ଭୁବନେଶ୍ୱର: ଗୋଆର ଏକ ନାଇଟ୍କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିବା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ରାଜଧାନୀ କେତେ ସୁରକ୍ଷିତ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜଧାନୀରେ ୧୫୫ ନାଇଟ୍କ୍ଲବ୍, ବାର୍ ଥିବା ବେଳେ ଦିନକୁ ଦିନ ବଡ଼ ବଡ଼ ଆପାର୍ଟମେଣ୍ଟ, ସପିଂ ମଲ୍, ହସ୍ପିଟାଲ୍, ସୋରୁମ୍, ଗହଣା ଦୋକାନ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, କର୍ପୋରେଟ୍ଅଫିସ୍ ଆଦି ବଢ଼ିଚାଲିଛି। ସବୁଠୁ ବଡ଼ କଥା ହେଲା ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରାଜଧାନୀର କେତେକ ସପିଂମଲ, ତାରକା ହୋଟେଲ୍, ଗହଣାଦୋକାନରେ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। କେଉଁଠି ସତର୍କ ଘଣ୍ଟି ନାହିଁ ତ କେଉଁଠି ଏହା ଥିଲେ ବି ବାଜୁନି। କେତେକ ସ୍ଥାନରେ ସ୍ପ୍ରିଙ୍କଲର ନାହିଁ ତ କେତେକ ସ୍ଥାନରେ ଥାଇ ଅଚଳ ହୋଇପଡ଼ିଛି। କାରଣ ବ୍ୟବହାର କରାଯାଉଥିବା ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ନିମ୍ନମାନର। ଖାଲି ଏତିକି ନୁହେଁ ତାରକା ହୋଟେଲ, ମଲ୍, ଗହଣା ଦୋକାନଗୁଡ଼ିକରେ ଜରୁରୀକାଳୀନ ଶିଡ଼ିଗୁଡ଼ିକ ଅଚଳ ହୋଇ ପଡ଼ିଛି। କେଉଁଠି ଜରୁରୀକାଳୀନ ଦ୍ୱାର ନାହିଁ ତ କେଉଁଠି ଜରୁରୀକାଳୀନ ଦ୍ୱାର ସମ୍ମୁଖକୁ ଷ୍ଟୋର ଭାବେ ବ୍ୟବହାର କରାଯାଇଛି।
Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
ଏହାଛଡ଼ା ନିରାପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲେ ମଧ୍ୟ ତାହା ରଖାଯାଇ ନାହିଁ। ଯେଉଁଠି ପାଣି ଟାଙ୍କି ରହିଛି, ସେଗୁଡ଼ିକ ଅତି କ୍ଷୁଦ୍ର, ଯାହାକି ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ମଲ୍, ହୋଟେଲ, ଗହଣା ଦୋକାନ ଚାରି ପଟେ ରାସ୍ତାକୁ ଅତି କମ୍ରେ ୬ ମିଟର ଅର୍ଥାତ୍୨୦ ଫୁଟ୍ଚଉଡ଼ା ରାସ୍ତା ଛାଡ଼ିବାକୁ ନିୟମ ରହିଛି। ଫଳରେ ଅଗ୍ନିଶମ ଗାଡ଼ିଗୁଡ଼ିକ ସହଜରେ ଚାରିପଟେ ଚକର କାଟି ପରିସ୍ଥିତିର ମୁକାବିଲା କରିପାରିବ। ହେଲେ ଅନେକ ସ୍ଥାନରେ ଚାରିପଟେ ରାସ୍ତା ନାହିଁ। ଅଧିକାଂଶ ସ୍ଥାନରେ ଏହା ୫ଫୁଟ ଭିତରେ ରହିଛି। ମୁଖ୍ୟ ଦ୍ୱାରକୁ ଚଉଡ଼ା ୫ ମିଟର ଓ ଶିଡ଼ିଗୁଡ଼ିକୁ ଦେଢ଼ ମିଟର ଚଉଡ଼ା ରଖିବା ନିୟମକୁ କେତେକ ସ୍ଥାନରେ ଉଲ୍ଲଂଘନ କରାଯାଇଛି। କୌଣସି ପ୍ରକାରର ଅଗ୍ନିକାଣ୍ଡ ଘଟିଲେ ସେଣ୍ଟ୍ରାଲ୍ଏସିଗୁଡ଼ିକ ସ୍ୱତସ୍ଫୂର୍ତ୍ତ ଭାବେ ବନ୍ଦ ହୋଇଯିବା ବ୍ୟବସ୍ଥା ରଖିବାକୁ ନିୟମ ରହିଛି। ହେଲେ ଅଧିକାଂଶ ଅନୁଷ୍ଠାନରେଏହି ନିୟମ ନାହିଁ। ଏ ସମ୍ପର୍କରେ ଅଗ୍ନିଶମ ବିଭାଗ ଯେତେ ସତର୍କ ହେବା କଥା ସେମିତି ହେଉ ନଥିବା ଅଭିଯୋଗ ହେଉଛି।
ବେସ୍ମେଣ୍ଟ ନିୟମକୁ ଫୁ
ନିୟମ ଅନୁଯାୟୀ ବେସ୍ମେଣ୍ଟଗୁଡ଼ିକୁ ବିଶେଷ କରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ। ବେସ୍ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ମିଳି ନଥାଏ। ଯଦି କେହି ବେସ୍ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ସେଥିପାଇଁ ବିଡିଏ ଓ ବିଏମ୍ସିଠାରୁ ସ୍ୱତନ୍ତ୍ର ଅନୁମତି ନେବା ଆବଶ୍ୟକ। ହେଲେ ହୋଟେଲ୍ପକ୍ଷରୁ ବିଡିଏ କିମ୍ବା ବିଏମ୍ସିରୁ କୌଣିସି ଅନୁମତି ନିଆଯାଉ ନାହିଁ ବୋଲି ଜଣାପଡ଼ିଛି।। କେତେକ ସ୍ଥାନରେ ବେଆଇନ ଭାବେ ବେସ୍ମେଣ୍ଟକୁ ମଣ୍ଡପ ଭଳି ମଧ୍ୟ ବ୍ୟବହାର କରାଯାଇଛି। ବେସ୍ମେଣ୍ଟ ଚାରିପଟେ ବଡ଼ ଦ୍ୱାର ରଖିବା ପାଇଁ ନିୟମ ଥିଲେ ମଧ୍ୟ ତାହା କରାଯାଇ ନାହିଁ। ଯଦି ସେଠାରେ ଅଗ୍ନିକାଣ୍ଡ ଘଟେ, ତେବେ ଲୋକମାନେ ବାହାରକୁ ବାହାରିବାକୁ ବାଟ ମଧ୍ୟ ନାହିଁ। ହେଲେ ଅଗ୍ନିଶମ ବିଭାଗକୁ ଏହା ଦେଖାଯାଉନାହିଁ।
୨୨ ମହଲା ପର୍ଯ୍ୟନ୍ତ ସକ୍ଷମ
ରାଜଧାନୀର ଭିତ୍ତିଭୂମିକୁ ଦେଖିଲେ ଏବେ ମଧ୍ୟ ବିଭାଗକୁ ଅନେକ ଆବଶ୍ୟକତା ଅଛି। କାରଣ ରାଜଧାନୀରେ ୩୪ ମହଲାରୁ ୪୦ ମହଲା ପର୍ଯ୍ୟନ୍ତ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଉଛି। ଭୁବନେଶ୍ବରରେ ୯ଟି ଦମକଳ କେନ୍ଦ୍ର ଥିବା ବେଳେ ମାତ୍ର ୩ଟି ହାଇଡ୍ରୋଲିକ୍ଯାନ ରହିଛି। ଏହି ଅତ୍ୟାଧୁନିକ ଯାନଗୁଡ଼ିକ ୨୨ ମହଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡକୁ ରୋକିବା ପାଇଁ ସକ୍ଷମ। ଯଦିଓ ସୁଉଚ୍ଚ ଅଟ୍ଟାଳିକା ପାଇଁ ଡ୍ରୋନ୍ଟେକ୍ନୋଲୋଜିକୁ ଅପଣାଇବା ପାଇଁ ଅଗ୍ନିଶମ ବିଭାଗ ଯୋଜନା କରିଛି, ହେଲେ ଏପର୍ଯ୍ୟନ୍ତ ସେ ଦିଗରେ ବିଭାଗ ଆଗକୁ ବଢ଼ିନାହିଁ। କୁହାଯାଉଛି ଯେ ଅନ୍ୟ ରାଜ୍ୟରେ ଡ୍ରୋନ୍ଟେକ୍ନୋଲୋଜି କିଭଳି ଫଳପ୍ରଦ ହେଉଛି ତାକୁ ସମୀକ୍ଷା କରାଯାଉଛି। ଯଦି ତାହା ସଫଳ ହୁଏ ତେବେ ଆଗାମୀ ଦିନରେ ଏହି ଟେକ୍ନୋଲୋଜିକୁ ଓଡ଼ିଶାରେ ଆପଣାଯିବ। ସୁଉଚ୍ଚ ଅଟ୍ଟାଳିକାକୁ କିଭଳି ନିରାପତ୍ତା ଯୋଗାଇଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?
କର୍ମଚାରୀକୁ ଜଣାନାହିଁ ପ୍ରୟୋଗ
ସପିଂମଲ୍ଠାରୁ ଆରମ୍ଭ କରି ହୋଟେଲ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ନିୟମକୁ ତ ଖୋଲାଖୋଲି ଫାଙ୍କି ଚାଲିଛନ୍ତି। ଏହାଠାରୁ ବଡ଼ ଦୁଃଖର ବିଷୟ ଯେ ଜରୁରୀକାଳୀନ ପରିସ୍ଥିତ ପାଇଁ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି, ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣାନାହିଁ କି ସେମାନଙ୍କୁ ତାଲିମ୍ଦିଆଯାଉ ନାହିଁ। ନିୟମ ଅନୁଯାୟୀ କର୍ମଚାରୀମାନଙ୍କୁ ଅତିକମ୍ରେ ବର୍ଷରେ ଦୁଇ ଥର ତାଲିମ୍ଦେବାକଥା। ଏହାଛଡ଼ା ମକ୍ଡ୍ରିଲ୍ଭଳି କାର୍ଯ୍ୟକ୍ରମ ଜରିଆରେ ନିରାପତ୍ତା ଯନ୍ତ୍ରପାତିର ଯାଞ୍ଚ ସହ କର୍ମଚାରୀଙ୍କ ଦକ୍ଷତା ସମୀକ୍ଷା ହେବା କଥା। ହେଲେ ସେଭଳି କୌଣସି ତାଲିମ ଦିଆଯାଉ ନାହିଁ କି ନିରାପତ୍ତାର ଯାଞ୍ଚ କରାଯାଉ ନାହିଁ।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
୧୦ଦିନ ଧରି ହେବ ଚଢ଼ଉ
ଗୋଆ ଅଘଟଣ ପରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଆସନ୍ତା ୧୦ଦିନ ଧରି ରାଜ୍ୟରେ ଅଗ୍ନି ନିରାପତ୍ତା ନେଇ ଯାଞ୍ଚ କରାଯିବ। ଏନେଇ ସ୍ବତନ୍ତ୍ର ଟିମ୍ଗଠନ କରାଯାଇଛି। ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିବେ। ଯେଉଁମାନେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ପାଇନାହାନ୍ତି ବା ଯେଉଁମାନଙ୍କର ଅଗ୍ନି ନିରାପତ୍ତା ନେଇ ସମସ୍ୟା ରହିଛି ସେମାନଙ୍କୁ ଚିହ୍ନଟ କରାଯିବ। ବିଶେଷ କରି ରାଜଧାନୀରେ ଯେଉଁ ସଂସ୍ଥା ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବେ ଏନେଇ ବିଏମ୍ସିକୁ ଅବଗତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଗ୍ନିଶମ ଡିଜିଙ୍କ ଏଭଳି ନିର୍ଦ୍ଦେଶ ପରେ ଏବେ ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ ଛନକା ପଶିଛି।
ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିବ ତୃତୀୟ ପକ୍ଷ
ଭୁବନେଶ୍ବର: ଏଣିକି ରାଜ୍ୟର ବଡ଼ବଡ଼ କୋଠାଠାରୁ ଆରମ୍ଭ କରି ମଲ୍, ହଲ୍, ଜୁଏଲାରି, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଆଦିର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବ ତୃତୀୟ ପକ୍ଷ। ଏନେଇ ଆଜି ବରମୁଣ୍ଡାସ୍ଥିତ ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ୫ଦିନିଆ ପ୍ରଶିକ୍ଷଣ କର୍ମଶାଳାରେ ଯୋଗଦେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏହା କହିଛନ୍ତି। ଡିଜି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଦିନକୁ ଦିନ ରାଜ୍ୟରେ ପ୍ରତିଷ୍ଠାନ ସଂଖ୍ୟା ବଢ଼ିଚାଲିଛି। ଏହାର ଯାଞ୍ଚ କରିବା ଗୋଟିଏ ସଂସ୍ଥା ଦ୍ବାରା ସମ୍ଭବ ନୁହେଁ।ଏଥିପାଇଁ ତୃତୀୟ ପକ୍ଷକୁ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିୟୋଜିତ କରାଯିବ।
ଯେଉଁମାନେ ଯାଞ୍ଚ କରିବେ ସେମାନେ ଅଗ୍ନିଶମ ବିଭାଗ ଦ୍ବାରା ସହବନ୍ଧିତା ହୋଇଥିବା ଆବଶ୍ୟକ। ବିଭାଗ ସହ କାର୍ଯ୍ୟ କରିଥିବାର ଅଭିଜ୍ଞତା ରଥିବ। ଏହାଛଡ଼ା ସେମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ମଝିରେ ମଝିରେ ତାଲିମ୍ ଦିଆଯିବ। ଅଗ୍ନି ନିରାପତ୍ତା ପାଇଁ କେଉଁ କେଉଁ ଦିଗକୁ ନେଇ ଯାଞ୍ଚ କରିବେ, ତାହା ସେମାନଙ୍କୁ ବତାଇ ଦିଆଯିବ। ଏମିତିକି ବିଭିନ୍ନ ମଲ୍, ଡାକ୍ତରଖାନା, କାରଖାନାକୁ ନେଇ ସେମାନଙ୍କୁ ପ୍ରତିଟି ଦିଗ ଉପରେ ପ୍ରାକ୍ଟିକାଲ୍ କରାଯିବ। ସେଠାରେ ଅଧିକାରୀମାନେ ସେମାନଙ୍କୁ ତାଲିମ୍ ଦେବେ। ଏଥିପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୧୪୦ଜଣ ଅଧିକାରୀଙ୍କୁ ତାଲିମ୍ ଦିଆଯାଇଛି। ଆଗାମୀ ଦିନରେ ସେମାନେ ଅନ୍ୟ ଅଧିକାରୀଙ୍କ ସମେତ ତୃତୀୟ ପକ୍ଷଙ୍କୁ ତାଲିମ୍ ଦେବେ। ଆସନ୍ତା ୨୦୨୭ ବେଳକୁ ଅଗ୍ନି ନିରାପତ୍ତା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ହୋଇ ବାହାରି ବୋଲି ଡିଜି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/fhfshfxvbbvxbv-2025-12-09-02-46-38.jpg)