ଭୁବନେଶ୍ବର: ରାଜଧାନୀରେ ଲୁଟ୍ତରାଜ କରି ଆତଙ୍କ ଖେଳାଇଥିବା ଏକ ୫ ଜଣିଆ କଟୁରି ଗ୍ୟାଙ୍ଗ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ କଟକ ନୂଆପାଟଣାର ଅର୍ବାଜ୍ ଖାଁ ଓରଫ ରକି, ପୁରୁଣା ଭୁବନେଶ୍ବର କୁଂଜପାଟଣା ସାହିର ନାରାୟଣ ବାରିକ୍ ଓରଫ ବାବୁନା, କେନ୍ଦ୍ରାପଡ଼ାର ସୌମ୍ୟରଂଜନ ସିଂହ ଓରଫ ଦିପୁନ୍, ବରମୁଣ୍ଡା ମହାବୀର ବସ୍ତିର ରାଜେଶ ସାମଲ ଓରଫ ରାଜୁ ଓ ଅନ୍ୟ ଜଣେ ନାବାଳକ। ସେମାନଙ୍କଠାରୁ ନଗଦ ୩୬ହଜାର ଟଙ୍କା, ୨୨ଟି ମୋବାଇଲ୍, ୪ବାଇକ୍, ୫ଟି ଘଣ୍ଟା, ୨ଟି କଟୁରି ଓ ଗୋଟିଏ ଭୁଜାଲି ଜବତ କରାଯାଇଛି।
ପୁଲିସ ସୂଚନାନୁସାରେ ଗତ ୩ ତାରିଖ ରାତିରେ ଏହି ଗ୍ୟାଙ୍ଗ୍ କଳିଙ୍ଗ ଷ୍ଟୁଡିଓ ଛକରେ ଜଣେ ଯୁବକଙ୍କୁ କଟୁରିରେ ଆକ୍ରମଣ କରି ୪୫ହଜାର ଟଙ୍କା, ମୋବାଇଲ ଓ ଲାପ୍ଟପ୍ ଲୁଟି ନେଇଥିଲେ। ଏନେଇ ଭରତପୁର ଥାନା ପୁଲିସ ଛାନ୍ଭିନ୍ କରି ପୂରା ଗ୍ୟାଙ୍ଗ୍କୁ ଭରତପୁର ବିଡିଏ ପାର୍କ ନିକଟସ୍ଥ ବସ୍ତିରୁ ଉଠାଇଥିଲା। ଏହି ଗ୍ୟାଙ୍ଗ୍ର ମୁଖିଆ ରକି ଓ ରାଜେଶ କୁଖ୍ୟାତ ଅପରାଧୀ ବୋଲି ଜଣାପଡ଼ିଛି। ସେମାନଙ୍କ ନାଁରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ଖଣ୍ଡଗିରି ଓ ନନ୍ଦନକାନନ ଥାନାରେ ମାମଲା ରହିଛି। ଗତ ତିନି ବର୍ଷ ହେଲା ରକି ଓ ରାଜେଶ ରାଜଧାନୀରେ ଲୁଟ୍, ଛିନ୍ତାଇ କରିଆସୁଛନ୍ତି।
ଜେଲରୁ ବାହାରି ନୂଆ ଗ୍ୟାଙ୍ଗ୍ ଗଢ଼ିବା ସେମାନଙ୍କ କାମ। ଏବେ କେନ୍ଦ୍ରାପଡ଼ାର ଦିପୁନ୍ ସେମାନଙ୍କ ଗ୍ୟାଙ୍ଗ୍ରେ ନୂଆ କରି ସାମିଲ୍ ହୋଇଥିଲା। ପୁଲିସ ସବ୍ଇନ୍ସପେକ୍ଟର ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଦିପୁନ୍ ପ୍ରସ୍ତୁତି ଚଳାଇଥିବା ବେଳେ ଏହି ଗ୍ୟାଙ୍ଗ୍ ସହ ମିଶିଯାଇଥିଲା। ପ୍ରତିଦିନ ରାତି ୧ଟାରୁ ଭୋର୍ ୪ଟା ପର୍ଯ୍ୟନ୍ତ ବୁଲିବୁଲି ଲୋକଙ୍କୁ ଲୁଟୁଥିଲେ। କେହି ସାମାନ୍ୟ ପ୍ରତିରୋଧ କଲେ ସେମାନେ କଟୁରିରେ ହାଣି ପକାଉଥିଲେ। ଗତ ୪୪ ଦିନ ଭିତରେ ଏହି ଗ୍ୟାଙ୍ଗ୍ ୧୭ଟି ଲୁଟ୍ କରିଥିବା ଜଣାପଡ଼ିଛି। ନୂଆପଲ୍ଲୀ ଥାନା ଅଞ୍ଚଳରେ ୩ ଲୁଟ୍ କରିଥିବା ବେଳେ ଖଣ୍ଡଗିରିରେ ୩, ଭରତପୁରରେ ୩, କ୍ୟାପିଟାଲ ଥାନା ଅଞ୍ଚଳରେ ୪, ଲିଙ୍ଗରାଜ ଥାନା ଅଞ୍ଚଳରେ ୨, ବାଲିଅନ୍ତାରେ ଗୋଟିଏ ଓ ଏୟାର୍ଫିଲ୍ଡ ଥାନା ଅଞ୍ଚଳରେ ଗୋଟିଏ ଲୁଟ୍ ମାମଲା କରିଛନ୍ତି। ତେବେ ଏହି ଗ୍ୟାଙ୍ଗ୍ ଅଧିକ ଲୁଟ୍ କରିଥିବା ସନ୍ଦେହ କରାଯାଉଛି। ତେଣୁ ଏଭଳି ଆକ୍ରମଣର କେହି ଶିକାର ହୋଇଥିଲେ, ଭରତପୁର ଥାନାରେ ନଚେତ୍ ହ୍ବାଟ୍ସଆପ୍ ୭୦୭୭୭୯୮୧୧୧ ନମ୍ବରରେ ଜଣାଇବାକୁ ଡିସିପି ଉମାଶଙ୍କର ଦାଶ କହିଛନ୍ତି।
Follow Us