ତାଲାବନ୍ଦ ବେଳେ ଅଗ୍ନିକାଣ୍ଡ : ଏଜି ଛକରେ ଜଳିଗଲା ୭ ଦୋକାନ

Advertisment
ତାଲାବନ୍ଦ ବେଳେ ଅଗ୍ନିକାଣ୍ଡ : ଏଜି ଛକରେ ଜଳିଗଲା ୭ ଦୋକାନ

ଭୁବନେଶ୍ବର : ସହରରେ କୋଭିଡ୍‌-୧୯ ପାଇଁ ତାଲାବନ୍ଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଜି ଛକରେ ଥିବା ୭ଟି ଦୋକାନ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଦୋକାନ ପାଖରେ ଥିବା ଆଉ ଗୋଟିଏ ଦୋକାନ ମଧ୍ୟ ଆଂଶିକ ପ୍ରଭାବିତ ହୋଇଛି। ଅନ୍ୟ ଦୋକାନଗୁଡ଼ିକ ଜଳିଯିବା ପୂର୍ବରୁ ଅଗ୍ନିଶମ ସେବା ସଂସ୍ଥାର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ଦୋକାନ ବନ୍ଦ ଥିଲା। ବିଜୁଳି ସଂଯୋଗ ମଧ୍ୟ ନ ଥିଲା। ଏଣୁ ନିଆଁ କିଭଳି ଲାଗିଲା ସେ ନେଇ କୌଣସି ସଠିକ୍‌ କାରଣ ଜଣାପଡ଼ି ନାହିଁ। ତେବେ ଦୋକାନ ପଛରେ କେହି ସିଗାରେଟ୍‌ କିମ୍ବା ଗଞ୍ଜେଇ ଖାଇ ନିଆଁ ପକାଇ ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ୪ଟି ଦୋକାନର ଜଳି ଯାଇଥିବା ସାମଗ୍ରୀର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। କୋଭିଡ୍‌-୧୯ ମୁକାବିଲା ପାଇଁ ତାଲାବନ୍ଦ ଚାଲୁଥିବାରୁ ମାଲିକମାନେ ଯାଞ୍ଚ କରିପାରି ନାହାନ୍ତି। ସେମାନେ ଯାଞ୍ଚ କରିବା ପରେ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇ ପାରିବ ବୋଲି କୁହାଯାଉଛି।

ସୂଚନା ମୁତାବକ, ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍‌ରେ ଏକ ପାନ ପଛପଟୁ ନିଆଁ ଜଳିବା ଆରମ୍ଭ ହୋଇଥିଲା। ଚାହୁ ଚାହୁ ହୁତ୍‌ହୁତ୍‌ ହୋଇ ନିଆଁ ଜଳି ଉଠିଥିଲା। ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପୀ ଯାଇଥିଲା। ପ୍ରଥମେ ପାନ ଦୋକାନରେ ନିଆଁ ଲାଗିଥିଲା। ପରେ ଗୋଟିଏ ସେଲୁନ୍‌, ଆୟୁର୍ବେଦ ଔଷଧ ଦୋକାନ, ଏକ ଗ୍ୟାରେଜ୍‌ ଓ ପରେ ୩ଟି ଫୁଲ ଦୋକାନ ନିଆଁ ଧରିଥିଲା। ତେବେ ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ୪ଟି ଦମକଳ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ଏକଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଗୋଟିଏ ପଟେ କୋଭିଡ୍‌-୧୯ ମୁକାବିଲା ପାଇଁ ଦୋକାନ ବନ୍ଦ ଥିବାରୁ ରୋଜଗାର ଠପ୍‌ ହୋଇଯାଇଛି। ତା’ ଉପରେ ଏହି ଅଘଟଣ ପରିବାର ପ୍ରତିପୋଷଣ ପାଇଁ ଏକ ବଡ଼ ସମସ୍ୟା ଛିଡ଼ା କରିଛି ବୋଲି ପାନ ଦୋକାନୀ ସୁବାସ ଜେନା କହିଛନ୍ତି। ସେହିଭଳି ଗ୍ୟାରେଜ୍‌ କରିଥିବା ମହେନ୍ଦ୍ର ଦାସ ଓ ଫୁଲ ଦୋକାନ କରିଥିବା ବଟକୃଷ୍ଣ ସାହୁ ମଧ୍ୟ ଅନୁରୂପ ଆଶଙ୍କା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe