ଭୁବନେଶ୍ବର ଉପକଣ୍ଠରେ ବନ୍ୟା ଜଳ, ବୁଡ଼ିଗଲା ବୀରବନ୍ଧ

Advertisment
ଭୁବନେଶ୍ବର ଉପକଣ୍ଠରେ ବନ୍ୟା ଜଳ, ବୁଡ଼ିଗଲା ବୀରବନ୍ଧ

ପୁରୁଣା ଭୁବନେଶ୍ବର: ଦୟା ନଦୀରେ ବନ୍ୟା ଆସିବା କାରଣରୁ ଗଙ୍ଗୁଆ ଜଳ ନଦୀକୁ ପ୍ରବାହିତ ହୋଇପାରୁନାହିଁ। ବରଂ ଦୟା ନଦୀର ଜଳ ଓଲଟା ଗଙ୍ଗୁଆ ଦେଇ ଦୟା ଅବବାହିକା ଅଞ୍ଚଳକୁ ବୁଡ଼ାଇ ଦେଇଛି। ଫଳରେ ସୁନ୍ଦରପଦା ଗହୀର ସମେତ ବୋତଣ୍ଡା, ବୀରବନ୍ଧ, ଓରକଳ, କୁହା, ପଧାନସାହି, କ୍ଷେତ୍ରପାଳ ଓ ପାଞ୍ଚଗାଁ ଆଦି ଗହୀର ବୁଡ଼ିଯାଇଛି। ବଡ଼ କଥା ହେଉଛି ଏହି ଅଞ୍ଚଳରେ ଥିବା ବହୁ ଆପାର୍ଟମେଣ୍ଟ ଜଳ ଘେରରେ ରହିଛି। ପାର୍କିଂ ଅଞ୍ଚଳ ବୁଡ଼ି ଯାଇଥିବା ବେଳେ ରାସ୍ତାରେ ୭/୮ ଫୁଟ୍‌ ଉଚ୍ଚର ପାଣି ରହିଛି। ଫଳରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଓ କେବଳ ଜରୁରୀକାଳୀନ ସେବା ଆବଶ୍ୟକ କରୁଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଉଛି।

ସୁନ୍ଦରପଦା-ହରିରାଜପୁର ରାସ୍ତାର ବାମ ପାର୍ଶ୍ବରେ ଥିବା ଶୁଭଶ୍ରୀ ଭିଲ୍ଲା ଆପ‌ାର୍ଟମେଣ୍ଟ, କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟ, ସ୍କାୟ ଟାୱାର ଆପାର୍ଟମେଣ୍ଟ ପାଣି ଘେରରେ ରହିଛି। ଲୋକେ ଘରୁ ବାହାରିପାରୁନାହାନ୍ତି। କେହି ଜରୁରୀ କାମରେ ଘରୁ ବାହାରିଲେ ଗାମୁଛା ପିନ୍ଧି, ହାତରେ ଅନ୍ୟାନ୍ୟ ପୋଷାକପତ୍ର ଓ ବ୍ୟାଗ୍‌ ଧରି ବାହାରୁଛନ୍ତି। ଆଜି କ୍ଷେତ୍ରପାଳ ଗ୍ରାମସ୍ଥିତ ଏକ ଆପାର୍ଟମେଣ୍ଟରୁ ଜଣେ ଗର୍ଭବତୀ ମହିଳାଙ୍କୁ ଦମକଳ ବାହିନୀ ଉଦ୍ଧାର କରିଥିଲା। ସେହିଭଳି ଅଲଗା ଅଲଗା କାମରେ ଅନ୍ୟ ୧୪ଜଣଙ୍କୁ ମଧ୍ୟ ଦମକଳ ବାହିନୀ ଉଦ୍ଧାର କରିଥିଲା।

ମାଛ ଧରାର ମଜା

ବଢ଼ି ପାଣି ଯୋଗୁଁ ବହୁ ସ୍ଥାନରେ ଲୋକେ ମାଛ ଧରାରୁ ମଜା ଉଠାଉଥିବା ଦେଖିବାକୁ ମିଳୁଛି। ବ୍ରିଜ୍‌, ସେତୁ ଓ ସାଇଫନ ନିକଟରେ ମାଛ ହାଟ ବସୁଛି। ବାଲିଅନ୍ତା ମହାତ୍ମା ସେତୁ, ଟଙ୍କପାଣି ବ୍ରିଜ, କୁଶଭଦ୍ରା ବ୍ରିଜ, ଜୟଦେବ ସେତୁ ଓ ଭାର୍ଗବୀ ବ୍ରିଜ ଉପରେ ଲୋକଙ୍କ ନାହିଁନଥିବା ଭିଡ଼ ଜମୁଛି। ଖେପା ଓ ପୋଳୁହରେ ଲୋକେ ମାଛ ଧରୁଥିବା ବେଳେ ଗ୍ରାହକମାନେ ବି ଭିଡ଼ ଜମାଉଛନ୍ତି। ବିଶେ‌ଷକରି ବାଲିପାଟଣା ଅଚ୍ୟୁତପୁର କାଜ ନିକଟରେ ମାଛ ହାଟ ବସୁଛି।

ଚିଙ୍ଗୁଡ଼ି, ଛୋଟ ଛଟା, ଚିତ୍ତଳ, ଫଳି, କଳାବଇଁଶି, ପୋହାଳା, ରୋହି ଓ ଭାକୁଡ଼ ମାଛ ଧରା ହେଉଛି। କିଲୋ ପିଛା ୨୦୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ପଡ଼ୁଛି। ପୋହଳା, କଳାବଇଁଶୀ ଓ ଚିଙ୍ଗୁଡ଼ି ମାଛର ଚାହିଦା ବେଶି। ମିରକାଳି ମାଛକୁ ବି ବେଶି ପସନ୍ଦ। ତେଣୁ ସେସବୁ ମାଛର ସାଇଜ୍‌ ଭଲ ରହିଲେ କିଲୋ ପିଛା ୩ ଶହ ଟପିଯାଉଛି। ବଡ଼ କଥା ହେଉଛି ମାଛ ଧରାଳିଙ୍କ ସଂଖ୍ୟାଠାରୁ ବହୁ ମାତ୍ରାରେ ବଳେଇ ପଡ଼ୁଛି ନଈମାଛ ଗ୍ରାହକଙ୍କ ଭିଡ଼। ବନ୍ୟା ଦେଖିବାକୁ ରାଜଧାନୀରୁ ଆସୁଥିବା ଲୋକମାନେ ମାଛ ନେବା ପାଇଁ ଗୋଡ଼ କୁଦାକୁଦି ହେଉଛନ୍ତି। ଜାଲରୁ ମାଛ ବାହାର ନହେଉଣୁ ବର୍ଦ୍ଧିତ ଦରରେ ନିଲାମ ହୋଇଯାଉଛି। ତେଣୁ ବହୁ ଗ୍ରାହକ ଦୁଃଖରେ ଫେରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe