ଗାଡ଼ିରେ ପରୀକ୍ଷା ହେବ ୧୦ଟି ଖାଦ୍ୟ ନମୁନା

‘ଫୁଡ୍‌ ସେଫ୍‌ଟି ଅନ ହ୍ଵିଲ୍‌ସ’ଉଦ୍‌ଘାଟିତ

ଗାଡ଼ିରେ ପରୀକ୍ଷା ହେବ ୧୦ଟି ଖାଦ୍ୟ ନମୁନା

ଭୁବନେଶ୍ୱର: ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ‘ଫୁଡ୍‌ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ’ ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ରାଜ୍ୟ ଔଷଧ ନିଗମ ପରିସରରେ ଏହାର ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ମାନ ଅଧିକାରୀ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ଭ୍ରାମ୍ୟମାଣ ଗାଡ଼ି ଯୋଗାଇ ଦିଆଯାଇଛି। ଏଥିରେ ୧୦ଟି ଖାଦ୍ୟ ଓ ପାନୀୟ ନମୁନାର ପରୀକ୍ଷା ହୋଇପାରିବ। ଏହା ସହ ଅପମିଶ୍ରଣ ସଂପର୍କରେ ଲୋକମାନଙ୍କୁ ଏହି ଗାଡ଼ି ଜରିଆରେ ସଚେତନ କରାଯିବ ବୋଲି ଜଣାପଡ଼ିଛି। ଏହି ଭ୍ରାମ୍ୟମାଣ ଗାଡ଼ିରେ ଦୁଗ୍ଧ, ଦୁଗ୍ଧ ଜାତୀୟ ଦ୍ରବ୍ୟ, ଖାଇବା ତେଲ, ମିଠା, ଶସ୍ୟ, ଶସ୍ୟ ଜାତୀୟ ଦ୍ରବ୍ୟ, ଫଳ, ପନିପରିବା ଓ ପାନୀୟ ଜାତୀୟ ଦ୍ରବ୍ୟର ପରୀକ୍ଷା ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ଗାଡ଼ି ପହଞ୍ଚି ଘଟଣାସ୍ଥଳରେ ଏହାର ପରୀକ୍ଷା ହୋଇପାରିବ। ଦିନକୁ ଦିନ ଖାଦ୍ୟରେ ଅପମିଶ୍ରଣ ବଢ଼ି ଚାଲିଥିବା ନଜରକୁ ଆସୁଛି। ତେଣୁ ସବୁ ସମୟରେ ଖାଦ୍ୟ କିମ୍ବା ପାନୀୟ ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା କରିବା ସମ୍ଭବ ହୋଇପାରୁ ନାହିଁ। ତେଣୁ ‘ଫୁଡ ସେଫ୍‌ଟି ଅନ ହ୍ଵିଲ୍‌ସ’ ଗାଡ଼ି ତୃଣମୂଳସ୍ତରରେ ପହଞ୍ଚି ନମୁନା ସଂଗ୍ରହ କରି ଏହାର ପରୀକ୍ଷା କରିପାରିବ। ଏହି ଗାଡ଼ିର ଦାମ ୩୬ଲକ୍ଷ ଟଙ୍କା ରହିଛି। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେନା କହିଲେ, ଏହି ଭ୍ରାମ୍ୟମାଣ ଗାଡ଼ି ଘଟଣାସ୍ଥଳକୁ ଯାଇ ଖାଦ୍ୟ ଓ ପାନୀୟ ନମୁନାର ପରୀକ୍ଷା କରିବ। ୧୦ଟି ନମୁନା ଏଥିରେ ପରୀକ୍ଷା ହୋଇପାରିବ। ଫଳରେ ଅପମିଶ୍ରଣ ନେଇ ଯେଉଁ ଅଭିଯୋଗ ଆସୁଛି ତାହା ରୋକାଯାଇ ପାରିବ। ଏହାସହ ନମୁନା ସଂଗ୍ରହ କରାଯାଇ ମୁଖ୍ୟ ଲାବୋରେଟାରିକୁ ଅଣାଯାଇପାରିବ। ଏଭଳି ଗାଡ଼ି ରାଜ୍ୟରେ ପ୍ରଥମ। ଏବେ ଖୋର୍ଧା, କଟକ ଓ ଭୁବନେଶ୍ୱରରେ ପ୍ରଥମେ ଏହି ଗାଡ଼ି ଚଳାଚଳ କରିବ ଓ ପରବର୍ତୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନମୁନା ପରୀକ୍ଷା କରିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe