ନୂଆଙ୍କୁ ଆଦର, ପୁରୁଣାଙ୍କୁ ଅଣଦେଖା

Advertisment

ଟ୍ରାଫିକ୍‌ ସ୍ୱେଚ୍ଛାସେବୀଙ୍କ କ୍ଷେତ୍ରରେ ପାତରଅନ୍ତର ଅଭିଯୋଗ

ଟ୍ରାଫିକ୍‌ ସ୍ୱେଚ୍ଛାସେବୀଙ୍କ କ୍ଷେତ୍ରରେ ପାତରଅନ୍ତର ଅଭିଯୋଗ

ଟ୍ରାଫିକ୍‌ ସମସ୍ୟା ନେଇ ଉଠିଲା ସ୍ୱର ‘କିଟ୍‌’ରେ ପୁଲିସର ଜନସମ୍ପର୍କ ଶିବିର

ଭୁବନେଶ୍ୱର: ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୨୦୧୫ ଏପ୍ରିଲ୍‌ରେ ସ୍ୱେଚ୍ଛାସେବୀମାନଙ୍କୁ ସାମିଲ୍‌ କରାଗଲା। ଲୋକମିତ୍ର ଓ ଅଲ୍‌ ଓଡ଼ିଶା କିନ୍ନର ମହାସଂଘର ପ୍ରାୟ ୬୦ଜଣ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ। ଦୁଇ ମାସ ତାଲିମ୍‌ ପରେ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଓହ୍ଲାଇଥିଲେ। ସେହି ସମୟରେ ନିଯୁକ୍ତି ପାଇଥିବା ଟ୍ରାଫିକ୍‌ ସ୍ୱେଚ୍ଛାସେବୀମାନେ ଟଙ୍କାଟିଏ ପାରିଶ୍ରମିକ ପାଇଲେନି। ତାଙ୍କ ପଛରେ ନିଯୁକ୍ତି ପାଇଥିବା ଛାତ୍ର ସ୍ୱେଚ୍ଛାସେବୀମାନେ ମାସକୁ ୩ ହଜାର ଟଙ୍କା ଲେଖାଏଁ ପାଉଛନ୍ତି। ଅଥଚ ପୁରୁଣାମାନଙ୍କୁ ପଚରା ଯାଉନାହିଁ। ବର୍ତ୍ତମାନ ରାଜଧାନୀରେ ୫୦ ଜଣ ଟ୍ରାଫିକ୍‌ ସ୍ୱେଚ୍ଛାସେବୀ ନିୟମିତ ଭାବେ ସପ୍ତାହକୁ ୩ ଦିନ ତିନି ଘଣ୍ଟା ଲେଖାଏଁ ଟ୍ରାଫିକ୍‌ ନିୟନ୍ତ୍ରଣରେ ନିୟୋଜିତ ହେଉଛନ୍ତି। ଡମଣା ଛକ, ନାଲ୍‌କୋ, ଜୟଦେବ ବିହାର, ବାଣୀବିହାର, ଶିଶୁ ଭବନ ଛକ, ମାଉସୀ ମା’ ଛକ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ସେମାନେ ନିଜ କର୍ତ୍ତବ୍ୟ ଶୃଙ୍ଖଳିତ ଭାବେ କରୁଥିଲେ ମଧ୍ୟ ସେମାନଙ୍କୁ କାହିଁକି ଅଣଦେଖା କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଡ୍‌ ଆଞ୍ଜେଲ୍‌ର ମେଣ୍ଟର୍‌ ଲିଙ୍କନ ସୁବୁଦ୍ଧି କହନ୍ତି, ତତ୍କାଳୀନ ପୁଲିସ କମିସନର୍‌ ଆର୍‌ ପି ଶର୍ମାଙ୍କ ପ୍ରୋଜେକ୍ଟ ଅନୁଯାୟୀ ୨୦୧୫ରେ ୧୦୦ରୁ ଊର୍ଧ୍ୱ ଟ୍ରାଫିକ୍‌ ସ୍ୱେଚ୍ଛାସେବୀ ୨ ବର୍ଷ ତାଲିମ ନେଲା ପରେ ନିଯୁକ୍ତ ହୋଇଥିଲେ। କିନ୍ତୁ କମିସନର୍‌ଙ୍କ ବଦଳି ପରେ ଚଳିତ ବର୍ଷ ଜାନୁଆରିରୁ ୩ ଦିନିଆ ତାଲିମ୍‌ ପାଇ ଛାତ୍ର ସ୍ୱେଚ୍ଛାସେବୀମାନେ ଟ୍ରାଫିକ୍‌ ନିୟନ୍ତ୍ରଣରେ ଯୋଗ ଦେଲେ। ସେମାନଙ୍କୁ ପାରିଶ୍ରମିକ ବାବଦକୁ ଦିନକୁ ୧୦୦ ଟଙ୍କା ଲେଖାଏଁ ମଧ୍ୟ ଦିଆଗଲା। କିନ୍ତୁ ଟ୍ରାଫିକ୍‌ ସ୍ୱେଚ୍ଛାସେବୀମାନେ ନବକଳେବର, ଦଶହରା, ଭିଭିଆଇପି ଡ୍ୟୁଟି ସହ ସମସ୍ତ ସ୍ୱତନ୍ତ୍ର ଡ୍ୟୁଟି ଓ ପରେଡ୍‌ରେ ସାମିଲ୍‌ ହେଉଥିଲେ ମଧ୍ୟ ସେମାନଙ୍କୁ କାହିଁକି ଅଣଦେଖା କରାଯାଉଛି ତାହାର ଉତ୍ତର କାହା ପାଖରେ ନାହିଁ। ପରିବହନ ବିଭାଗ କହୁଛି ଆମେ ଟଙ୍କା ଦେଉଛୁ। ଅଥଚ ଟ୍ରାଫିକ୍‌ ସ୍ୱେଚ୍ଛାସେବୀ କିମ୍ବା ଟ୍ରାଫିକ୍‌ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ତାହାର କୌଣସି ବିଭାଗୀକରଣ ହେଉନାହିଁ। ପୋଖରୀପୁଟ ଟ୍ରାଫିକ୍‌ ପୋଷ୍ଟରେ ଟ୍ରାଫିକ୍‌ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟରତ ଋତୁରାଣୀ ସାମଲ କୁହନ୍ତି, ଗତ ଅଢ଼େଇ ବର୍ଷରୁ ଊର୍ଧ୍ୱ ସମୟ ହେଲା ମୁଁ ଏଥିରେ ନିଷ୍ଠାର ସହ କାର୍ଯ୍ୟ କରୁଛି। ପାରିଶ୍ରମିକ ମିଳିବ ବୋଲି ମଧ୍ୟ ଶୁଣାଯାଉଛି। ଏହି ଆଶାରେ ଏଠାରେ ପଡ଼ିରହିଛି।

ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ସ୍ୱେଚ୍ଛାସେବୀମାନେ ବିନା ପାରିଶ୍ରମିକରେ ଟ୍ରାଫିକକୁ ସହଯୋଗ କରିବେ ବୋଲି କହିଥିଲେ। ସେହି ଅନୁଯାୟୀ ସ୍କିମ୍‌ ହୋଇଥିଲା। ତେବେ ଛାତ୍ରଛାତ୍ରୀମାନେ ଟ୍ରାଫିକ୍‌ ଭଲ୍ୟୁଣ୍ଟର ଭାବେ ଯୋଗ ଦେବା ପରେ ସେମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ପ୍ରସ୍ତାବରେ ରାଜି ହେବା ପରେ ଏବେ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଉଛି। ତେବେ ଏବେ ସ୍ୱେଚ୍ଛାସେବୀମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ମାସକ ମଧ୍ୟରେ ସ୍ୱେଚ୍ଛାସେବୀମାନଙ୍କୁ କମିସନରେଟ୍‌ ପୁଲିସ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe