ପାର୍ଟପ୍ଲଟ୍‌ ପଞ୍ଜୀକରଣ ‌କେଳେଙ୍କାରୀର ପ୍ରଥମ କାର୍ଯ୍ୟାନୁଷ୍ଠାନ: ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ନିଲମ୍ବିତ

Advertisment

କଟକଣା ଲାଗିଥିବା ବେଳେ ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ୍‌ କେଳେଙ୍କାରୀର ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋଇଛି। ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ ବିଶ୍ବଜିତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର।

କଟକଣା ଲାଗିଥିବା ବେଳେ ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ୍‌ କେଳେଙ୍କାରୀର ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋଇଛି। ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ ବିଶ୍ବଜିତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର।

hkkfhfhk

ଖଣ୍ଡଗିରି: କଟକଣା ଲାଗିଥିବା ବେଳେ ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ୍‌ କେଳେଙ୍କାରୀର ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋଇଛି। ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ ବିଶ୍ବଜିତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ସମୟ‌ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତାଙ୍କର ମୁଖ୍ୟାଳୟ ହେବ। ଜିଲ୍ଲାପାଳଙ୍କ ବିନାନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। କଟକଣା ସମୟରେ ଖଣ୍ଡଗିରି ସମେତ ଅନ୍ୟ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ମଧ୍ୟ ହାତଗୁଞ୍ଜା ନେଇ ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ ଚାଲିଥିଲା। ଏଭଳି ୩୧ ଅଧିକାରୀଙ୍କ ତାଲିକା ସରକାରଙ୍କ ପାଖରେ ପହଞ୍ଚିଛି। ଆଜି ଏହି ପ୍ରଥମ କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ ୩୦ ଅଧିକାରୀ ପ୍ରମାଦ ଗଣିଛନ୍ତି।

ପାର୍ଟପ୍ଲଟ୍‌ ବା ଆଂଶିକ ପ୍ଲଟ୍‌ ପଞ୍ଜୀକରଣ ଉପରେ କଟକଣା ଲାଗିଥିଲା। ଏକ ବଡ଼ ପ୍ଲଟ୍‌କୁ ଭାଗ ଭାଗ କରି ବିକିବା ପାଇଁ ହେଲେ ସମ୍ପୃକ୍ତ ଆଂଶିକ ଜମିର ଲେଆଉଟ୍‌ ପ୍ଲାନ୍‌ ଅନୁୁମୋଦନ କରାଇବାକୁ ହେଉଥିଲା। ଧାର୍ଯ୍ୟ ମାପର ରାସ୍ତା ନଥିଲେ ଅନୁମୋଦନ ମିଳୁନଥିଲା। କିନ୍ତୁ ହାତଗୁଞ୍ଜା ନେଇ ସବ୍‌ରେଜିଷ୍ଟ୍ରାର୍‌ମାନେ ପଞ୍ଜୀକରଣ କରାଇଦେଉଥିଲେ। ଗତ ଡିସେମ୍ବର ୯ ତାରିଖରେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଦେବଯାନୀ କର ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ ୧୫ ଲକ୍ଷ ଟଙ୍କା  ନଗଦ ଟଙ୍କା ଜବତ କରିଥିଲା। ଏହି ଘଟଣାରୁ ପ୍ରତ୍ୟେକ ଅଫିସ୍‌ରେ ଲାଞ୍ଚ କାରବାର ଚାଲିଥିବା ପ୍ରମାଣିତ ହୋଇଥିଲା।

ପାର୍ଟପ୍ଲଟ୍‌ ବିକ୍ରି ଉପରେ ୨୦୨୨ରେ କଟକଣା ଲାଗିଥିଲା। ‌୨୦୨୨ରୁ ୨୦୨୪ ମଧ୍ୟରେ ବା କଟକଣା ସମୟରେ କେଉଁ କାର୍ଯ୍ୟାଳୟରେ କେତେ ପାର୍ଟ ପ୍ଲଟ୍‌ ପଞ୍ଜୀକୃତ ହୋଇଛି ତାହାର ତଥ୍ୟ ତଲବ କରିଥିଲେ ରାଜ୍ୟ ସରକାର। ତଥ୍ୟ ମୁତାବକ, ଏହି ସମୟରେ ଓଡ଼ିଶା‌ରେ ୨୨ହଜାର ୧୫୦ ସବ୍‌ ବା ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ୍‌ ହୋଇଥିଲା। ଜଟଣୀରେ ସର୍ବାଧିକ ୭ହଜାର ୩ଶହ ପଞ୍ଜୀକୃତ ହୋଇଥିବା ବେଳେ ଭୁବନେଶ୍ବରରେ ୭ହଜାର ୨ଶହ, ଖଣ୍ଡଗିରିରେ ୪ହଜାର ୫ଶହ, ଖୋର୍ଦ୍ଧାରେ ୧୩୦୦, ବାଲିପାଟଣାରେ ୮୮୬ ଏବଂ ବାଲିଅନ୍ତାରେ ୪୫୩ଟି ପଞ୍ଜୀକୃତ ହୋଇଥିଲା। ଏହି ସବୁ ରେଜିଷ୍ଟ୍ରେସନରେ ଅଧିକାରୀମାନେ ତଳିଆ କର୍ମଚାରୀଙ୍କ ଜରିଆରେ ମୋଟା ଅଙ୍କର ଅର୍ଥ ହାତେଇଥିବା ଜଣାପଡ଼ିଥିଲା। ୨୨ହଜାର ୧୫୦ଟି ପ୍ଲଟ୍‌ ପଞ୍ଜୀକରଣ ପାଇଁ ମୋଟ ୧୧୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ହିସାବରୁ ଜଣାପଡ଼ିଥିଲା। ଏଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଥିଲା। ଯେଉଁ ସବୁ ଅଧିକାରୀଙ୍କ ସମୟରେ ଏହି କାରବାର ହୋଇଥିଲା ସେମାନଙ୍କର ତାଲିକା କରାଯାଇଥିଲା। ଏହି ତାଲିକାରେ ୩୧ ଜଣ ଅଧିକାରୀ ରହିଥିଲେ। ଏ ସମସ୍ତ ଅଧିକାରୀଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ଥୟ ହୋଇଛି। ଲାଞ୍ଚ କାରବାର ଧରାପଡ଼ିଥିବା ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ସରକାର।  ଉପରୋକ୍ତ ସମସ୍ତ ତତ୍‌କାଳୀନ ସବ୍‌ରେଜିଷ୍ଟ୍ରାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। 

ଅନ୍ୟପଟେ ଲାଞ୍ଚ କାରବାରରେ ମହିଳା କର୍ମଚାରୀ ଧରାପଡ଼ିବା ପରେ ଏହି ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ବିଧିବଦ୍ଧ ଭାବରେ ଏହି ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନକୁ କୋହଳ କରିବାକୁ ସରକାର ଯୋଜନା କରିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଛି। ଖୁବ୍‌ଶୀଘ୍ର ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ ଆରମ୍ଭ ହେବ ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମାନ୍ତରାଳ ଭାବରେ ଚାଲିବ ବୋଲି ରାଜସ୍ବ ବିଭାଗର  ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe