ଘରେ ପଶିଲା ପାଣି
ଚାଷୀଙ୍କୁ ହତାଶ କରୁଛି ବଢ଼ି
ବନ୍ୟାଞ୍ଚଳ ବୁଲିଲେ ବିଧାୟକ
୩ ବୋଟ୍ ଦେଲା ପ୍ରଶାସନ
ବାଲିପାଟଣା : ବନ୍ୟା ଭୁବନେଶ୍ୱର ଉପକଣ୍ଠବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି। ଭାର୍ଗବୀ ନଦୀପାଣି ଅଚ୍ୟୁତପୁର କାଜ ଏବଂ କୁଶଭଦ୍ରା ନଦୀରୁ ବଇଁଚୁଆ କାଜରେ ପାଣି ଆସିବା ପରେ ବାଲିପାଟଣା ଅଞ୍ଚଳରେ ବଡ଼ ବନ୍ୟା ଦେଖାଦେଇଛି। ଏଥିଯୋଗୁଁ ବାଲିପାଟଣା ବ୍ଲକର ୫ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟାପାଣି ମାଡ଼ି ଯିବାରୁ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଶହଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି। ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ବନ୍ୟାଜଳ ଲହଡ଼ି ମାରୁଛି। ସେହିପରି ସାତରୁ ଅଧିକ ବିଦ୍ୟାଳୟରେ ପାଣି ପଶିଛି। ଫଳରେ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବିଶେଷକରି ଲୋକଙ୍କ ଖାଦ୍ୟ ଓ ପିଇବା ପାଣିର ସମସ୍ୟା ଦେଖା ଦେଇଛି। ତେଣୁ ଜୀବନ ବଞ୍ଚାଇବା ପାଇଁ ଲୋକେ ଘରଦ୍ବାର ଛାଡ଼ି ଉଚ୍ଚସ୍ଥାନକୁ ଚାଲିଯାଇଛନ୍ତି।
/sambad/media/post_attachments/wp-content/uploads/2020/08/balipatana-2.jpeg-300x139.jpg)
ଅପରପକ୍ଷେ ବନ୍ୟାପାଣି ମାଡ଼ି ଯିବାରୁ ଚାଷ ଜମି ବୁଡ଼ି ରହିଛି। ଫସଲ ନଷ୍ଟ ଆଶଙ୍କାରେ ଅଞ୍ଚଳର ଚାଷୀ ହତାଶ ହୋଇପଡ଼ିଛନ୍ତି। ବନ୍ୟାଘେରରେ ଥିବା ଗାଁଗୁଡ଼ିକ ପାଇଁ ପ୍ରଶାସନ ଆଜି ୩ଟି ଯନ୍ତ୍ର ଚାଳିତ ବୋଟ୍ ଯୋଗାଇ ଦେଇଛି।
ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି କୁରୁଞ୍ଜିପୁର, ଦୋରବାଙ୍ଗ, ତରବୋଇ, କୁଳନ୍ତିରା, ଦରଡ଼ା, ବିନ୍ଧା, ଅଚ୍ୟୁତପୁର କାଜ ବୁଲି ଦେଖିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।
ଭାର୍ଗବୀ ନଦୀର ବନ୍ୟା ଜଳ ଅଚ୍ୟୁତପୁର କାଜରେ ଗଡ଼ିବା ପରେ ରାଜସ, ପମ୍ପାଲୋ, ଆଳିସି, କୁରୁଞ୍ଜିପୁର ପଞ୍ଚାୟତର ଶହ ଲୋକ ପାଣିଘେରରେ ଅଛନ୍ତି। ୩୦ରୁ ଅଧିକ ଗ୍ରାମ ବନ୍ୟା ଘେରରେ ଫସି ରହିଛି। ରାଜସରୁ ବାଲିପାଟଣା, ନିଶ୍ଚିନ୍ତପୁର, ଗରିଆ ଏବଂ ମଧୁବନରୁ ଆଳିସି, ଘାସିଅନ୍ଧଟିରୁ ଇନ୍ଦୋଳକୁସିଆରି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ଉକ୍ତ ଅଞ୍ଚଳକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି। କେତେକ ଅଞ୍ଚଳରେ ଲୋକେ ଘରୁ ବାହାରି ପାରୁନାହାନ୍ତି। ବନ୍ୟାପାଣି ଘେରରେ ରହିଥିବା ଲୋକଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି।
/sambad/media/post_attachments/wp-content/uploads/2020/08/M40-300x200.jpg)
ଆଜି ଟିଙ୍କିପଡ଼ା ବନ୍ୟାଘେରରେ ଥିବା ଅଞ୍ଚଳକୁ ବିଡିଓ ମିତାଞ୍ଜଳି ଦାଶ ବୁଲି ଦେଖିଥିଲେ। ଶ୍ରୀମତୀ ଦାଶଙ୍କ ସୂଚନା ଅନୁସାରେ, ପମ୍ପାଲୋ, ରାଜସ, ଆଳିସି କୁରୁଞ୍ଜିପୁର, ତୁରିନ୍ତିରା ପଞ୍ଚାୟତର କିଛି ଅଞ୍ଚଳରେ ପାଣି ମାଡ଼ିଛି। ଉକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ପ୍ରଭାବିତ ଲୋକଙ୍କ ତାଲିକା କରିବା ପାଇଁ କୁହାଯାଇଛି।
ବାଲିପାଟଣା ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ମଧ୍ୟ ଯନ୍ତ୍ର ଚାଳିତ ବୋଟ୍ରେ ଟିଙ୍କିପଡ଼ା ଅଞ୍ଚଳ ବୁଲି ଦେଖିଛନ୍ତି। ଅପରପକ୍ଷରେ ଶିଶୁମଠଠାରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବିପଦ ସଙ୍କେତ ନିକଟରେ ଜଳ ପ୍ରବାହିତ ହେଉଥିବା ଜଳସମ୍ପଦ ସହକାରୀ ଯନ୍ତ୍ରୀ ସମ୍ବିତ କୁମାର ସାହୁ ସୂଚନା ଦେଇଛନ୍ତି। ସେହିପରି କୁଶଭଦ୍ରା ନଦୀ ବନ୍ଧ ଉପରେ ଜଳସେଚନ ବିଭାଗ ସତର୍କ ଦୃଷ୍ଟି ରଖିଥିବା ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
Follow Us