୍ରସ୍ତୁତି ସରିଛି। ମହାରାଜା କ୍ରିକେଟ ସଂଘ ଓ ପାତ୍ରପଡା –ଭଗବାନପୁର ଯୁବ ବାହିନୀ ତରଫରୁ ଆୟୋଜିତ ଏହି ମହୋତ୍ସବରେ ମହିଳାଙ୍କୁ ନେଇ ଆୟୋଜିତ ହେବ ବିଭିନ୍ନ ପ୍ରକାରର ପ୍ରତିଯୋଗିତା। ପୁଚି, ମେହେନ୍ଦୀ, ଦଉଡ଼ି ଡିଆଁ, ମ୍ୟୁଜିକ ଚେୟାର, ବେଲୁନ୍ ଡ୍ୟାନ୍ସ, ପେପର ଡ୍ୟାନ୍ସ, ପୋଡ଼ପିଠା ପ୍ରସ୍ତୁତି, ଝୋଟି, ମୁରୁଜ, ଚେସ୍, ତାସ, ପଶା ଖେଳ, ଗୀତ ଓ ନାଚ ଭଳି ପ୍ରତିଯୋଗିତା ସକାଳ ୧୦ଟା ବେଳେ ଆୟୋଜିତ ହେବ। ତେବେ ଏହି ବିଶାଳ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବ ‘ମହିଳା କବାଡ଼ି ମ୍ୟାଚ୍‌’। ଏଥିସହ ବିଭିନ୍ନ ପାରମ୍ପରିକ ପିଠା, ମିଠା ସହ ପାନ ଓ ଖେଳର ବିଶାଳ ଆସର ଜମିବ ଖେଳପଡ଼ିଆରେ। ଏଣୁ ଏବେଠାରୁ ‌ବ୍ୟବସାୟୀମାନେ ଆସି ଷ୍ଟଲ ବାନ୍ଧିବା ଆରମ୍ଭ କରି ଦେଲେଣି।

publive-image

କଏଦୀ ପିଲାଙ୍କ ଗହଣରେ ରଜ

ଓଡ଼ିଶାର ଗଣପର୍ବ ‘ରଜ’କୁ ଆଜି କଏଦୀ ପିଲାଙ୍କ ଗ୍ରହଣରେ ପାଳନ କରି ସେମାନଙ୍କ ମୁହଁ‌ରେ ହସ ଫୁଟାଇଛି ସାମାଜିକ ସେବା ଅନୁଷ୍ଠାନ ‘ୱିସ୍’। ଅନୁଷ୍ଠାନ ପକ୍ଷରୁ ଆଜି ଝାରପଡ଼ାସ୍ଥିତ ମଧୁରମୟୀ ଆଶ୍ରମରେ ରହୁଥିବା ପିଲାମାନଙ୍କ ସହିତ ରଜ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବ‌ରେ ଓଡ଼ିଶା ପର୍ଯ୍ୟଟନ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ ପ୍ରତୀମା କର, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ହୋଇଥିବା ‘କବିତା ପ୍ରତିଯୋଗିତା’ରେ ଶ୍ରେଷ୍ଠ ବିବେଚିତ କବି ସୌଦାମିନୀ ସାମନ୍ତରାୟ, ରମେଶ ପ୍ରସାଦ ମହାନ୍ତି, ଦେବଦତ୍ତ ରଥ ଓ ଶୁଭଶ୍ରୀ ସିଂହଙ୍କୁ ସମ୍ମାନିତ କରାଯାଇଥିଲା। ଆଶ୍ରମରେ ପିଲାମାନଙ୍କୁ ନୂଆ ପୋଷାକ ପିନ୍ଧାଇବା ସହିତ ପିଠା ଓ ମିଠା ବଣ୍ଟା ଯାଇଥିଲା। ୱିସ୍ ଅନୁଷ୍ଠାନର ଅଧ୍ୟକ୍ଷା ଅନୁସୃତା ସିଂହଦେଓ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଅନୁଷ୍ଠାନର ସଦସ୍ୟା ପ୍ରତୀମା ରାଣୀ ମିଶ୍ର ଷଡ଼ଙ୍ଗୀ, ଶୁଭ୍ରା ନନ୍ଦ, ସୌଭାଗ୍ୟବତୀ ମହାପାତ୍ର, ଦୀପିକା ମହାନ୍ତି, ଶାନ୍ତିଲତା ପାଲ୍, ପ୍ରମିଳା ପରିଡ଼ା, ଅଶ୍ୱିନୀକା ମହାପାତ୍ରଙ୍କ ସହିତ ବୀରକଳିଙ୍ଗ ଓ ସାରସ୍ୱତ ସମାଜର ଆଦ୍ୟ ସେବକ ତଥା ପ୍ରତିଷ୍ଠାତା ସରୋଜ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe