Sambad English
ଭୁବନେଶ୍ବର: ଅତିଥି କରି କ୍ଲବ୍ ପିଲାମାନେ ଗଣେଶ ପୂଜାକୁ ନିମନ୍ତ୍ରଣ କଲେ ଓ ଭବ୍ୟ ସମ୍ବର୍ଦ୍ଧନା ବି ଦେଲେ। କିନ୍ତୁ ଫେରିବା ବେଳେ ବଟି ମାଗିଲେ। ୫୦ ହଜାର ଟଙ୍କାର ପୂଜା ଚାନ୍ଦା ଦେବା ପାଇଁ ଅସମର୍ଥତା ପ୍ରକାଶ କରିବାରୁ ଅତିଥିଙ୍କୁ ହେଲା ମାଡ଼। ବହେ ବାଡ଼େଇବା ପରେ ବି ମନ ଶାନ୍ତି ହେଲାନି ବୋଲି ଅତିଥିଙ୍କ କାର୍କୁ ବାଡ଼େଇ ଭାଙ୍ଗିଦେଲେ। ଭରତପୁର ଥାନାରେ ହୋଇଥିବା ଏଭଳି ଏକ ଅଭିଯୋଗ ଖଣ୍ଡଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ପୁଲିସ ବଟି ଆଦାୟ ଭଳି ମାମଲାକୁ ଗୁରୁତ୍ବର ସହ ନେଇ କ୍ଲବ୍ର ଜଣେ ସଦସ୍ୟକୁ ଥାନାରେ ଅଟକ ରଖିଛି।
ଘଟଣାଟି ଏମିତି। ଆକ୍ରମଣର ଶିକାର ହୋଇଥିବା ଜାଗମରା ଅଞ୍ଚଳର ବ୍ୟବସାୟୀ ଶଶିକାନ୍ତ ସାସମଲଙ୍କ ଅଭିଯୋଗ ମୁତାବକ ଭରତପୁର ଥାନା ଅଞ୍ଚଳର ଜୟଦେବ ୟୁଥ୍ କ୍ଲବ୍ର କିଛି ପିଲା ତାଙ୍କୁ ଗଣେଶ ପୂଜା ପାଇଁ ଅତିଥି କରି ଡାକିଥିଲେ। ନିମନ୍ତ୍ରଣ ରକ୍ଷା କରି ସେ ଗତ ୫ତାରିଖ ଦିନ ଉକ୍ତ କ୍ଲବ୍ର ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶଶିକାନ୍ତ ଓ ତାଙ୍କର କିଛି ସହଯୋଗୀ ସେଠାରେ ପହଞ୍ଚିବା ପରେ ତାଙ୍କୁ କ୍ଲବ୍ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଅତିଥି ସତ୍କାର କରିବା ପରେ କ୍ଲବ୍ ପକ୍ଷରୁ ତାଙ୍କୁ ୫୦ହଜାର ଟଙ୍କା ମଗାଯାଇଥିଲା। ମେଲୋଡି ପାଇଁ କ୍ଲବ୍ ସଦସ୍ୟମାନେ ତାଙ୍କୁ ଏହି ଟଙ୍କା ମାଗିଥିଲେ। ଶଶିକାନ୍ତ ଅସମର୍ଥତା ପ୍ରକାଶ କରିଥିଲେ ବି ୩୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। କିନ୍ତୁ ଏଥିରେ ଉତ୍କ୍ଷିପ୍ତ ହୋଇ କ୍ଲବ୍ର ବବୁଲୁ, ରାଜା, ଶିବ ଓ ଅନ୍ୟ ସଦସ୍ୟମାନେ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏମିତିକି ସେମାନଙ୍କ ଆକ୍ରମଣରୁ ତାଙ୍କ କାର୍ ବର୍ତ୍ତିନଥିଲା। ସେମାନେ କାର୍ର କାଚ ସବୁ ବାଡ଼େଇ ଭାଙ୍ଗି ପକାଇଥିଲେ। କୌଣସିମତେ ସେଠାରୁ ଖସି ଆସିବା ପରେ ଶଶିକାନ୍ତ ଭରତପୁର ଥାନାରେ ଅଭିଯୋଗ କରିଥିଲେ।
Follow Us