ଅପରିଚ୍ଛନ୍ନ ପରିବେଶରେ ଆହାର କେନ୍ଦ୍ର

ଆହାର କେନ୍ଦ୍ରରେ ଅପରିଚ୍ଛନ୍ନ ପରିବେଶରେ ଲୋକଙ୍କୁ ଖାଦ୍ୟ ପରଷି ଦିଆଯାଉଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ମାଷ୍ଟରକ୍ୟାଣ୍ଟିନ୍ ବସ୍‌ଷ୍ଟାଣ୍ଡ୍‌ସ୍ଥିତ ଆହାର କେନ୍ଦ୍ରରେ। ଚାରିପାର୍ଶ୍ବରେ ଆବର୍ଜନା ଓ ମାଛି ଭଣଭଣ...

Untitled-2

ଭୁବନେଶ୍ୱର: ଆହାର କେନ୍ଦ୍ରରେ ଅପରିଚ୍ଛନ୍ନ ପରିବେଶରେ ଲୋକଙ୍କୁ ଖାଦ୍ୟ ପରଷି ଦିଆଯାଉଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ମାଷ୍ଟରକ୍ୟାଣ୍ଟିନ୍ ବସ୍‌ଷ୍ଟାଣ୍ଡ୍‌ସ୍ଥିତ ଆହାର କେନ୍ଦ୍ରରେ। ଚାରିପାର୍ଶ୍ବରେ ଆବର୍ଜନା ଓ ମାଛି ଭଣଭଣ ହେଉଥିଲେ ବି ଏହି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଲୋକେ ଖାଇବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି କାହାର ନିଘା ନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। 

ଲୋକଙ୍କ ସୁବିଧା ଓ ଜନଗହଳିକୁ ଦେଖି ମାଷ୍ଟରକ୍ୟାଣ୍ଟିନ୍ ବସ୍‌ଷ୍ଟାଣ୍ଡ୍‌ ଭିତରେ ଖୋଲାଯାଇଛି ୫ ଟଙ୍କିଆ ଆହାର କେନ୍ଦ୍ର। ପ୍ରତିଦିନ ଏଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି। କିନ୍ତୁ ଆହାର କେନ୍ଦ୍ର ସମ୍ମୁଖ ଓ ଚାରିପାର୍ଶ୍ବରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଛି। ଆହାର କେନ୍ଦ୍ରର ପ୍ରବେଶ ପଥର ବାମପାର୍ଶ୍ବରେ କେଉଁଠି ଅଇଁଠା ପତ୍ର ତ, କେଉଁଠି ପଚାସଢ଼ା ଆବର୍ଜନା ଗଦା ହୋଇରହିଛି। ଆଉ କେଉଁଠି ପଲିଥିନ୍ ଆବର୍ଜନା ପଡ଼ିଛି। ବହୁଦିନ ଧରି ଏହା ପଡ଼ିରହିବା ଫଳରେ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସବୁଆଡ଼େ ମାଛି ଭଣଭଣ ହେଉଛନ୍ତି। ବର୍ଷା ହେଲେ ତ ସ୍ଥିତି ଅସମ୍ଭାଳ। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ବି ଏ ଦିଗରେ ନିରବଦ୍ରଷ୍ଟା ସାଜିଛନ୍ତି। ସେପଟେ ଲୋକେ ଖାଇସାରିବା ପରେ ସଫା କଲା ବେଳେ ତଳେ ପଡ଼ିଥିବା ଅଇଁଠାକୁ ସେହିଭଳି ଆହାର କେନ୍ଦ୍ର ଦୁଆର ମୁହଁରେ ପକାଇ ଦିଆଯାଉଛି। ଆହାର କେନ୍ଦ୍ରରେ ଖାଦ୍ୟ ପରଷୁଥିବା କର୍ମଚାରୀମାନେ କହିଛନ୍ତି, କିଛି ବୁଲା ବିକାଳି ଏଠି ଜଳଖିଆ ବେପାର କରୁଛନ୍ତି। ବେପାର ପରେ ଅଁଇଠା ଠୋଲା, ପତ୍ର ସବୁ ଏଠି ଫିଙ୍ଗି ଦେଉଛନ୍ତି। ଏହାକୁ ଦୀର୍ଘ ଦିନ ଧରି ଉଠାଯାଉନି। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମେ ନିୟମିତ ଆହାର କେନ୍ଦ୍ର ପରିସର ସଫା କରୁଛୁ ବୋଲି ସେମାନେ କହିଛନ୍ତି। ତେଣୁ ଯିଏ ବି ଅଳିଆ ଗଦା କରୁ, ସେସବୁକୁ ତୁରନ୍ତ ସଫା କରିବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe