ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସତ୍ୟଭାମା ସେଠୀ (୫୫)। ଅନେକ ଦୁସ୍ଥ ତଥା ମାନସିକ ଅଶାନ୍ତିରେ ରହୁଥିବା ଯୁବତୀ, ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି। ଭୁବନର କୋଣ ଅନୁକୋଣରେ ସେ ଏବେ ଶ୍ରାବଣୀ ଅପା ଭାବେ ପରିଚିତ। ସତ୍ୟଭାମାରୁ କେତେବେଳେ ଶ୍ରାବଣୀ ପାଲଟିଯାଇଛନ୍ତି ସେ ନିଜେ ବି ଜାଣି ପାରିନାହାନ୍ତି।
୧୯୯୯ ମହାବାତ୍ୟା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। କଟକ ଜିଲ୍ଲା ସାଲେପୁର ବ୍ଲକ୍ ରଘୁନାଥପୁର ଗ୍ରାମର ସେ ବାସିନ୍ଦା। ବିବାହ ପରେ ସେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ମଠକରଗୋଳାରେ ଅବସ୍ଥାପିତ ହୋଇଥିଲେ। ସ୍ବାମୀଙ୍କଠାରୁ ଗୋଟିଏ ସିଲେଇ ମେସିନ୍ ପାଇଥିଲେ। ଏହାପରେ ପଛକୁ ଫେରିନାହାନ୍ତି ସତ୍ୟଭାମା। ୨୦୦୦ ମସିହାରୁ ସେ ଆରମ୍ଭ କରିଥିଲେ ସିଲେଇ ଶିକ୍ଷାକେନ୍ଦ୍ର। ପ୍ରତି ବ୍ୟାଚ୍ରେ ୨୫ ଜଣଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ। ପରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଲା। ଶ୍ରାବଣୀ ମଠକରଗୋଳାରୁ ଯାଇ ଭୁବନର କାଳୀବଜାରଠାରେ ତାଲିମ କେନ୍ଦ୍ର ଖୋଲିଲେ। ୨୦୧୧ ମସିହାରେ ଏହାର କଳେବର ବୃଦ୍ଧି ପାଇଲା। ୨୪ ବର୍ଷ ମଧ୍ୟରେ ପ୍ରାୟ ୫୦୦୦ ଜଣ ତାଙ୍କଠାରୁ ତାଲିମ ନେଇ ସ୍ବାବଲମ୍ବୀ ହୋଇଛନ୍ତି।
୧୯୯୯ ମହାବାତ୍ୟା ତାଙ୍କ ଜୀବନର ମୋଡ଼
ଭୁବନର ମହିଳାମାନଙ୍କୁ ନେଇ ଶ୍ରାବଣୀ ସଂଗ୍ରାମୀ ମହିଳା ମୋର୍ଚ୍ଚା ଗଠନ କରିଛନ୍ତି। ବିଭିନ୍ନ ସମୟରେ ନାରୀ ଜାତିର ହକ୍ ପାଇଁ ଲଢ଼େଇ କରୁଛନ୍ତି। ଏବେ ସେ ମହିଳା ମୋର୍ଚ୍ଚାର ସଂପାଦିକା ଭାବେ କାର୍ଯ୍ୟ ତୁଲାଉଛନ୍ତି। ସତ୍ୟଭାମାଙ୍କ ସ୍ବାମୀ ଭୁବନ ଓକିଲ ସଂଘର ସଭାପତି ବାବୁଲି କୁମାର ସେଠୀ କୁହନ୍ତି, ଅନେକ ଘାତ ପ୍ରତିଘାତ ସତ୍ତ୍ବେ ଜୀବନ ଯୁଦ୍ଧରେ ଭାଙ୍ଗି ପଡ଼ି ନଥିବା ସତ୍ୟଭାମା ନିଜକୁ ଜଣେ ଉଦ୍ୟୋଗୀ ମହିଳା ଭାବେ ପ୍ରମାଣିତ କରିପାରିଛନ୍ତି। ମହିଳାଙ୍କ ନ୍ୟାଯ୍ୟ ଦାବି ନେଇ ସେ ସଦାସର୍ବଦା ସମର୍ପିତ। ୨୦୦୮ରୁ ଶ୍ରାବଣୀ ସିଲେଇ କେନ୍ଦ୍ର ଏକ ସ୍ବୀକୃତିପ୍ରାପ୍ତ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି।
Follow Us