ଚାଲୁ ରହିଥିବା ପ୍ରକଳ୍ପ ‌ଶେଷ କରିବା ପ୍ରାଥମିକତା ହେବ: ସୁଲୋଚନା

Advertisment
ଚାଲୁ ରହିଥିବା ପ୍ରକଳ୍ପ ‌ଶେଷ କରିବା ପ୍ରାଥମିକତା ହେବ: ସୁଲୋଚନା

ଶନିବାର ଦିନ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ। ବିଏମ୍‌ସିର ମେୟର ଭାବରେ ଦାୟିତ୍ବ ଯେତିକି ମର୍ଯ୍ୟାଦାପୂର୍ଣ୍ଣ, କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଓ ସମସ୍ୟା ସେତିକି ଆହ୍ବାନପୂର୍ଣ୍ଣ ମଧ୍ୟ। ବସ୍ତିରୁ କଲୋନି, ସାଧାରଣ ରାସ୍ତାରୁ ସ୍ମାର୍ଟ ଜନପଥ, ଡ୍ରେନ୍‌ରୁ ଆବର୍ଜନା, ପରିମଳରୁ ବର୍ଜ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ସମସ୍ୟାରେ ଭରି ରହିଛି। ଏ ସବୁକୁ କେମିତି ମୁକାବିଲା କରି‌ବେ, ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ମେୟର ଶ୍ରୀମତୀ ଦାସ। ଏହି ଅବସରରେ ନବନିର୍ବାଚିତ ମେୟରଙ୍କୁ ସାକ୍ଷାତ କରିଥିଲେ ଆମ ପ୍ରତିନିଧି ବିବୁଧ ମହାନ୍ତି

ରାଜଧାନୀବାସୀଙ୍କ ପ୍ରମୁଖ ସମସ୍ୟା କ’ଣ ବୋଲି ଆପଣ ଭାବନ୍ତି?
ଭୁବନେଶ୍ବରକୁ ବିଶ୍ବସ୍ତରୀୟ ସହର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଜାରି ରହିଛି। ୨୦୦୦ ମସିହାର ଭୁବନେଶ୍ବର ଓ ବର୍ତ୍ତମାନର ଭୁବନେଶ୍ବରକୁ ଦେଖିଲେ ଫରକ୍‌ ସ୍ପଷ୍ଟ ବାରି ହୋଇପଡ଼ୁଛି। ନମ୍ବର-୧ ସ୍ମାର୍ଟସିଟି କରିବା ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ସହରର କଳେବର ବଢ଼ିବା ସହ ସମସ୍ୟା ବଢ଼ିଥାଏ। ବସ୍ତି ହେଉ, ଡ୍ରେନ୍‌ ହେଉ, ଜଳ ନିଷ୍କାସନ ସମସ୍ୟା, ବର୍ଜ୍ୟବସ୍ତୁ ପରିଚାଳନା ପ୍ରଭୃତି ସମସ୍ୟା ରହିଛି। କୋଭିଡ୍‌ ଯୋଗୁଁ କିଛି କାମ ଧିମେଇ ଯାଇଥିଲା। ସେ ସବୁକୁ ତ୍ବରାନ୍ବିତ କରିବାକୁ ମୁଁ ନିରନ୍ତର ପ୍ରୟାସ କରିବି।

କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବେ?
ସବୁ କାମ ସମାନ୍ତରାଳ ଭାବରେ ଚାଲିବ। କିନ୍ତୁ କେଉଁଠୁ ତ’ ଗୋଟେ ଆରମ୍ଭ କରିବାକୁ ପଡ଼ିବ। ଯେଉଁ ପ୍ରକଳ୍ପ ସବୁ ଏବେ ଚାଲିଛି, ତାହାକୁ କିଭଳି ଠିକ୍‌ ସମୟରେ ସାରିପାରିବୁ, ତାହାକୁ ପ୍ରାଥମିକତା ଦେବୁ। ପ୍ରକଳ୍ପ ଯେତେ ବଡ଼ ହେଉ ନା କାହିଁକି, ଯଦି ବିଳମ୍ବ ହେଲା ବା ଉଚିତ ସମୟରେ ଲୋକଙ୍କ ସେବାରେ ନ ଲାଗିପାରିଲା ସେ ପ୍ରକଳ୍ପର ମୂଲ୍ୟ ନାହିଁ। ଏଣୁ ଆମର ପ୍ରାଥମିକତା ହେବ ଅନ୍‌ ଗୋଇଙ୍ଗ୍‌ ପ୍ରୋଜେକ୍ଟସ୍‌। ତା’ସହ ସମାନ୍ତରାଳ ଭାବରେ ସହରର ଯାହା ପ୍ରମୁଖ ସମସ୍ୟା ଅଛି ତାହାକୁ ପ୍ରାଥମିକତା ଦେଇ କାମ ଆରମ୍ଭ କରାଯିବ।

ମେୟର ଭାବରେ ଆପଣଙ୍କ ପଦାବଧିକୁ ଲୋକ କାହିଁକି ମନେ ରଖିବେ?
ମେୟର ଭାବେ ମୁଁ ଏକୁଟିଆ ନୁହେଁ, ବରଂ ପୂରା ଟିମ୍‌କୁ ନେଇ କାମ କରିବାକୁ ଚାହୁଛି। ୬୭ କର୍ପୋରେଟର୍‌, ସାଂସଦ, ବିଧାୟକ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ କାମ କରିବି। କେବେ ବି ଏକୁଟିଆ କିଛି କରିବା ସମ୍ଭବ ନୁହେଁ। ମୁଁ ଚାହୁଛି ଲୋକେ ମେୟରଙ୍କ କାର୍ଯ୍ୟକାଳକୁ ନୁହେଁ, ବରଂ ମେୟରଙ୍କ ଟିମ୍‌କୁ ମନେ ରଖନ୍ତୁ। ଟିମ୍‌ୱାର୍କକୁ ମନେ ରଖନ୍ତୁ। ମୋର ବିଶ୍ବାସ ଅଛି ଟିମ୍‌ୱାର୍କର ହିଁ ବିଜୟ ହୋଇଛି। ଲୋକଙ୍କ ସେବା ପାଇଁ ବା ଭୁବନେଶ୍ବରର ‌ପ୍ରତ୍ୟେକଟି କାମ ପାଇଁ ପୂରା ଟିମ୍‌ ମୋ ସହ ରହିଛି ଓ ରହିବ।

ଆପଣଙ୍କ ସ୍ୱପ୍ନର ଭୁବନେଶ୍ୱର ଦେଖିବାକୁ କେମିତି?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରକୁ ବିଶ୍ବସ୍ତରୀୟ କରିବାକୁ ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଭଳି ଭୁବନେଶ୍ବରଟିଏ ତିଆରି ହେଲେ ହିଁ ସମସ୍ତଙ୍କର ସ୍ବପ୍ନ ପୂରଣ ହେବ। ଭୁବନେଶ୍ବର ଆଜି ସ୍ପୋର୍ଟସ୍‌ ହବ୍‌ ହୋଇଛି। ଅନ୍ତର୍ଜାତୀୟ ଆୟୋଜକ ଏଠାରେ ବିଭିନ୍ନ ଇଭେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି ହୋଇଛି, ପଡ଼ୋଶୀ ରାଜ୍ୟ ମଧ୍ୟ ଭୁବନେଶ୍ବର ଉପରେ ନିର୍ଭର କରୁଛି। ଶିକ୍ଷା କ୍ଷେତ୍ରରେ ହୋଇଥିବା ଉନ୍ନତି ସମସ୍ତଙ୍କ ଆଖି ସାମ୍ନାରେ ରହିଛି। ଏ ସବୁକୁ ବିଶ୍ବସ୍ତରକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ପୂରଣ କରିବାକୁ ଏହା ଆମ ପାଇଁ ଏକ ସୁଯୋଗ। ଯେ କେହି ଭୁବନେଶ୍ବରର ବୋଲି ଯେମିତି ଗର୍ବ ଅନୁଭବ କରିବ, ସେଭଳି ଏକ ଭୁବନେଶ୍ବର ତିଆରି କରିବାରେ ଉଦ୍ୟମ ଅବ୍ୟାହତ ରହିବ।

ତିନି ବର୍ଷ ଧରି ମୁରବିବିହୀନ ବିଏମ୍‌ସି ଲୋକଙ୍କ ଆସ୍ଥା ହରାଇଛି। ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ସ୍ୱତନ୍ତ୍ର କିଛି ଭାବିଛନ୍ତି କି?
ଲୋକଙ୍କ ପା‌ଇଁ ହିଁ ଆମେ ଆଜି ଏଠି ପହଞ୍ଚି ପାରିଛୁ। ଏଣୁ ଲୋକଙ୍କ ଅଭିଯୋଗକୁ ଆମେ ପ୍ରାଥମିକତା ଦେବାକୁ ଯାଉଛୁ। ଏଥର ଲୋକ ଅଭିଯୋଗ ଧରି ବିଏମ୍‌ସିକୁ ଆସିବେନି, ବରଂ ଆମେ ସମାଧାନ ଧରି ଲୋକଙ୍କ ପାଖରେ ପହଞ୍ଚିବୁ। ଶପଥ ଗ୍ରହଣ କରିସାରିବା ପରେ ପରେ ସମସ୍ତ କର୍ପୋରେଟର ଓ କର୍ମଚାରୀଙ୍କ ସହ ଏକାଠି ବସିବୁ। ଜନ ଅଭିଯୋଗ କିଭଳି ସହଜରେ ବିଏମ୍‌ସିରେ ପହଞ୍ଚିବ ଓ ତାହାର ସମାଧାନ କିଭଳି ଘର ଦୁଆର ମୁହଁରେ ହୋଇପାରିବ, ସେନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବାକୁ ଯୋଜନା ରହିଛି। ମୋର ଆଶା ଏଥିରେ ସମସ୍ତେ ସହଯୋଗ କରିବେ।

ଜନସାଧାରଣଙ୍କୁ କ’ଣ କହିବାକୁ ଚାହିଁବେ?
ପ୍ରତ୍ୟେକଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଉଛି, ଯେଉଁମାନଙ୍କ ଆଶୀର୍ବାଦରୁ ଜନସେବା ପାଇଁ ସୁଯୋଗ ମିଳିଛି। ପ୍ରତିଟି ହିତାଧିକାରୀ ପାଖରେ ପ୍ରତିଟି ଯୋଜନା ଯେଭଳି ଶତପ୍ରତିଶତ ପହଞ୍ଚିବ, ସେଥିପାଇଁ ଆଗକୁ ଯେଉଁ ଉଦ୍ୟମ ଜାରି ରହିବ ସେଥିରେ ପ୍ରତ୍ୟେକଙ୍କର ସହଯୋଗ ଲୋଡ଼ା। କେବଳ ଅଭିଯୋଗ ନୁହେଁ, ବରଂ ଜନସାଧାରଣଙ୍କର ଉଚିତ ପରାମର୍ଶ ମଧ୍ୟ ଆଧୁନିକ ଭୁବନେଶ୍ବର ତିଆରି କରିବାରେ ସହାୟକ ହେବ। ଆମେ ସମସ୍ତେ ଖାରବେଳଙ୍କର ଦାୟାଦ। ସମସ୍ତଙ୍କର ସହଯୋଗ ରହିଲେ ଆଗାମୀ ଦିନରେ ଭୁବନେଶ୍ବରର ଏକ ନୂଆ ଇତିହାସ ଲେଖା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe