କସ୍‌ମୋପଲିସ୍‌ ଛକରେ ଫ୍ଲାଏ ଓଭର ହେବ

କସ୍‌ମୋପଲିସ୍‌ ଛକରେ ଫ୍ଲାଏ ଓଭର ହେବ

ଭୁବନେଶ୍ବର: ପଳାସୁଣି ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିବା ପରେ ଚେତା ପଶିଛି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରିଙ୍କୁ ଭେଟି ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ପାଇଁ ସୁପାରିଶ କରିଛନ୍ତି। ପୂର୍ବରୁ ହଂସପାଳ ଠାରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ପାଇଁ ତାଙ୍କର ଅବଦାନ ଥିବା ନେଇ ସାଂସଦ ବାହାଦୂରୀ ନେଇଥିଲେ। ବିଭିନ୍ନ ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସୁପାରିଶ କରିଥିବା ସେ ଟ୍ବିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, କସ୍‌ମୋପଲିସ୍‌ ଛକରେ ୨୦ କୋଟି ଟଙ୍କା ବିନିଯୋଗରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ହେବ। କସ୍‌ମୋପଲିସ୍‌ ଓ ଡୁମୁଡ଼ୁମାରୁ ଆସୁଥିବା ହଜାର ହଜାର ଲୋକ ଜାତୀୟ ରାଜପଥ ଅତିକ୍ରମ କରିବାକୁ ସମସ୍ୟା ଭୋଗୁଥିବାରୁ ଏଠା‌ରେ ଫ୍ଲାଏଓଭରବ୍ରିଜ୍‌ର ଦାବି ହୋଇ ଆସୁଥିଲା। ସେହିଭଳି ହୋଟେଲ କ୍ରାଉନ୍‌ ଓ ସତସଙ୍ଗ ବିହାର ଠାରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ। ଏଥିରେ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିଭଳି ସହର ଭିତରୁ ଭିଡ଼ କମାଇବା ପାଇଁ କ୍ୟାପିଟାଲ ରିଜିୟନ ରିଂ ରୋଡ ନିର୍ମାଣ କରାଯିବ। ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ରିଂ ରୋଡ୍‌ରେ ୫ ହଜାର ୭୪୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଭଳି ତିନୋଟି ପ୍ରକଳ୍ପରେ ମୋଟ ୫ ହଜାର ୭୬୭ କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ହେବାକୁ ଥିବା ସେ ଟ୍ବିଟରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe