Odisha 360
ଭୁବନେଶ୍ୱର : କ୍ୟାପିଟାଲ ଥାନାରେ ମାଡ଼ି ଚାଲିଛି କରୋନା। ଜଣଙ୍କ ପରେ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚାଲିଛନ୍ତି। ଗତକାଲି ଏକାଥରକେ ୬ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ଆଜି ଆଉ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଭିତରେ ଡ୍ରାଇଭର୍, ହୋମଗାର୍ଡ, ଓଏପିଏଫ୍ କର୍ମଚାରୀ ରହିଥିବା ଜଣାପଡ଼ିଛି। ଆକ୍ରାନ୍ତ ବଢ଼ୁଥିବାରୁ କର୍ମଚାରୀଙ୍କ ଭିତରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। କ୍ୟାପିଟାଲ ଥାନାର ଏତେସଂଖ୍ୟକ ଆକ୍ରାନ୍ତ ହେବା ପରେ ରାଜଧାନୀର ଅନ୍ୟ ଥାନା କର୍ମଚାରୀ ଆତଙ୍କିତ ହୋଇପଡ଼ିଛନ୍ତି।
ଗତ ୨୫ ତାରିଖରେ ପ୍ରଥମେ କ୍ୟାପିଟାଲ ଥାନାର ଜଣେ ମହିଳା କନଷ୍ଟେବଳ ପଜିଟିଭ୍ ବାହାରିଥିଲେ। ଦୁଇ ଦିନ ହେଲା ଥାନା କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିଲା। ଦୁଇ ଦିନରେ ୧୧ଜଣ କର୍ମଚାରୀଙ୍କ କରୋନା ପଜିଟିଭ୍ ବାହାରି ସାରିଛି। ଆକ୍ରାନ୍ତ କର୍ମଚାରୀଙ୍କ ସହ ଆଉ କେଉଁ ଥାନା କର୍ମଚାରୀ କିମ୍ବା କମିସନରେଟ୍ ପୁଲିସର କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡ଼ିଛି।
ସଂକ୍ରମଣ କେଉଁଠୁ ଆସିଲା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ୟୁନିଟ୍-୧ ହାଟ କିମ୍ବା ଆଖପାଖ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ଥାନାଧିକାରୀ ଓ ଜୋନ୍-୧ ଏସିପି ସଂଗରୋଧରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜଧାନୀର ୩ଟି ଥାନାର କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।
Follow Us