ବନ୍ୟା ଧୋଇନେଲା ସବୁ ଫସଲ, କୃଷି ଋଣ ଶୁଝିବା ଚିନ୍ତାରେ ଚାଷୀ

ବନ୍ୟା କ୍ଷୟକ୍ଷତି ରିପୋର୍ଟ: ୨୪ ଜିଲ୍ଲାରେ ଫସଲ ବରବାଦ; ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ ସର୍ବାଧିକ କ୍ଷତି

ବାଲିଅନ୍ତା : ଧାନ ଫସଲ ସହ ପରିବା ଚାଷ ପୂରା ଉଜୁଡ଼ି ଯାଇଛି। ବନ୍ୟାଜଳ ଲଗାତର ୬ ଦିନ ଫସଲକୁ ବୁଡ଼ାଇ ରଖିବାରୁ ବିଲରେ ଆଉ କିଛି ନାହିଁ। ତେଣୁ ହାତ ପାଣ୍ଠି ଓ ଧାରକରଜ କରି ବିଲରେ ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ। କୃଷି ଋଣ ଶୁଝିବା ଚିନ୍ତା ଅଧିକ ଘାରିଛି। ବନ୍ୟା ସବୁ ଧୋଇନେଲା ପରେ କୃଷି ଋଣ ଚିନ୍ତା ଚାଷୀର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଏ ହେଉଛି ବାଲିଅନ୍ତା ବ୍ଲକର ଶହ ଶହ ଚାଷୀଙ୍କ ଦୁଃଖର କାରଣ।

publive-image

ଚଳିତ ବର୍ଷ ଭାର୍ଗବୀ ନଦୀ ବନ୍ୟାରେ ପୁରୋହିତପୁର ଏବଂ ଝିଣ୍ଟିଶାସନ ପଞ୍ଚାୟତରେ ବିପୁଳ ଧାନ ଫସଲ ନଷ୍ଟ ହୋଇଛି। ସେହିଭଳି ନିକଟସ୍ଥ ବାଲିପାଟଣା ବ୍ଲକର ଆଳିଶିଶାସନ ସମେତ ୭ଟି ପଞ୍ଚାୟତରେ ମଧ୍ୟ ଖରିଫ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ କୃଷି ସମବାୟ ସମିତିରୁ ଋଣ ଆଣି ଧାନ ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଗତବର୍ଷ ଫନି କ୍ଷୟକ୍ଷତି ଭରଣା ହୋଇ ନଥିବା ବେଳେ ଏବର୍ଷ ବନ୍ୟା ଦାଉ ସାଧିଛି। ତେଣୁ କୃଷି ଋଣ ଶୁଝିବୁ କେମିତି ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଶହ ଶହ ହେକ୍ଟର ଧାନ ଜମିରେ ପଟୁ ମାଡ଼ିଯାଇଛି। ଦୀର୍ଘ ଦିନ ଧରି ବନ୍ୟାପାଣିରେ କ୍ଷେତ ବୁଡ଼ି ରହିବା ଦ୍ବାରା ଧାନଗଛ ପଚିସଢ଼ି ଯାଇଛି। ଧନୁଆ ନଈ ବନ୍ୟାରେ ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ଜମି ଯାଇଛି। ବେଉଷଣ ପରେ ପରେ ବିଲରେ ଧାନ ଗଛ ନଷ୍ଟ ହୋଇଯାଇଥିବା ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ଋଆ ବେଉଷଣ ସମୟ ଅତିକ୍ରାନ୍ତ ହୋଇଯାଇଥିବାରୁ ଉପରୋକ୍ତ ଚାଷ ଜମିସବୁ ପଡ଼ିଆ ପଡ଼ିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe