୨ଭାଇଙ୍କ ସମେତ ୫ ଲୁଟେରା ଗିରଫ: ୧୪ ମୋବାଇଲ୍ ଓ ସ୍କୁଟି ଜବତ

Advertisment
୨ଭାଇଙ୍କ ସମେତ ୫ ଲୁଟେରା ଗିରଫ: ୧୪ ମୋବାଇଲ୍ ଓ ସ୍କୁଟି ଜବତ

ଭୁବନେଶ୍ବର: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ନିମପୁର ଶାସନର ୨ କୁଖ୍ୟାତ ଲୁଟେରା ମଳୟ ଓ ସୁମନ ମଲ୍ଲିକଙ୍କୁ ଆଜି ଚନ୍ଦକା ପୁଲିସ ଗିରଫ କରିଛି। ସମ୍ ହସ୍ପିଟାଲ ଛକଠୁ ଆରମ୍ଭ କରି ଇନ୍‌ଫୋ ଭ୍ୟାଲି-୨, ଭରତପୁର, ଚନ୍ଦକା, ତମାଣ୍ଡୋ ପ୍ରମୁଖ ଅଞ୍ଚଳରେ ଲୁଟ୍‌ପାଟ୍ କରି ଏମାନେ ଆତଙ୍କ ସୃଷ୍ଟି କରୁଥିଲେ। ତେବେ ଗତକିଛି ଦିନ ତଳେ ଅନ୍ଧାରୁଆସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମେଟିକ୍ସ ଆଣ୍ଡ ଆପ୍ଲିକେସନସ୍‌ ସମ୍ମୁଖରୁ କିଛି ଛାତ୍ର ଓ ସ୍ଥାନୀୟ ଲୋକଙ୍କୁ ସିରିଜ୍ ଲୁଟପାଟ କରିବା ପରେ କମିସନରେଟ୍ ପୁଲିସ ସକ୍ରିୟ ହୋଇ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ଲୁଟ୍‌ ମୋବାଇଲ୍ ନମ୍ବର ଟ୍ରାକିଂ କରି ଚନ୍ଦକା ଗୋଠପାଟଣା ଅଞ୍ଚଳରୁ ଏହି ୨ଭାଇଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରା ଉଚରା ପରେ ତାଙ୍କ ସହଯୋଗୀ ଚନ୍ଦକା କଣ୍ଟାବାଡ଼ର ରିଣ୍ଟୁ ବାଘସିଂହ ଓରଫ ବାପି, ସୁଶାନ୍ତ ବାଘସିଂହ ଓରଫ୍ ଜଗା ଓ ଆଲୋକ ବଡ଼ଜେନାଙ୍କ ସଂପୃକ୍ତି ପଦାକୁ ଆସିଥିଲା। ଅଭିଯୁକ୍ତ ଜଗା ଓ ଆଲୋକ ଲୁଟ୍ ମୋବାଇଲ୍‌କୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ କମ୍‌ ଟଙ୍କାରେ ଲୋକଙ୍କୁ ବିକୁଥିବା ଜଣାପଡ଼ିଥିଲା। ଏହା ପରେ ସେମାନଙ୍କ ନିକଟରୁ ୧୪ଟି ମୋବାଇଲ୍ ଉଦ୍ଧାର କରିଥିବା ବେଳେ ଲୁଟ୍ ପାଇଁ ବ୍ୟବହୃତ ଗୋଟିଏ ସ୍କୁଟି ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ସୁମନ ନାଁରେ ଭୁବନେଶ୍ବର ଏକାଧିକ ଥାନାରେ ୬ରୁ ଅଧିକ ମାମଲା ରହିଥିବା ବେଳେ ଗତ ୧୯ଜୁନ୍‌ରେ ଭରତପୁର ପୁଲିସ ଏକ ଚୋରି ମାମଲାରେ ତାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe