ଉଦ୍‌ଯାପନୀରେ ଜମିଲା ପୁଷ୍ପ ପ୍ରଦର୍ଶନୀ : ୨୦ ହଜାର ଲୋକଙ୍କ ସମାଗମ

ପୁରସ୍କୃତ ହେଲେ ୫୦ରୁ ଅଧିକ ସଂସ୍ଥା

ଉଦ୍‌ଯାପନୀରେ ଜମିଲା ପୁଷ୍ପ ପ୍ରଦର୍ଶନୀ : ୨୦ ହଜାର ଲୋକଙ୍କ ସମାଗମ

ଭୁବନେଶ୍ବର : ୩୩ତମ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ପ୍ରାୟ ୨୦ ହଜାରରୁ ଅଧିକ ଦର୍ଶକ ଭଳିକି ଭଳି ଫୁଲର ଅପାର ସୌନ୍ଦର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମ ଦିନ ଅର୍ଥାତ୍ ଗତକାଲି କମ ସଂଖ୍ୟକ ଦର୍ଶକ ଆସିଥିବା ବେଳେ ଆଜି ରବିବାର ଥିବାରୁ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାୟ ଦଶଟି ଫାର୍ମ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଫୁଲକୁ ଲୋକେ ଦେଖିବା ସହିତ ସେଲ୍‌ଫି ନେବା ପାଇଁ କୌଣସି ମଉକା ଛାଡ଼ି ନଥିଲେ। ଏହି ଅବସରରେ ୨୧ଟି ବର୍ଗରେ ଭାଗ ନେଇଥିବା ପ୍ରାୟ ୬୨ଟି ସଂସ୍ଥା ମଧ୍ୟରୁ ୫୦ଟି ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ସରକାରୀ ବର୍ଗରେ ରାଜଭବନ, କର୍ପୋରେଟ୍‌ରେ ଇମ୍ଫା, ଔଷଧୀୟ ବଗିଚାରେ ମେଡିସିନାଲ ଗାର୍ଡେନ୍ ନଲେଜ୍ ସେଣ୍ଟର, ଭେଜିଟେବଲରେ ଜାଭିୟର୍ ୟୁନିଭର୍ସିଟି ପ୍ରମୁଖ ପୁରସ୍କୃତ ହୋଇଥିଲେ।

publive-image

ସେହିଭଳି ଧାମରା ପୋର୍ଟ ପୁଷ୍ପ ପ୍ରଦର୍ଶନୀରେ ବିଜେତା ହୋଇଥିଲା। ହର୍ଟିକଲଚର୍‌ ନିର୍ଦ୍ଦେଶକ ରୋହିତ୍ କୁମାର ଲେଙ୍କା, ପ୍ଲାଣ୍ଟ୍ ଲଭର୍ସ ଆସୋସିଏସନ୍‌ର ସଭାପତି କ୍ଷୀରୋଦ ପଟ୍ଟନାୟକ, ରିଜିଓନାଲ୍ ପ୍ଲାଣ୍ଟ୍ ରିସୋର୍ସ ସେଣ୍ଟର୍‌ର ମୁଖ୍ୟ ପରିଚାଳିକା ପୁସାଝୁଲେ ମେକ୍ରୋ ପ୍ରମୁଖ ଉପସ୍ଥିତ ଥିଲେ।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ସବୁଜ ବିଦ୍ୟାଳୟ ସମ୍ମାନ
ଆର୍‌ପିଆର୍‌ସି ଓ ପିଏଲ୍‌ଏ ପକ୍ଷରୁ ବଟାନିକାଲ ଗାର୍ଡେନ୍‌ରେ ଆୟୋଜିତ ୩୩ତମ ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ସବୁଜ ବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି। ହର୍ଟିକଲଚର୍‌ର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ସ୍କୁଲ୍‌ର ପ୍ରିନ୍ସିପାଲ୍ ନୀଳକଣ୍ଠ ପାଣିଗ୍ରାହୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ୩୦ହଜାର ବର୍ଗଫୁଟ୍‌ରେ ଲଗାଯାଇଥିବା ବିଭିନ୍ନ ପ୍ରକାରର ଫୁଲ, ଫଳ, ଔଷଧୀୟ ବୃକ୍ଷ ଦ୍ବାରା ସବୁଜିମା ପରିବେଶ ପାଇଁ ସ୍କୁଲ୍‌ କ୍ରମାଗତ ଭାବେ ୧୦ ବର୍ଷ ଧରି ଏହି ସମ୍ମାନ ଜିତିଆସୁଛି। ମହାମାରୀ କରୋନା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମାଳିମାନେ ଗଛଗୁଡ଼ିକର ଯତ୍ନ ନେଇ ବିଦ୍ୟାଳୟକୁ ପୁରସ୍କୃତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe