image source-Sabrang India
ପୁରୁଣା ଭୁବନେଶ୍ୱର : ଦାଦାବଟି ଦାବି କରିବା ଅଭିଯୋଗରେ ଆଜି କମିସନରେଟ୍ ପୁଲିସ ୪ ଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଛି। ଏୟାର୍ ଫିଲଡ୍ ଥାନା ପୁଲିସ ୨ ଜଣକୁ ବାନ୍ଧିଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ୨ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏୟାର୍ଫିଲ୍ଡ ଥାନା ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ଓରକଳ ଗ୍ରାମର କାଳୁ ଚରଣ ପାତ୍ର (୩୨) ଓ ଜାମୁକୋଳି ଗ୍ରାମର ସିଲୁ ଓରଫ ସତ୍ୟ ରଞ୍ଜନ ସାହୁ (୨୭)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଥାନା ଅଧୀନ କଣ୍ଟିଲୋ ଗ୍ରାମରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଜଣେ ମହିଳା ଜମି କିଣିଥିଲେ। ସେ ତାଙ୍କ ଜମିରେ ଘର କାମ ଆରମ୍ଭ କରିବା ବେଳେ କାଳୁ ଓ ସିଲୁ ଦାଦା ବଟି ମାଗିଥିଲା। ଜମି ଜଗିଥିବା କହି ମହିଳାଙ୍କଠାରୁ ୧ଲକ୍ଷ ଟଙ୍କା ଦାବି କରିଥିଲେ ଓ ଟଙ୍କା ନ ଦେଲେ ଜମି ଉପରକୁ ନ ଆସିବାକୁ ଧମକ ଦେଇଥିଲେ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିଲୁ ଓ କାଳୁକୁ ଗିରଫ କରିଛି।
ସେହିଭଳି ବଡ଼ଗଡ଼ ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ, ବଡ଼ଗଡ଼ ପୋଡ଼ାସାହିର ଜଗନ୍ନାଥ ସିଂ ଓରଫ୍ ଜଗା ଏବଂ ନିମାପଡ଼ାର ଶାନ୍ତନୁ ବେହେରା ଓରଫ୍ ମିତ। ପୁଲିସ ସୂଚନା ଅନୁସାରେ, ଏହି ଦୁଇ ଅଭିଯୁକ୍ତ ମ୍ୟୁଜିୟମ୍ ଛକ ନିକଟରେ ଥିବା ସୀତାରାମ ମଠ ଆଗରେ ଅଟୋ ଚାଳକ ଲୋକନାଥ ସାହୁଙ୍କୁ ଦାଦାବଟି ମାଗିଥିଲେ। ସେ ବଟି ନ ଦେବାରୁ ଅଭିଯୁକ୍ତଦ୍ବୟ ତାଙ୍କ ଅଟୋକୁ ଭାଙ୍ଗିବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
Follow Us