ସରାଇ ନିୟମକୁ ଫୁ’: ହୋଟେଲ୍‌ରୁ ପୁଲିସ ଉଠାଇଲା ୫ ସନ୍ଦିଗ୍ଧ

୬ ଦିନ ହେଲା ଡେରା ପକାଇଥିଲେ, ମିସନ୍‌କୁ ନେଇ ଆତଙ୍କ, ମ୍ୟାନେଜରକୁ ଜେରା

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : କମିସନରେଟ୍‌ ପୁଲିସର ସରାଇ ନିୟମକୁ ଫୁ’ କରି ଦେଇଥିବା ଏକ ହୋଟେଲ୍‌ରେ ଶୁକ୍ରବାର ଦିନ ଲକ୍ଷ୍ମୀସାଗର ଥାନା ପୁଲିସ ଅତର୍କିତ ଚଢ଼ଉ କରି ୫ ଜଣ ଅଣଓଡ଼ିଆ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇଛି। ସେମାନେ ବିହାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିସହିତ ସେମାନେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ବୋଲି ପୁଲିସକୁ କିଛି ଠୋସ୍ ସୁରାକ୍‌ ମିଳିଥିବା ଜଣାପଡ଼ିଛି। ପ୍ରାୟ ୬ ଦିନ ହେଲା ଏହି ହୋଟେଲ୍‌ରେ ଡେରା ପକାଇଥିବା ଏହି ସନ୍ଦିଗ୍ଧ ଯୁବକମାନେ କୌଣସି ବଡ଼ଧରଣର ମିସନ୍‌ରେ ଥିଲେ ବୋଲି ସନ୍ଦେହ କରାଯାଉଛି। ପୁଲିସ ସେମାନଙ୍କ ବାବଦ‌ରେ ଖୋଳତାଡ୍‌ ଚଳାଇଥିବା ବେଳେ ହୋଟେଲ୍‌ ମ୍ୟାନେଜରକୁ ଅଟକ ରଖି ଅଲଗା ଜେରା କରାଯାଉଛି। ସରାଇ ନିୟମକୁ ଅମାନ୍ୟ କରି ମ୍ୟାନେଜର କାହିଁକି ସେମାନଙ୍କୁ ହୋଟେଲରେ ସ୍ଥାନ ଦେଇଥିଲେ ବୋଲି ପୁଲିସ ପଚରାଉଚରା ଚଳାଇଛି। ହୋଟେଲର ଏଭଳି ବେଆଇନ କାରବାରକୁ ପୁଲିସ ଗୁରୁତ୍ବର ସହ ନେଇଛି ଓ ହୋଟେଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାର ନିକଟ ଏକ ହୋଟେଲ୍‌ରେ ଏହି ବିହାରୀ ଯୁବକମାନେ ରହୁଥିଲେ। ଗତ ପ୍ରାୟ ୬ ଦିନ ହେଲା ସେମାନେ ଗୋଟିଏ ହୋଟେଲରେ ରହୁଥିଲେ ବି ଅଲଗା ଅଲଗା ଚଳପ୍ରଚଳ ହେଉଥିଲେ। ସେମାନଙ୍କ ଚାଲିଚଳଣରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ କେହି ଲକ୍ଷ୍ମୀସାଗର ଥାନା ପୁଲିସକୁ ଯୋଗାଯୋଗ କରିଥିଲା। ଏଭଳି ଏକ ସଂଗିନ୍ ଖବର ପାଇବା ପରେ ପୁଲିସ ସଜାଗ ହୋଇଯାଇଥିଲା ଓ ନିଜ ପକ୍ଷରୁ ଘଟଣା ଉପରେ ନଜର ବିଛାଇଥିଲା। ଆଜି ଅପରାହ୍ଣରେ ଅତର୍କିତ ଭାବେ ପୁଲିସ ଟିମ୍‌ ଉକ୍ତ ହୋଟେଲ୍‌ରେ ଚଢ଼ଉ କରିଥିଲା। ପ୍ରଥମେ ୨ ଜଣଙ୍କୁ କାବୁ କରାଯାଇଥିଲା। ‌ପରେ ସେମାନଙ୍କ ତଥ୍ୟକୁ ଆଧାର କରି ହୋଟେଲର ଅନ୍ୟ ରୁମ୍‌ରେ ଚଢ଼ଉ କରି ୩ ଜଣଙ୍କୁ ଉଠାଯାଇଥିଲା। ତେବେ ଛାନ୍‌ଭିନ୍ ବେଳେ ହୋଟେଲ୍‌ର ଅସଲ ଚେହେରା ପଦାକୁ ଆସିଥିଲା। କମିସନରେଟ୍‌ ପୁଲିସର ସରାଇ ଆଇନ୍‌ କଥାକୁ ଚୁଲିକୁ ‌ଠେଲି ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ। ହୋଟେଲ ରେଜିଷ୍ଟରରେ ଏହି ସନ୍ଦିଗ୍ଧମାନଙ୍କ ନାମଗନ୍ଧ କିଛି ନଥିଲା। ସେମାନେ ୬ ଦିନ ହେଲା ହୋଟେଲରେ ଡେରା ପକାଇଥିବା ସତ୍ତ୍ବେ କର୍ତ୍ତୃପକ୍ଷ ସେମାନଙ୍କ ପରିଚୟ ସଂଗ୍ରହ କରିନଥିଲେ। ତେଣୁ ପୁଲିସ ତୁରନ୍ତ ହୋଟେଲ ମ୍ୟାନେଜର ଓ ଅନ୍ୟ ଜଣେ କର୍ମଚାରୀକୁ ଉଠାଇ ଥାନାକୁ ନେଇଯାଇଥିଲା। ମ୍ୟାନେଜରକୁ ପୁଲିସ ମାରାଥାନ ଜେରା ଚଳାଇଥିବା ଜଣାପଡ଼ିଛି।

ସରାଇ ନିୟମାନୁସାରେ ହୋଟେଲ କର୍ତ୍ତୃପକ୍ଷ ନିକଟସ୍ଥ ଥାନାକୁ ହୋଟେଲର ଅତିଥିମାନଙ୍କ ବାବଦରେ ତୁରନ୍ତ ସୂଚନା ଦେବା କଥା। ଏବେ ପୁଲିସର ସରାଇ ଆପ୍‌ ବ୍ୟବସ୍ଥା ଥିବାରୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ଆଉ ଆଗ ଭଳି ଥାନାକୁ ଧାଇଁ ଏହି ତଥ୍ୟ ଦେବାକୁ ପଡ଼ୁନାହିଁ। ସେମାନେ ହୋଟେଲରେ ରହୁଥିବା ଅତିଥିମାନଙ୍କ ପରିଚୟ ସମ୍ବଳିତ ସମସ୍ତ ତଥ୍ୟ ଉକ୍ତ ଆପ୍‌ରେ ଅପ୍‌ଲୋଡ କରିବା କଥା। ରାଜଧାନୀରେ ଅପରାଧ ନିୟନ୍ତ୍ରଣ କରିବାକୁ କମିସନରେଟ୍‌ ପୁଲିସ ଏଭଳି ନିୟମ କରିଛି। ଏହା ଦ୍ବାରା ରାଜ୍ୟ ବାହାରୁ ବା ଅନ୍ୟ ଜିଲ୍ଲାରୁ କୌଣସି ସନ୍ଦିଗ୍ଧ ବ୍ୟକ୍ତି ରାଜଧାନୀକୁ ଆସିଲେ, ପୁଲିସ ସହଜରେ ସେମାନଙ୍କୁ ଠାବ କରିପାରିବ। ଏମିତିକି କୌଣସି ଅପରାଧୀ କୌଣସି ଅଘଟଣ ଘଟାଇ ଫେରାର୍ ହୋଇଗଲେ, ତା’ର ପତ୍ତା ପାଇବାକୁ ପୁଲିସକୁ କଷ୍ଟ ହେବ ନାହିଁ। ଏହି ନିୟମକୁ ପ୍ରାୟ ସବୁ ହୋଟେଲ କର୍ତ୍ତୃପକ୍ଷ ମାନି ଚଳୁଛନ୍ତି। କିନ୍ତୁ ଏହି ମାମଲାରେ ହୋଟେଲ କର୍ତ୍ତୃପକ୍ଷ ପୁଲିସର ସରାଇ ଆଇନକୁ ବେଖାତିର କରିଛି। ତେଣୁ ଏହି ବିହାରୀ ସନ୍ଦିଗ୍ଧ ଯୁବକମାନଙ୍କୁ ନେଇ ପୁଲିସର ସନ୍ଦେହ ବଢ଼ିଛି। ବିଶେଷକରି ସେମାନେ ନିଜ ପରିଚୟ ଗୋପନ ରଖିଥିବା ବେଳେ ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ପରିଚୟକୁ ଗୋପନ ରଖିଥିବାରୁ ଏହା ପଛରେ ଏକ ବଡ଼ଧରଣର କିଛି ମିସନ୍‌ ଥିବା କୁହାଯାଉଛି। ଖୁବ୍‌ ଶୀଘ୍ର ପୁଲିସ ଏହା ଉପରୁ ପର୍ଦ୍ଦା ହଟାଇବ ବୋଲି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe