ସକାଳୁ ନିଆଁବର୍ଷା: ତାତିରେ ଆଉଟୁପାଉଟୁ ରାଜଧାନୀବାସୀ

Advertisment
ସକାଳୁ ନିଆଁବର୍ଷା: ତାତିରେ ଆଉଟୁପାଉଟୁ ରାଜଧାନୀବାସୀ

ଭୁବନେଶ୍ବର: ସକାଳ ସାଢ଼େ ୮ଟା ‌ହେବା କ୍ଷଣି ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭୂତ ହେଉଥିଲା। ତାପମାତ୍ରା ୩୨.୬ ଡିଗ୍ରିରେ ପହଞ୍ଚି ଯାଇଥିଲା। ଦିନ ବଢ଼ିବା ସହିତ ତାପମାତ୍ରା ମଧ୍ୟ ବଢ଼ିଚାଲିଥିଲା। ସାଢ଼େ ୧୧ଟା ବେଳକୁ ସହରର ତାପମାତ୍ରା ୪୦ ଡିଗ୍ରି ପାଖାପାଖି ପହଞ୍ଚିଥିଲା। ଘରୁ ବାହାରିବା କ୍ଷଣି ତାତି ସାଙ୍ଗକୁ ଝା‌ଞ୍ଜି ମାଡ଼ରେ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ରାସ୍ତାଘାଟ ମଧ୍ୟ ଶୂନଶାନ ହୋଇଯାଇଥିଲା। ମଝିରେ ମଝିରେ କୋହଲା ପାଗ ରହୁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ତାତି ଉପରେ ପଡ଼ି ନ ଥିଲା। ଅପରାହ୍ଣ ସାଢ଼େ ଦୁଇଟା ବେଳକୁ ସହରର ଅଧିକାଂଶ ଅଞ୍ଚଳରେ ରାସ୍ତା‌ ସମ୍ପୂର୍ଣ୍ଣ ଫାଙ୍କା ହୋଇଯାଇଥିଲା। ପାରଦ ୪୧.୯ ଡିଗ୍ରି ପହଞ୍ଚିଥିବାରୁ କାଁ ଭ‌ାଁ ଗାଡ଼ି ମଟର ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳିଥିଲା। ଯେଉଁମାନେ ଜରୁରୀ କାମ ପାଇଁ ଘରୁ ବାହାରୁଥିଲେ ସେମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଥିଲେ।

ଚିନ୍ତାର ବିଷୟ ହେଉଛି ଯେ ଆଜି ଭୁବନେଶ୍ବର ତାପମାତ୍ରା‌ ସ୍ବାଭାବିକଠାରୁ ୪.୧ ଡିଗ୍ରି ଅଧିକ ରହିଥିଲା। ଅର୍ଥାତ୍‌ ଆଜିର ଦିନରେ ଦିନର ତାପମାତ୍ରା ୩୭.୮ ଡିଗ୍ରି ରହିବା କଥା। ମାତ୍ର ତା’ଠାରୁ ଅଧିକ ରହିଥିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୧୭ରୁ ୨୦ ତାରିଖ ମଧ୍ୟରେ ଭୁବନେଶ୍ବରରେ ଦିନର ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ୧୭ ତାରିଖରେ ୪୨ ଡିଗ୍ରି ରହିବାକୁ ଥିବା ବେଳେ ୧୮ ଓ ୧୯ ତାରିଖରେ ୪୩ ଡିଗ୍ରି ଏବଂ ୨୦ ତାରିଖରେ ୪୧ ଡିଗ୍ରି ରହିବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ଉତ୍ତାପ ସହନଶୀଳ ହୋଇଥିଲେ ମଧ୍ୟ ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କ ପାଇଁ ଚିନ୍ତାଜନକ ରହିବ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ଗରମ ଏବଂ ଗୁଳୁଗୁଳି ପ୍ରଭାବରେ ଦେହ ହାତ ଫଳିଯିବା ତଥା ଅସୁସ୍ଥ କିମ୍ବା ଅଣନିଶ୍ୱାସୀ ଅନୁଭବ ହୋଇପାରେ। ତେଣୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଦୁର୍ବଳତା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ବାନ୍ତି, ଅଣନିଶ୍ୱାସୀ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତର/ଡାକ୍ତରଖାନାର ପରାମର୍ଶ ନିଅନ୍ତୁ। ମଦ୍ୟପାନ, ଚା, କଫି ଓ କାର୍ବୋନେଟେଡ୍ ମୃଦୁ ପାନୀୟରୁ ଦୂରେଇ ରୁହନ୍ତୁ। ଏହା ଶରୀରକୁ ଡିହାଇଡ୍ରେଟ୍ କରିଥାଏ। ତେଣୁ ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ବାସି ଖାଦ୍ୟ ଖାଆନ୍ତୁ ନାହିଁ। ପିଲାଙ୍କୁ କିମ୍ବା ଗୃହପାଳିତ ପଶୁଙ୍କୁ ପାର୍କିଂ ଗାଡ଼ିରେ ଛାଡନ୍ତୁ ନାହିଁ। ଉଚ୍ଚ ଆର୍ଦ୍ରତା ଓ ତାପମାତ୍ରା ଅଞ୍ଚଳରେ ଦୀର୍ଘ ସମୟ ଧରି ରହିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe