ବିଏମ୍‌ସିର ୩୬ ନମ୍ୱର ୱାର୍ଡ : ମୁଖ୍ୟ ସମସ୍ୟା ଅବ୍ୟବସ୍ଥିତ ମାଛ ମାର୍କେଟ୍‌

ବିଏମ୍‌ସିର ୩୬ ନମ୍ୱର ୱାର୍ଡ : ମୁଖ୍ୟ ସମସ୍ୟା ଅବ୍ୟବସ୍ଥିତ ମାଛ ମାର୍କେଟ୍‌

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ କେନ୍ଦ୍ରସ୍ଥଳ ବିଏମ୍‌ସିର ୩୬ ନମ୍ୱର ୱାର୍ଡ ଏକ ବ୍ୟସ୍ତବହୁଳ ଅଞ୍ଚଳ। ସହରର ପ୍ରମୁଖ ବଜାର, ସାଂସ୍କୃତିକ କେନ୍ଦ୍ର, ଧର୍ମାନୁଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ ଏହି ଅଞ୍ଚଳରେ ରହିଛି। ବିଶେଷକରି ରାଜଧାନୀର ବଡ଼ ଆମିଷ ବଜାର(ମାଛ ମାର୍କେଟ୍‌) ଏହି ୱାର୍ଡରେ ରହିଛି। ପାଇକାରୀ ମାଛ ବେପାରୀମାନଙ୍କ ପାଇଁ ପ୍ରତିଦିନ ଏଠାକୁ ଶହଶହ ଗାଡ଼ି ଆସୁଛି। ମାଛ, ମାଂସ, କଙ୍କଡ଼ା, ଚିକେନ୍‌, ଅଣ୍ଡା ପାଇଁ ପ୍ରତିଦିନ ଏହି ମାର୍କେଟ୍‌କୁ ବହୁ ଗ୍ରାହକ ଆସୁଛନ୍ତି। ତେଣୁ ଏହି ମାର୍କେଟ୍‌କୁ ସଂଯୋଗ କରୁଥିବା ପ୍ରାୟ ସବୁ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଏକ ବଡ଼ ସମସ୍ୟା। ଏବେ କର କ୍ଲିନିକ୍‌ ରାସ୍ତାରେ ସ୍ୱେରେଜ୍‌ କାମ ଚାଲିଥିବାରୁ ଅନ୍ୟ ରାସ୍ତାଗୁଡ଼ିକରେ ପ୍ରବଳ ଭିଡ଼ ହେଉଛି। ରାସ୍ତାରେ କିଛି କିଛି ଜବରଦଖଲ ଥିବା ବେଳେ ପ୍ରଶସ୍ତୀକରଣ ହେଉନଥିବାରୁ ସ୍ଥାନୀୟ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି।

publive-image

ମାର୍କେଟ୍‌କୁ ଆସୁଥିବା ଗ୍ରାହକମାନଙ୍କ ପାଇଁ ଭଲ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଲୋକେ ଗାଡ଼ି ରଖି ଅଧିକ ଭିଡ଼ କରୁଛନ୍ତି। ଏହି ମାର୍କେଟ୍‌ ଅଞ୍ଚଳରେ ଥିବା କିଛି ଡ୍ରେନ୍‌ ମୁକୁଳା ରହିଛି। ଫଳରେ ଲୋକେ ଗଳିପଡ଼ିବା ଭୟ ରହୁଛି। ତେବେ ମୁକୁଳା ଡ୍ରେନ୍‌ରେ କିଛି ବ୍ୟବସାୟୀ ଆବର୍ଜନା ପକାଇ ଦେଉଥିବାରୁ ସଫେଇ ହୋଇପାରୁନାହିଁ ଏବଂ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ତେଣୁ ମାଛ ମାର୍କେଟ୍‌କୁ ଅଧିକ ବ୍ୟବସ୍ଥିତ କରିବାକୁ ଦାବି ହେଉଛି। ଏହି ଵାର୍ଡ ଅଧୀନସ୍ଥ ମଙ୍ଗଳା ବସ୍ତିରେ ନିମ୍ନମାନର କାମ ଲାଗି ରାସ୍ତାରେ ପଡ଼ିଥିବା ପେଭର ବ୍ଲକ୍‌ଗୁଡ଼ିକ ଦବି ଗଲାଣି। ତେଣୁ ଖାଲଖମାଭରା ତଥା ଖଣ୍ଡିଆଖାବରା ରାସ୍ତାରେ ଲୋକେ ଯାତାୟାତ କରି ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ବଡ଼ କଥା ହେଉଛି ବସ୍ତି ଭିତରକୁ ବିଏମ୍‌ସିର ଆବର୍ଜନା ଗାଡ଼ି ଆସିପାରୁନାହିଁ। ସେହିଭଳି ବସ୍ତିରେ ପାନୀୟ ଜଳ ଯୋଗାଣକୁ ନେଇ ସମସ୍ୟା ରହିଛି ବୋଲି ଅଭିଯୋଗ ରହିଛି।

ସମସ୍ୟା ଦୂର ପାଇଁ ଅବିରତ ଉଦ୍ୟମ ଚାଲିଛି

publive-image

ମୋ ଵାର୍ଡର ବିକାଶ ପାଇଁ ଗତ ବର୍ଷକ ଭିତରେ ଭୌମନଗର ଅଞ୍ଚଳରେ ୩, ମଧୁସୂଦନନଗରରେ ୨ ଓ ଏଜି କଲୋନିରେ ଗୋଟିଏ ପାର୍କ ନିର୍ମାଣ ହୋଇଛି। ମଧୁସୂଦନନଗର ଓ ଭୌମନଗର ରାସ୍ତାରେ ପେଭର ବ୍ଲକ୍‌ ପଡ଼ିବା ସହ କିଛି କିଛି ଜାଗାରେ କଂକ୍ରିଟ୍‌ ରାସ୍ତା ହୋଇଛି। ମୁକ୍ତ ବ୍ୟାୟାମଶାଳା ଓ ପାଦଚଲା ରାସ୍ତା ମଧ୍ୟ ତିଆରି ହୋଇଛି। ତେବେ ଯେଉଁଠି ପେଭର ବ୍ଲକ୍‌ଗୁଡ଼ିକ ଭାଙ୍ଗିଯାଉଛି, ସେଠାରେ କଂକ୍ରିଟ ରାସ୍ତା ତିଆରି ହେବ। ମୁକୁଳା ଡ୍ରେନ୍‌ଗୁଡ଼ିକରେ କଭର ପଡ଼ିବା କାମ ଆରମ୍ଭ ହୋଇଗଲାଣି। ଏହି ଵାର୍ଡରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ, ବୟସ୍କ ଲୋକଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର, ଏକ ଶିଶୁ ପାର୍କ ଓ ଗେଷ୍ଟ ହାଉସ୍‌ କରିବାର ଯୋଜନା ମଧ୍ୟ ରହିଛି।
ଅଲିଅଳି ମଲ୍ଲିକ, କର୍ପୋରେଟର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe