ରାଜଧାନୀ ଉପକଣ୍ଠରେ ବନ୍ୟା ବିଭୀଷିକା, ସମ୍ଭାବ୍ୟ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

Advertisment
ରାଜଧାନୀ ଉପକଣ୍ଠରେ ବନ୍ୟା ବିଭୀଷିକା, ସମ୍ଭାବ୍ୟ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୟା ନଦୀବନ୍ଧ ଉଭୟ ପାର୍ଶ୍ବରେ ଧଉଳି, ଇଟିପୁର, ଟିକରପଡ଼ା, ଲିଙ୍ଗିପୁର, ଶିଶୁପାଳଗଡ଼, ବାସୁଆଘାଇ ପ୍ରଭୃତି ଛଅଟି ଗ୍ରାମପଞ୍ଚାୟତରେ ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜଳ ସମ୍ପଦ ବିଭାଗ ଭୁବନେଶ୍ୱର ପ୍ରାଚୀ ଡିଭିଜନ ଓ ପୁରୀ ଡିଭିଜନର ଯନ୍ତ୍ରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଧଉଳି ଗ୍ରାମପଞ୍ଚାୟତର ଗେଲପୁର, ସରଦେଇପୁର, ଇଟିପୁର ଗ୍ରାମପଞ୍ଚାୟତର ଡିହପୁର ଏବଂ ଟିକରପଡା ଗ୍ରାମ ପଞ୍ଚାୟତର ଗଙ୍ଗୁଆ ବନ୍ଧ ପ୍ରଭୃତିରେ ଘଳିଆ ହୋଇଥିବା ଦେଖି ତୁରନ୍ତ ବାଲି ବସ୍ତା ଦ୍ବାରା ବନ୍ଦ କରାଇଥିଲେ।

ଆଜି ଦିନ ୫ଟା ସୁଦ୍ଧା ମୁଣ୍ଡଳୀ ଠାରେ ୧୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଦୟା ବ୍ରିଜ ନିକଟରେ ୧୬.୬ ମିଟର ଜଳସ୍ତର ଦେଖିବାକୁ ମିଳିଥିଲା ଯାହାକି ବିପଦ ସଂକେତ ଟପିଛି ବୋଲି ସହକାରୀ ଯନ୍ତ୍ରୀ ବଲ୍ଲଭ ମହାପାତ୍ର କହିଛନ୍ତି। ଶେଷରେ ମନ୍ତ୍ରୀ ଶ୍ରୀ ପଣ୍ଡା ସମସ୍ତ ଅଞ୍ଚଳ ପରିକ୍ରମା କରି ବିଭାଗୀୟ ଯନ୍ତ୍ରୀ ଏବଂ ସମସ୍ତ ଜନପ୍ରତିନିଧିମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ, ମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି, ବ୍ଲକ ପ୍ରତିନିଧି ଛଅ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ

ବାଲିଅନ୍ତା ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳୀକୁ ମୋଟ ୨୮୮ଜଣ ବିପନ୍ନ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ଇଟାଭାଟି ଶ୍ରମିକ ଓ ତଳିଆ ଅଞ୍ଚଳରେ ରହୁଥିବା ଅନେକ ଗରିବ ପରିବାରକୁ ସ୍ଥାନାନ୍ତର କରାଯାଇଛି। ପ୍ରତାପଶାସନ ପଞ୍ଚାୟତ ସାତକାଣିଆ ପ୍ରାଥମିକ ସ୍କୁଲ ଓ ପ୍ରତାପଶାସନ ପ୍ରାଥମିକ ସ୍କୁଲ, ବାଲିଅନ୍ତା କଲ୍ୟାଣମଣ୍ଡପ ଏବଂ ବିନ୍ଧା ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିବା ଲୋକଙ୍କୁ ଆଜିଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିଭଳି ବାଲିପାଟଣାରେ ଆଜି ପ୍ରଶାସନ ତରଫରୁ ପ୍ରାୟ ୧୪ କ୍ବିଣ୍ଟାଲ ଚୂଡ଼ା, ୫ କ୍ବିଣ୍ଟାଲ ଚିନି ଯୋଗାଇ ଦିଆ ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୬ ଯନ୍ତ୍ରଚାଳିତ ବୋଟ୍‌ ନିୟୋଜିତ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ୪ ଟି ଏବଂ ବ୍ଲକ ପ୍ରଶାସନ ୨ଟି ଯନ୍ତ୍ରଚାଳିତ ବୋଟ୍‌ ବ୍ୟବସ୍ଥା କରାଯାଇଛି। ମୁଣ୍ଡଳୀ ଏନ୍‌ଡିଆର୍‌ଏଫ୍‌ କେନ୍ଦ୍ରରୁ ୨୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe