ୟୁନିଟ୍‌-୨ ସରକାରୀ କ୍ବାର୍ଟର୍ସରେ ବାଣ କାରଖାନା: ବିସ୍ଫୋରଣରେ ଥରିଲା

Advertisment

ଉଡ଼ିଗଲା ଆଜ୍‌ବେଷ୍ଟସ୍‌ ଛାତ, ବାଣୁଆ ପିଅନ ଫେରାର୍‌

ଉଡ଼ିଗଲା ଆଜ୍‌ବେଷ୍ଟସ୍‌ ଛାତ, ବାଣୁଆ ପିଅନ ଫେରାର୍‌

ୟୁନିଟ୍‌-୨ ସରକାରୀ କ୍ବାର୍ଟର୍ସରେ ବାଣ କାରଖାନା: ବିସ୍ଫୋରଣରେ ଥରିଲା

ଭୁବନେଶ୍ବର : ଶୁଣିବାକୁ ଯେତିକି ବିସ୍ମୟକର, ସେତିକି ଅବିଶ୍ବସନୀୟ ଓ ଚାଞ୍ଚଲ୍ୟକର। କିନ୍ତୁ ଘଟଣାଟି ସତ। ଆଜି ରାଜଧାନୀରେ ଘଟଣାଟି ହୁଲୁସ୍ତୁଲ୍‌ କରିଛି। ରାଜଧାନୀରେ ସରକାରୀ କ୍ବାର୍ଟର୍ସରେ ଚାଲିଥିଲା ବାଣ ତିଆରି କାରଖାନା। ପୁଣି ୟୁନିଟ୍‌-୨ ଭଳି ରାଜଧାନୀର କେନ୍ଦ୍ରସ୍ଥଳରେ। ବହୁ ବର୍ଷ ଧରି ଲୋକସେବା ଭବନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏଭଳି ସଙ୍ଗିନ୍‌ କାମ ଚଳାଇଥିଲେ। ଏକ କଲୋନି ଭିତରେ ଏହି ଭୟଙ୍କର କାଣ୍ଡ ଚାଲିଥିଲେ ବି କେହି ମୁହଁ ଖୋଲୁ ନଥିଲେ। ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ବି ସେ ଥିଲେ ବେଶ୍ ପ୍ରଭାବଶାଳୀ। ତେଣୁ ତାଙ୍କ ବାଣ କାରଖାନା ବେଧଡ଼କ ଚାଲିଥିଲା। ହେଲେ ଆଜି ସକାଳୁ ଉକ୍ତ କ୍ବାର୍ଟର୍ସରେ ବିସ୍ଫୋରଣ ହେବାରୁ କଥା ପ୍ରଘଟ ହୋଇଛି। ବିସ୍ଫୋରଣରେ କେହି ମୃତାହତ ହୋଇ ନଥିଲେ ହେଁ ବାଣ ତିଆରି ହେଉଥିବା ଘରର ଆଜ୍‌ବେଷ୍ଟସ୍‌ ଛାତ ଉଡ଼ିଯାଇଛି ଏବଂ ଘର ଭିତରେ ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ କର୍ମଚାରୀଜଣଙ୍କ ଫେରାର୍ ହୋଇଯାଇଛନ୍ତି।

ଗୁରୁବାର ଭୋର ସମୟ। ୟୁନିଟ୍‌-୨ ଅଞ୍ଚଳରେ କିଏ ଫୁଲ ତୋଳୁଥିଲେ ତ କିଏ ମର୍ଣ୍ଣିଂୱାକ୍‌ରେ ଚାଲିଥିଲେ। ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଉଠିଲା। ଭଙ୍ଗା ଆଜ୍‌ବେଷ୍ଟସ୍‌ ଖଣ୍ଡ ଖଣ୍ଡ ଆକାଶରେ ଉଡ଼ିଲା ଓ ତଳେ ପଡ଼ିଲା। ମୁଣ୍ଡାମୁଣ୍ଡା ନିଆଁହୁଳା ଚାରିଆଡ଼େ ବିଛାଡ଼ି ହୋଇଗଲା। ଏଭଳି ଭୟଙ୍କର ଦୃଶ୍ୟ ଦେଖି ଲୋକମାନେ ଜୀବନ ବିକଳରେ ଦୌଡ଼ାଦୌଡ଼ି କରିଥିଲେ। ହଠାତ୍ କେହି କିଛି ବୁଝିପାରି ନଥିଲେ। କୌଣସି ବଡ଼ଧରଣର ଅଘଟଣ ଘଟିବା ଆଶଙ୍କାରେ ଉକ୍ତ ଅଞ୍ଚଳରେ କିଛି ସମୟ ପାଇଁ ‌କୋକୁଆଭୟ ଖେଳି ଯାଇଥିଲା। ଲୋକେ ଘର ବନ୍ଦ କରି ଭିତରେ ରହିଯାଇଥିଲେ। ତେବେ ପ୍ରାୟ ୧୫ମିନିଟ୍‌ ପରେ ଭୟଙ୍କର ଶବ୍ଦ ବନ୍ଦ ହୋଇଯିବାରୁ ଲୋକେ ଘଟଣା କ’ଣ ଜାଣିବାକୁ ପଦାକୁ ଗୋଡ଼ କାଢ଼ିଥିଲେ। ପରେ ଜଣାପଡ଼ିଲା ଯେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଚିତ୍ତରଂଜନ ଲେଙ୍କାଙ୍କ କ୍ବାର୍ଟର୍ସରେ ବାଣ ବିସ୍ଫୋରଣ ହୋଇଛି।

publive-image
ସୂଚନା ମୁତାବକ, ଲୋକସେବା ଭବନରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଚିତ୍ତ ପରିବାର ସହ କ୍ବାର୍ଟର୍ସ ଟାଇପ୍‌-୨, ୧୩/୨ରେ ରହୁଛନ୍ତି। ଦୀର୍ଘ ବର୍ଷ ହେବ, ସେ ଏହି କ୍ବାର୍ଟର୍ସକୁ ଲଗାଇ ଏକ ଗ୍ୟାରେଜ୍‌ ଘର କରିଥିଲେ। କିନ୍ତୁ ଭିତରେ ବାଣ ତିଆରି କରୁଥିଲେ ଏବଂ ବ୍ୟବସାୟ କରୁଥିଲେ। ଏବେ ବିବାହ ଋତୁ ଚାଲୁଥିବାରୁ ଚିତ୍ତ ଉକ୍ତ ଘରେ ବିପୁଳ ବାଣ ଗଚ୍ଛିତ ରଖିଥିଲେ। କୌଣସି କାରଣରୁ ଆଜି ଉକ୍ତ ଘରେ ନିଆଁ ଲାଗିଯାଇଥିଲା। ଅସ୍ଥାୟୀ ଘରେ ଅସ୍ଥାୟୀ ବିଦ୍ୟୁତ୍ ୱେୟାରିଂ ହୋଇଥିବାରୁ ସର୍ଟ ସର୍କିଟ୍‌ ହୋଇଥିବା ସନ୍ଦେହ କରାଯାଉଛି। ନିଆଁ ଲାଗିଯିବାରୁ ବାଣଗୁଡ଼ିକ ଫୁଟିବାକୁ ଲାଗିଥିଲା। କିଛି ବୋମା ଭଳି ବାଣ ବିସ୍ଫୋରଣ ହୋଇଥିଲା। ଭୋର୍‌ ୫ଟାରେ ଘଟିଥିବା ଏଭଳି ଆକସ୍ମିକ କାଣ୍ଡରେ ପୂରା ଅଞ୍ଚଳ ଥରି ଉଠିଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଓ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧଘଣ୍ଟାର ଅପରେସନ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର ୩ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ସେମାନେ ପୁଲିସରେ ଅଭିଯୋଗ କରିନଥିଲେ ବି ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। କ୍ୟାପିଟାଲ୍‌ ଥାନା ପୁଲିସ କେସ୍‌ ନଂ-୩୦୨ରେ ଆଇପିସି ଦଫା ୨୮୬ ଏବଂ ୯(ବି) ବିସ୍ଫୋରଣ ଆକ୍ଟ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଚିତ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe