ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ: ୧୦ ଦିନରେ ୧୪ ବନାଗ୍ନି

Advertisment

ଜୀବଜନ୍ତୁ ସୁରକ୍ଷିତ, ଗୁଳ୍ମ ପ୍ରଜାତି ନଷ୍ଟ

ଜୀବଜନ୍ତୁ ସୁରକ୍ଷିତ, ଗୁଳ୍ମ ପ୍ରଜାତି ନଷ୍ଟ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ: ୧୦ ଦିନରେ ୧୪ ବନାଗ୍ନି

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ତ ଆଉ କେତେବେଳେ କୁଜିମହଲ ବିଟ୍‌ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ୨୪ ଦିନ ହେଲା ଅଭୟାରଣ୍ୟରେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ ଅସାମାଜିକତତ୍ତ୍ବଙ୍କୁ ଠାବ କରିବାରେ ବନ ବିଭାଗ ବିଫଳ ହୋଇଛି। ଫଳରେ ଗୋଟିଏ ସ୍ଥାନରୁ ନିଆଁ ଲିଭୁଣୁ ଅନ୍ୟ ସ୍ଥାନରେ ଜଳୁଛି। ବନ୍ୟପ୍ରାଣୀଙ୍କ ଲାଗି ଏବେ ବିପଦ ସୃଷ୍ଟି ହୋଇଥିବାରୁ ସେମାନେ ଗାଁ ଓ ସହରମୁହାଁ ହେଲେଣି। ହରିଣ, କୁଟୁରା, ବାର୍‌ହା, ମୟୂର, ଠେକୁଆ‌ ଭଳି ବନ୍ୟପ୍ରାଣୀ ଗାଁ ଗଣ୍ଡାକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। କେବଳ ନିଆଁ ନୁହେଁ, ଅଭୟାରଣ୍ୟରେ ଏବେ ପାଣି ସମସ୍ୟା ଦେଖାଦେଲାଣି। ପୋଖରୀଗୁଡ଼ିକ ଶୁଖିଯାଇଥିବା ବେଳେ ଡେରାସ, ଝୁମୁକା ଭଳି ଡ୍ୟାମ୍‌ର ଜଳସ୍ତର ପୂର୍ବବର୍ଷ ତୁଳନାରେ ୨ରୁ ୪ଫୁଟ୍ ତଳକୁ ଖସିଥିବା ଦେଖିବାକୁ ମିଳିଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଗତ ୧୦ ଦିନରେ ଅଭୟାରଣ୍ୟର ୧୪ଟି ସ୍ଥାନରେ ନିଆଁ ଲାଗିଲାଣି। ସେଥିମଧ୍ୟରୁ ଡମପଡ଼ା ରେଞ୍ଜ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଭୟାରଣ୍ୟରେ ଯେତିକି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଅର୍ଦ୍ଧାଧିକ କେବଳ ଡମପଡ଼ା ରେଞ୍ଜରେ। ଦୁଇଟି ବଡ଼ଧରଣର ଜଙ୍ଗଲ ନିଆଁ ନଜରକୁ ଆସିଛି। ନିଆଁର ପ୍ରଭାବ ସେତେଟା ନ ଥିଲେ ମଧ୍ୟ ବହୁ ପରିମାଣରେ ଛୋଟ ଛୋଟ ଗଛ ପ୍ରଭାବିତ ହୋଇଛି। ୨୧ ତାରିଖ ଦିନ ଚନ୍ଦକା ରେଞ୍ଜର ୬ଟି ସ୍ଥାନ ଓ ୨୨ ତାରିଖରେ ଡମପଡ଼ା ରେଞ୍ଜର ଦୁଇଟି ସ୍ଥାନରେ ଜଙ୍ଗଲ ଜଳୁଥିବା ସମ୍ପର୍କରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ତଥ୍ୟ କହୁଛି। ୮ଟି ଯାକ ବନାଗ୍ନି ଏବେ ଆୟତ୍ତରେ ରହିଛି। ଗତ ୧୭ତାରିଖରେ ଡମପଡ଼ା ରେଞ୍ଜର ପିଠାଖିଆ ବିଟ୍ ଏବଂ ୧୪ ତାରିଖରେ ଗୟଳବାଙ୍କ ଓ ଭଗାଇପୁର ବିଟ୍‌ରେ ନିଆଁ ଲାଗିଥିଲା। ଯେଉଁଥିରେ ଅନେକ ଔଷଧୀୟ ବୃକ୍ଷ ନଷ୍ଟ ହୋଇଛି।

ବଡ଼ ଗଛଗୁଡ଼ିକ ନିଆଁରୁ ରକ୍ଷା ପାଇ ଯାଇଥିଲେ ମଧ୍ୟ ପତ୍ର ଓ ଡାଳ କେତେକ ସ୍ଥାନରେ ଜଳିପୋଡ଼ି ପାଉଁଶ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇ ନଥିବା ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ବନ ଅଧିକାରୀଙ୍କ କହିବାନୁଯା‌ୟୀ ଅଭୟାରଣ୍ୟରେ ଲାଗୁଥିବା ନିଆଁ ମନୁଷ୍ୟକୃତ। ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଅସାମାଜିକତତ୍ତ୍ବମାନେ ଜଙ୍ଗଲରୁ କାଠ ଚୋରି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆଁ ଲଗାଇ ଦେଉଛନ୍ତି। ସେମାନଙ୍କୁ ଜଗିବାକୁ ବନ କର୍ମଚାରୀମାନେ ଦିନରାତି ପହରା ଦେଉଛନ୍ତି। ଡ୍ରୋନ୍‌ ସହାୟତାରେ ଜଙ୍ଗଲ ଉପରେ ନଜର ରଖାଯାଇଛି। ନିଆଁ ଲାଗିଥିବା ନେଇ ଏଫ୍‌ଏସ୍‌ଆଇରୁ ରିପୋର୍ଟ ମିଳିବା କ୍ଷଣି ବନ କର୍ମଚାରୀମାନେ ତାହାକୁ ଲିଭାଉଛନ୍ତି। ଯେଉଁଥିପାଇଁ ଏବେ ସୁଦ୍ଧା ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇନାହିଁ। ଜଙ୍ଗଲ ଭିତରେ ୫ଟି ଗାଁର ଲୋକେ ରହୁଥିବାରୁ ଏଭଳି ସମସ୍ୟା ହେଉଛି। ଜନସାଧାରଣଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe