୧୭ ବର୍ଷ ହେଲା ଅନୁପଯୋଗୀ ହୋଇପଡ଼ିଛି ବାସ୍ନା ଚାଉଳ ବିହନ

Advertisment
ଓୟୁଏଟିରେ ପଢ଼ାଇବେ ବିଦେଶୀ ପ୍ରଫେସର

ଭୁବନେଶ୍ବର: ୧୭ ବର୍ଷ ହେଲା ଅନୁପଯୋଗୀ ହୋଇ ପଡ଼ିଛି ଓୟୁଏଟି ଏବଂ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଭେଟି ଦେଇଥିବା ୪ ପ୍ରକାରର ବାସ୍ନା ଚାଉଳ ବିହନ। କିଛି ମାସ ପୂର୍ବରୁ ବାସ୍ନା ଚାଉଳ ଚାଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହାକୁ ଅନୁମୋଦନ ମିଳୁନାହିଁ। ରାଜ୍ୟରେ ଯେଉଁ ୧୦ରୁ ୨୦ ହଜାର ହେକ୍ଟର ଚାଷ ହେଉଛି ତାହା ବି ଚାଷୀମାନେ ନିଜ ଉଦ୍ୟମରେ କରୁଛନ୍ତି। ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରୋତ୍ସାହନ ନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଓୟୁଏଟି ପ୍ରଫେସର ଏସ୍‌. ଆର୍‌. ଦାସଙ୍କ ଅନୁସାରେ, ଧାନ ସଂଗ୍ରହ ସମସ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବର୍ତ୍ତମାନ ସରକାର ଧାନ ବଦଳରେ ଅଣଧାନ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି। କିନ୍ତୁ ବାସ୍ତବ ପକ୍ଷରେ ରାଜ୍ୟର ଜଳବାୟୁ ଦୃଷ୍ଟିରୁ ଖରିଫ ସମୟରେ ଅଧିକାଂଶ ଜିଲ୍ଲାରେ କେବଳ ଧାନ ଚାଷହିଁ ସମ୍ଭବ ହେବ। ଅଣଧାନ ହେଲେ ବର୍ଷା, ବନ୍ୟା ଓ ବାତ୍ୟାରେ ଚାଷ ନଷ୍ଟ ହୋଇ ଚାଷୀ କ୍ଷତିଗ୍ରସ୍ତ ହେବେ। ସେହି ଦୃଷ୍ଟିରୁ ରାଜ୍ୟ ସରକାର ସମୁଦାୟ ଧାନ ଚାଷ କାର୍ଯ୍ୟକ୍ରମରେ ଅଧିକ ଚାହିଦା ଥିବା ବାସ୍ନାଯୁକ୍ତ ଚାଉଳ ଉତ୍ପାଦନକୁ ସାମିଲ କରିବା ଉଚିତ। ଯାହା ସରକାରୀସ୍ତରରେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୫ ମସିହାରେ ଓୟୁଏଟି ଏବଂ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ମିଳିତ ଭାବରେ ନୂଆ କଳାଜିରା ଭେଟି ଦିଆଯାଇ ଥିଲା। ଆଶା ଥିଲା, କୃଷି ବିଭାଗ ଅଧିକ ଅମଳକ୍ଷମ ବିହନ ପ୍ରସ୍ତୁତ କରି ଚାଷୀଙ୍କୁ ବିତରଣ କରିବ। ମାତ୍ର ଏହାକୁ ନେଇ ବିଭାଗ କୌଣସି ଗୁରୁତ୍ବ ଦେଲା ନାହିଁ। ଏହାପରେ ମଧ୍ୟ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଓଡ଼ିଶା ପାଇଁ ନୂଆ ଚିନି କାମିନି, ନୂଆ ଧୁସୁରା ଏବଂ ଭବାନୀପାଟନା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପାଇଁ ଓୟୁଏଟି ପକ୍ଷରୁ ନୂଆ ଆଚାରପତି ତିଆରି କରାଯାଇ କୃଷି ବିଭାଗକୁ ଦିଆଗଲା। କିନ୍ତୁ ଏହାକୁ ମଧ୍ୟ ଉପଯୋଗ କରାଗଲା ନାହିଁ। ଏଣେ କିନ୍ତୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ କଳାଜିରା ବିହନର ଚାଷ କରୁଛନ୍ତି। କିନ୍ତୁ ଏଥିରେ ସରକାରୀ ପ୍ରୋତ୍ସାହନ ନଥିବାରୁ ବ୍ୟାପକ ହୋଇପାରୁ ନାହିଁ। ତା’ଛଡ଼ା ଏହା ଦେଶୀ ବିହନ ହୋଇଥିବାରୁ ଏଥିରୁ ଅଧିକ ଉତ୍ପାଦନ ହୋଇ ପାରୁନଥିବା ଗବେଷକମାନେ ମତ ଦିଅନ୍ତି। ଓୟୁଏଟି, ସିଆରଆରଆଇ ଭେଟି ଦେଇଥିବା ବାସ୍ନା ଚାଉଳ ବିହନରୁ ଅଧିକ ଧାନ ଉତ୍ପାଦିତ ହୋଇ ପାରିବ ବୋଲି କୁହାଯାଉଛି।

ପ୍ରଫେସର ଦାସଙ୍କ ଅନୁସାରେ, ବର୍ତ୍ତମାନ ବଜାରରେ ବାସମତି ଏବଂ ବାସ୍ନା ଚାଉଳର ସ୍ବତନ୍ତ୍ର ଚାହିଦା ରହିଛି। ପାଣିପାଗ ଦୃଷ୍ଟିରୁ ବାସମତି ଚାଉଳ ଓଡ଼ିଶାରେ ସମ୍ଭବ ନୁହେଁ। ମାତ୍ର ୧୩୫ରୁ ୧୪୦ ଦିନିଆ ସଅଳ କିସମ ବାସ୍ନା ଚାଉଳ ଉତ୍ପାଦନ ହେଲେ ଓଡ଼ିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ। ଏଥିରେ ସାର ବ୍ୟବହାର ହୁଏ ନାହିଁ ଏବଂ ଉପକୂଳ ଓଡ଼ିଶାରେ ବାତ୍ୟା ଆସିବା ପୂର୍ବରୁ ଏହାର ଅମଳ ସରିଯାଇଥିବ। ଅମଳ ପରେ ୩ରୁ୬ ମାସ ପର୍ଯ୍ୟନ୍ତ ବାସ୍ନା ଚାଉଳ ରହୁଥିବାରୁ ସାଧାରଣ ଲୋକଙ୍କୁ ନିଜ ଆଡ଼କୁ ଟାଣେ। ଏଥିସହିତ ଏଥିରେ ସ୍ବତନ୍ତ୍ର ପୋଷଣ ଥିବାରୁ ମଧୁମେହ ରୋଗୀଙ୍କୁ କଳାଜିରା ଚାଉଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି। ମଣ୍ଡିରେ ସାଧାରଣ ଚାଉଳ ଭଳି ବିକ୍ରି ନକରି କ୍ଲଷ୍ଟର ସ୍ତରରେ ଏହାର ବିକ୍ରି ବ୍ୟବସ୍ଥା କରାଯାଇ ପାରିବ। ବାହାର ରାଜ୍ୟ ଏବଂ ଦେଶକୁ କୋରାପୁଟ କଳାଜିରା ଚାଉଳ ପଠାଇ ଯେଉଁଭଳି ସଫଳତା ପାଇଛି ସମଗ୍ର ରାଜ୍ୟର ଚାଷୀ ମଧ୍ୟ ଲାଭାନ୍ବିତ ହୋଇ ପାରିବେ। ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟ କୃଷି ବିଭାଗ କେବଳ ନିର୍ଦିଷ୍ଟ ଧାନ ବିହନ ବ୍ୟତୀତ ଅନ୍ୟ କୌଣସି ବିହନ ଚାଷକୁ ଗୁରୁତ୍ବ ଦେଉନାହିଁ। ଏଥିଯୋଗୁଁ ରାଜ୍ୟର ଚାଷ ଏବଂ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। କେବେ ରାଜ୍ୟ ସରକାର ବାସ୍ନା ଚାଉଳ ବିହନର ଉପଯୋଗ କରିବେ ତାକୁହିଁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe