ଆଜି ଶ୍ରାବଣର ପ୍ରଥମ ସୋମବାର: ଏକାମ୍ର କ୍ଷେତ୍ରରେ ଜମିଲାଣି କାଉଡ଼ିଆଙ୍କ ଭିଡ଼

Advertisment
ଆଜି ଶ୍ରାବଣର ପ୍ରଥମ ସୋମବାର: ଏକାମ୍ର କ୍ଷେତ୍ରରେ ଜମିଲାଣି କାଉଡ଼ିଆଙ୍କ ଭିଡ଼

ପୁରୁଣା ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ଛୁଟି ଆସିଛନ୍ତି। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ର‌ରେ ପହଞ୍ଚିଛନ୍ତି। ରାତି ପାହିବା ମାତ୍ରେ ସେମାନେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିବେ। ବହୁ କାଉଡ଼ିଆ ଏକାମ୍ର କ୍ଷେତ୍ର ସ୍ଥିତ ଅନ୍ୟ ଶିବ ମନ୍ଦିରରେ ବି ପାଣି ଢାଳିବେ। ସନ୍ଧ୍ୟା ସୁଦ୍ଧା କରାଯାଇଥିବା ଆକଳନ ଅନୁସାରେ ଆସନ୍ତାକାଲି ପ୍ରାୟ ୫ ହଜାରୁ ଅଧିକ କାଉଡ଼ିଆ ଜଳଲାଗି କରିବେ।

publive-image

ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସବୁ ପ୍ରସ୍ତୁତି ସରିଛି। ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ୍‌ ବନ୍ଧା ଯାଇଛି। ମନ୍ଦିର ସିଂହଦ୍ବାରରୁ ଗଙ୍ଗାଯମୁନା ଆଡ଼କୁ ଯାଇଥିବା ରାସ୍ତା ପାର୍ଶ୍ବରେ ବ୍ୟାରିକେଡ୍‌ ବନ୍ଧା ହୋଇଛି। ସେହିପରି ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ଼୍‌ ବନ୍ଧା ହୋଇଛି। ସିଂହଦ୍ବାର ନିକଟରେ କାଉଡ଼ିଆଙ୍କ ବିଶ୍ରାମ ପାଇଁ ଛାମୁଣ୍ଡିଆ କରାଯାଇଛି। ମନ୍ଦିର ସମ୍ମୁଖରେ ପ୍ରାଥମିକ ଚିକିତ୍ସା ଶିବିର ଓ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ। ଭୋର୍‌ ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଲାଗିଥିବା ତମ୍ୱା ନଳରେ କାଉଡ଼ିଆମାନେ ତୀର୍ଥ ଜଳ ଢାଳିବେ। କାଉଡ଼ିଆ ଭିଡ଼ ସହ ଟ୍ରାଫିକ୍‍ ନିୟନ୍ତ୍ରଣ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe