ନଦୀ ଜଳସ୍ତର କମୁଛି: ଗାଁ ଛାଡ଼ୁନି ବନ୍ୟା

Advertisment
ନଦୀ ଜଳସ୍ତର କମୁଛି: ଗାଁ ଛାଡ଼ୁନି ବନ୍ୟା

ବାଲିପାଟଣା/ବାଲିଅନ୍ତା : ଗତ ରାତିରୁ କୁଆଖାଇରେ ଜଳସ୍ତର ହ୍ରାସ ପାଇଥିବାରୁ କୁଶଭଦ୍ରା ଓ ଭାର୍ଗବୀ ବିପଦସଂକେତ ତଳେ ବହୁଛି। କିନ୍ତୁ ଏହି ଦୁଇ ନଦୀର ବନ୍ୟା ଭୟ ହ୍ରାସ ପାଇଥିଲେ ବି ଧନୁଆ ନଈର ବନ୍ୟା ପ୍ରକୋପ କମିନାହିଁ। ଏବେ ବି ବାଲିପାଟଣା ବ୍ଲକର ୬ ପଞ୍ଚାୟତ ଧନୁଆ ନଈର ବନ୍ୟା ଘେରରେ ରହିଛି ଓ ୧୦ ହଜାରରୁ ଅଧିକ ଲୋକ ହୀନସ୍ତା ହେଉଛନ୍ତି। କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଜଳସ୍ତର ପ୍ରାୟ ୨ଫୁଟ୍‌ ପର୍ଯ୍ୟନ୍ତ ହ୍ରାସ ପାଇଥିଲେ ବି ବଇଁଚୁଆ ଓ ଅଚ୍ୟୁତପୁର କାଜ ଦେଇ ବନ୍ୟା ଜଳ ଧନୁଆ ନଈରେ ପଶୁଛି। ଫଳରେ ବାଲିପାଟଣା ବ୍ଲକ୍‌ର ରାଜସ, ପମ୍ପାଲୋ, ଆଳିସି, କୁରୁଞ୍ଜିପୁର, ତୁରିନ୍ତିରା ଓ ସୋମଣାଶାସନ ପଞ୍ଚାୟତର ପ୍ରାୟ ୩୦ ଗାଁରୁ ବନ୍ୟା ଛାଡ଼ିନାହିଁ। ଗାଁ ଦାଣ୍ଡରେ ସୁଅ ଛୁଟୁଥିବା ବେଳେ ଲୋକଙ୍କ ଘରେ ପାଣି ଜମି ରହିଛି। ଘରେ ଚୁଲି ଜଳୁନଥିବାରୁ ପ୍ରଶାସନ ଓ ବିଭିନ୍ନ ସଂଗଠନର ହାତଟେକାକୁ ଲୋକେ ଚାହିଁବସୁଛନ୍ତି।

publive-image

ଶିଶୁମଠଠାରେ କୁଶଭଦ୍ରା ନଦୀର ଜଳସ୍ତର ପ୍ରାୟ ଅଢେଇ ଫୁଟ୍‌ କମିଛି। ତେଣୁ ନଦୀତଟବର୍ତ୍ତୀ ଲୋକଙ୍କ ମନରୁ ବନ୍ୟା ଭୟ କମିଛି। ସେହିଭଳି କୁଆଖାଇରେ ଜଳପତ୍ତନ କମିଥିବାରୁ ପେଟା ଘାଇରେ ବିପଦ ଟିଳିଛି। କିନ୍ତୁ ଧନୁଆ ନଈ ବନ୍ୟା ପାଇଁ ଏବେ ବି ବାଲିପାଟଣା ବ୍ଲକ୍‌ର ବହୁ ପ୍ରମୁଖ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ଉପରୋକ୍ତ ୬ ପଞ୍ଚାୟତରେ ପ୍ରଶାସନ ତରଫରୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ତାହା ସମୁଦ୍ରକୁ ଶଙ୍ଖେ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅନେକ ଲୋକ ଛାତ ଉପରେ ଜରି ପାଲ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ଦିନକୁ ବେଳାଏ ଖାଇ କାଳ କାଟୁଛନ୍ତି। ପିଇବା ପାଣି ମଧ୍ୟ ମିଳୁନି। ଛୋଟ ପିଲା, ରୋଗୀ ଓ ବୃଦ୍ଧ ବ୍ୟକ୍ତିମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଖିଆପିଆ ଠିକ ନଥିବା ବେଳେ ପିଲାଙ୍କ ପାଠପଢ଼ା ଚୁଲିକି ଯାଇଛି। ହଜାର ହଜାର ସଂଖ୍ୟାରେ ଗାଈବଳଦ, ଛେଳିମେଣ୍ଢା ୩ ଦିନ ହେଲା ଖାଡ଼ା ଉପାସ ରହିଛନ୍ତି। ଗୁହାଳ ଘର ସବୁ ଭୁଶୁଡ଼ିବା ଆଶଙ୍କା ଥିବାରୁ ଲୋକେ ଗୋରୁଗାଈଙ୍କୁ ସେମିତି ବାହାରେ ବାନ୍ଧି ରଖିଛନ୍ତି। ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ତରଫରୁ କମଳ ପାତ୍ରଙ୍କ ସହଯୋଗରେ ରାଜସ ପଞ୍ଚାୟତ ଗରିଆ ଓ କୃଷ୍ଣପୁରରେ ରନ୍ଧା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ବିଜେଡି ନେତା ବିଭୂତି ବଳବନ୍ତରାୟ, ବ୍ଲକ ବିଜେଡି ସଭାପତି କିଶୋର ଜେନା, ଛାତ୍ର ବିଜେଡି ସଭାପତି ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ରିଲିଫ୍ ବଣ୍ଟନ କରିଥିଲେ। ସେହିପରି ଯୁବ ସମାଜସେବୀ ଅଜିତ କୁମାର ପାଇକରାୟ ପମ୍ପାଲୋ ପଞ୍ଚାୟତରେ ରିଲିଫ୍‌ ବାଣ୍ଟିଛନ୍ତି।

publive-image

ଏସବୁ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିନଥିଲେ ବି କୌଣସି ପ୍ରକାର ସଂକ୍ରାମକ ରୋଗ ବ୍ୟାପିବା ଦେଖାଯାଇନାହିଁ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ବନ୍ୟାଞ୍ଚଳରେ କ୍ୟାମ୍ପ ପକାଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ବନ୍ୟାଞ୍ଚଳ ସ୍ଥିତି ଯାଞ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ ଓ ପଶୁ ଚିକିତ୍ସକଙ୍କୁ ନେଇ ଗଠିତ ଟିମ୍‌ ବୁଲିବୁଲି କାମ କରୁଛନ୍ତି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଦରଡା ଓ କୁରୁଞ୍ଜିପୁରରେ ୨ ଟିମ୍‌ ନିୟୋଜିତ ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ଗାଁକୁ ଗାଁ ଯାଇ କାମ କରୁଛନ୍ତି। ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ପରିଚାଳିତ ଟିମ୍‌ ହାଲୋଜେନ ବଟିକା ସହ ଜ୍ବର, ଥଣ୍ଡା, ତରଳ ଝାଡ଼ା ପାଇଁ ଔଷଧ ଓ ଓଆର୍‌ଏସ ପ୍ରଭୃତି ବଣ୍ଟନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe