ଚନ୍ଦକାରୁ କମିଲେ ୫ ହାତୀ: ଅଭୟାରଣ୍ୟ ଛାଡ଼ି ଚାଲିଗଲେ ୪

୨୦୧୭ରେ ଗୋଟିଏ ହାତୀ ଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏବେ ୪୦ଟି ହାତୀ ଅଛନ୍ତି। ଅଭୟାରଣ୍ୟରେ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୧ଟି ଅଣ୍ଡିରା ହାତୀ ରହିଛନ୍ତି। ସେଥିମଧ୍ୟରୁ ଦନ୍ତାହାତୀଙ୍କ ସଂଖ୍ୟା ୮ ଓ ୩ଟି ମାକନା ଅଛନ୍ତି।

dfgdadgdg

ଭୁବନେଶ୍ବର: ୨୦୧୭ରେ ଗୋଟିଏ ହାତୀ ଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏବେ ୪୦ଟି ହାତୀ ଅଛନ୍ତି। ଅଭୟାରଣ୍ୟରେ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୧ଟି ଅଣ୍ଡିରା ହାତୀ ରହିଛନ୍ତି। ସେଥିମଧ୍ୟରୁ ଦନ୍ତାହାତୀଙ୍କ ସଂଖ୍ୟା ୮ ଓ ୩ଟି ମାକନା ଅଛନ୍ତି। ଉଭୟ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୫ଟି ମାଈ ହାତୀ ଅଭୟାରଣ୍ୟରେ ଚଳପ୍ରଚଳ କରୁଛନ୍ତି। ୭ଟି ଲେଖାଏ କିଶୋର ଓ ଛୁଆ ହାତୀ ଚନ୍ଦକା ଜଙ୍ଗଲର ଶୋଭା ବୃଦ୍ଧି କରୁଛନ୍ତି। ଶୀତଦିନିଆ ହାତୀ ଗଣନା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଗୋଡ଼ିବାରିରେ ହାତୀ ଗବେଷଣା କେନ୍ଦ୍ର
ଓଡ଼ିଶାରେ ଏସିଆ ହାତୀଙ୍କ ଉପରେ ଗବେଷଣା କରାଯିବ। ହାତୀଙ୍କ ସ୍ବଭାବ, ହାତୀ-ମଣିଷ ଲଢ଼େଇ, ହାତୀଙ୍କୁ ଭୂତାଣୁ ସଂକ୍ରମଣରୁ ରୋକିବା, ହାତୀ ବଂଶ ବୃଦ୍ଧି ‌ପରି ବିଭିନ୍ନ ଦିଗ ଉପରେ ଗବେଷଣା ହେବ। ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏଠାକୁ ଆସିବା ସହ ମାନସମନ୍ଥନ କରିବେ। ଭୁବନେଶ୍ବର ଉପକଣ୍ଠ ଗୋଡ଼ିବାରିଠାରେ ସେଣ୍ଟର ଫର୍‌ ସ୍ପେସିସ୍‌ ସର୍ଭାଇଭାଲ୍‌ ପ୍ରତିଷ୍ଠା କରାଯାଇ ଏଦିଗରେ ପଦ‌କ୍ଷେପ ନିଆଯିବ। ଓଡ଼ିଶା ସମେତ ଆଇୟୁସିଏନ୍‌ ଏସ୍‌ଏସ୍‌ସି ଏସିଆନ୍‌ ଏଲିଫ୍ୟାଣ୍ଟ ସ୍ପେସାଲିଷ୍ଟ ଗ୍ରୁପ୍‌, ୱାଇଡ୍‌ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ, କଲମ୍ବସ୍‌ ଜୁ ଆଣ୍ଡ ଆକ୍ବାରିୟମ୍‌ ମିଳିତ ସହଯୋଗରେ ଏହି ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି। ଏହି କେନ୍ଦ୍ରର ପରିଚାଳନା କରିବାକୁ ଏକ ଗଭର୍ଣ୍ଣିଂ ବଡି ଗଠନ କରାଯାଇଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ଏହାର ଅଧ୍ୟକ୍ଷ ରହିଥିବା ବେଳେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟର ସିସିଏଫ୍‌(ବନ୍ୟପ୍ରାଣୀ), ଭୁବନେଶ୍ବର ସର୍କଲର ଆଞ୍ଚଳିକ ସିସିଏଫ୍‌, ଡବ୍ଲୁଟିଆଇର ଇଡି/ସିଇଓ, ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଡବ୍ଲୁଟିଆଇର ଆଞ୍ଚଳିକ ଫାସିଲିଟେଟର ଏହାର ସଦସ୍ୟ ରହିଛନ୍ତି। ଆଇୟୁସିଏନ୍‌ ଏସ୍‌ଏସ୍‌ସି ଏସିଆନ୍‌ ଏଲିଫ୍ୟାଣ୍ଟ ସ୍ପେସାଲିଷ୍ଟ ଗ୍ରୁପ୍‌ର ପ୍ରୋଗ୍ରାମ ମ୍ୟାନେଜର ଏହାର ସଦସ୍ୟ ଆବାହକ ରହିବେ।

    ଅଭୟାରଣ୍ୟ ଛାଡ଼ି ଚାଲିଗଲେ ୪
    ବିଦ୍ୟୁତ୍‌ ଆଘାତରେ ମରିଗଲା ରାମୁ

ଅପରପକ୍ଷରେ ଗତ ୭ ମାସ ମଧ୍ୟରେ ଏହି ଅଭୟାରଣ୍ୟ ୫ଟି ହାତୀକୁ ହରାଇଛି। କାରଣ ମେ’ ମାସରେ ହୋଇଥିବା ଗ୍ରୀଷ୍ମକାଳୀନ ଗଣନାରେ ଏଠାରେ ୧୪ଟି ଅଣ୍ଡିରା ଓ ୧୭ଟି ମାଈ ହାତୀ ଥିଲେ। ସେଥିମଧ୍ୟରେ ଅଣ୍ଡିରା ହାତୀ ରାମୁର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୀବନ ଯାଇଥିଲା। ଆଉ ଦୁଇଟି ଲେଖାଏଁ ଅଣ୍ଡିରା ଓ ମାଈ ହାତୀ ଏହି ଜଙ୍ଗଲ ଛାଡ଼ି ଚାଲି ଯାଇଛନ୍ତି। ଭୁବନେଶ୍ବର ସର୍କଲରେ ମଧ୍ୟ ହାତୀଙ୍କ ସଂଖ୍ୟା ହ୍ରାସ ପାଇଛି। ମେ’ ମାସରେ ୧୪୦ଟି ହାତୀ ରହିଥିବା ବେଳେ ଏବେ ୧୨୦ଟି ରହିଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ବନଖଣ୍ଡରେ ୪୩, ଚନ୍ଦକା ବନଖଣ୍ଡରେ ୪୦ ଓ ନୟାଗଡ଼ ବନଖଣ୍ଡରେ ୩୭ଟି ହାତୀ ରହିଛନ୍ତି। ସର୍କଲ ଅଧୀନ ୮ଟି ବନଖଣ୍ଡ ମଧ୍ୟରୁ ଭଦ୍ରକ, ଚିଲିକା, ସିଟି ଫରେଷ୍ଟ, ପୁରୀ ଓ ରାଜନଗରରେ ହାତୀ ନଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି। ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଭୟାରଣ୍ୟରେ ଭରପୂର ଖାଦ୍ୟ ରହିଥିବାରୁ ହାତୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ଗୋଟିଏ ଦୁଇଟି ହାତୀ ରହୁଥିବା ବେଳେ ତିନି ବର୍ଷ ହେଲା ୩୫ରୁ ୪୫ଟି ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଶୀତ ଦିନ ହୋଇଥିବାରୁ ଗଣନା ସମୟରେ କେତେକ ହାତୀ ନିକଟବର୍ତ୍ତୀ ଜଙ୍ଗଲକୁ ଚାଲିଯାଇଥାଇପାରନ୍ତି। ଏମାନଙ୍କ ବ୍ୟତୀତ ଆଠଗଡ଼, ଖୋର୍ଦ୍ଧା, ଖୁଣ୍ଟୁଣି ସମେତ ମହାନଦୀ ଡିଭିଜନ୍‌ରୁ ହାତୀପଲ ବିଭିନ୍ନ ସମୟରେ ଏଠାକୁ ଆସୁଛନ୍ତି। କିଛି ଦିନ ଧରି ଏଠାରେ ରହିବା ପରେ ପୁଣି ଫେରିଯାଆନ୍ତି। ବାତ୍ୟା ‘ଫନି’ ପରେ ପ୍ରଚୁର ବାଉଁଶ ଗଛ ଲଗାଯାଇଥିବ‌ାରୁ ଖାଦ୍ୟ ପାଇଁ ହାତୀ ପଲ ଜଙ୍ଗଲ ଛାଡ଼ି ଯାଉନାହାନ୍ତି। ହାତୀମାନେ କେବଳ ଗୋଟିଏ ସ୍ଥାନରେ ରହିବେ ବୋଲି କିଛି ମାନେ ନାହିଁ। ସେମାନେ ଗୋଟିଏ ଦିନରେ ଶତାଧିକ କିଲୋମିଟର ଯାଇପାରିବେ। ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବା ସେମାନଙ୍କର ନିତିଦିନିଆ ଅଭ୍ୟାସ। କଅଁଳିଆ ବାଉଁଶ ଗଛ ରହିଥିବାରୁ ହାତୀ ଛୁଆଙ୍କ ଖାଇବା ଲାଗି ତାହା ଭଲ ହେଉଛି। ପାନୀୟ ଜଳର କୌଣସି ଅଭାବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe