ସୁରତ ଅଗ୍ନିକାଣ୍ଡ ପରେ ଚେତିଲା ଅଗ୍ନିଶମ ବିଭାଗ, କୋଚିଂ ସେଣ୍ଟରରେ ହେବ ଚଢ଼ଉ

ବିଡିଏ, ବିଏମ୍‌ସି କି ଶିକ୍ଷା ବିଭାଗ କାହାର ନଜର ନାହିଁ, ହସ୍ପିଟାଲ, ସପିଂ ମଲ୍‌ରେ ଲୋକଦେଖାଣିଆ ଯାଞ୍ଚ ଭଳି ହେବନି ତ!

ସୁରତ ଅଗ୍ନିକାଣ୍ଡ ପରେ ଚେତିଲା ଅଗ୍ନିଶମ ବିଭାଗ, କୋଚିଂ ସେଣ୍ଟରରେ ହେବ ଚଢ଼ଉ

Odisha Sun Times

ଭୁବନେଶ୍ବର : ସୁରତର ଏକ କୋଚିଂ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୨ଜଣ ଛାତ୍ରଛାତ୍ରୀଙ୍କର ଅକାଳ ମୃତ୍ୟୁ ହେବା ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ହଠାତ୍ ଚେଇଁ ଉଠିଛି। ରାଜଧାନୀରେ ‌କୋଚିଂ ସେଣ୍ଟରଗୁଡ଼ିକର ସ୍ଥିତି କ’ଣ ଅଛି, କିପରି ଚାଲିଛି, ଛାତ୍ରଛାତ୍ରୀଙ୍କ ପାଇଁ ଏହା କେତେ ସୁରକ୍ଷିତ, ଅଗ୍ନି ନିର୍ବାପକ ଯନ୍ତ୍ର ଅଛି ନା ନାହିଁ, ସେଗୁଡ଼ିକ କାମ କରୁଛି କି ନାହିଁ, ଯଦି ହଠାତ୍ ଅଗ୍ନିକାଣ୍ଡ ହେଲା ତେବେ ବାହାରକୁ ବାହାରିବା ପାଇଁ ଜରୁରୀକାଳୀନ ଦ୍ବାର ଅଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ ଅଣ୍ଟା ଭିଡ଼ିଛି ଅଗ୍ନିଶମ ବିଭାଗ।

ଭୁବନେଶ୍ବରରେ ପ୍ରାୟ ୫୦୦ରୁ ଅଧିକ କୋଚିଂ ସେଣ୍ଟର ଥିବା ବେଳେ ୩୦୦ରୁ ଅଧିକ ସେଣ୍ଟର ଉଚ୍ଚ ଅଟ୍ଟାଳିକାରେ ଚାଲିଛି। ବହୁ ଜାତୀୟସ୍ତରର କୋଚିଂ ଅନୁଷ୍ଠାନ ଏଠାରେ ତାଙ୍କର ଶାଖା ଖୋଲିଛନ୍ତି। ଏହାବାଦ୍ ବହୁ ସ୍କୁଲ, ଆବାସିକ କଲେଜ ଛୁଟି ହେବା ପରେ କୋଚିଂ ସେଣ୍ଟର ଭଳି ଚାଲୁଛି। ସତ୍ୟନଗର, ଖାରବେଳ ନଗର, ଶାସ୍ତ୍ରୀ ନଗର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ସହିଦନଗର, ଖଣ୍ଡଗିରି, ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର ଭଳି ଅଞ୍ଚଳରେ ମାଳମାଳ କୋଚିଂ ସେଣ୍ଟର ଥିବା ବେଳେ ଏଠାରେ ସକାଳେ ଓ ସଞ୍ଜରେ ବିଭିନ୍ନ ସିଟିଂରେ ହଜାର ହଜାର ପିଲା ପାଠ ପଢ଼ୁଛନ୍ତି। ବହୁ ସ୍ଥାନରେ ସ୍ଥାନାଭାବ ଥିବାରୁ କୋଚିଂ ସେଣ୍ଟରଗୁଡ଼ିକ ସଂକୀର୍ଣ୍ଣ ଅଞ୍ଚଳରେ ଚାଲିଛି। ଗୋଟିଏ ସଂକୀର୍ଣ୍ଣ ଶିଡ଼ି ଦେଇ ପିଲାମାନେ ଯାତାୟାତ କରୁଛନ୍ତି। ଏପରିକି ବହୁ ସ୍ଥାନରେ ଗୋଟିଏ କବାଟ ଓ ଗୋଟିଏ ଝରକା ରହିଛି। ଏପରି ସ୍ଥିତିରେ କୌଣସି ଅଘଟଣ ଘଟିଲେ ଛାତ୍ରଛାତ୍ରୀ ହଠାତ୍ ବାହାରକୁ ବାହାରିବା ସମ୍ଭବ ନୁହେଁ।

ବିଡିଏ କର୍ତ୍ତୃପକ୍ଷ ଘର ନିର୍ମାଣ ପାଇଁ ପ୍ଲାନ୍ ଦେବା ବେଳେ ଯେଉଁ କୋଠାକୁ ଆବାସିକ ପ୍ଲାନିଂ ଦେଉଛନ୍ତି, ତାହାକୁ ପରବର୍ତ୍ତୀ ସମୟରେ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଯେଉଁଥିପାଇଁ ୫ରୁ ୧୦ଜଣ ଲୋକଙ୍କ ପାଇଁ ନିର୍ମାଣ ହେଉଥିବା ଘରକୁ ୨୦୦ରୁ ୫୦୦ ପର୍ଯ୍ୟନ୍ତ ପିଲା ବ୍ୟବହାର କରୁଛନ୍ତି। ସେହିପରି ଉଚ୍ଚଶିକ୍ଷା କି ଗଣଶିକ୍ଷା ବିଭାଗ ଏନେଇ ମୁଣ୍ଡ ଖେଳାଉ ନଥିବା ବେଳେ ଅଗ୍ନିଶମ ବିଭାଗ ବି ସମ୍ଭାବ୍ୟ ବିପଦକୁ ନଜରରେ ରଖି କିଛି ପଦକ୍ଷେପ ନେଉନି। ଯାହାର ଫାଇଦା ଉଠାଇ କୋଚିଂ ସେଣ୍ଟର ମାଲିକମାନେ ଦୈନିକ ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇ ଚାଲିଛନ୍ତି।

ଅଗ୍ନିଶମ ବିଭାଗ ସୋମବାରଠାରୁ କୋଚିଂ ସେଣ୍ଟରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ଏହାର ଯାଞ୍ଚ ଶୈଳୀ ପୂର୍ବରୁ ହୋଇଥିବା ହୋଟେଲ, ବ୍ୟାଙ୍କ, ସପିଂ ମଲ୍‌, ହସ୍ପିଟାଲ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଭଳି ହେବ ନାହିଁ ତ! ଖାଲି ନାଲି ଆଖି ଦେଖାଇ କର୍ତ୍ତୃପକ୍ଷ ରହିଯିବେନି ତ! ଲୋକଦେଖାଣିଆ ଯାଞ୍ଚ ଆରମ୍ଭ କରି ପୁଣି ଶୋଇଯିବେନି ତ! ଏହିଭଳି ଅନେକ ପ୍ରଶ୍ନ ଏବେ ଉଠିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe