ବିସ୍ଥାପିତ କଲେ କିନ୍ତୁ ସୁବିଧା ଦେବାକୁ ଭୁଲିଗଲେ; ୩ ବର୍ଷ ହେଲା ୪୦୦ ପରିବାର ଦହଗଞ୍ଜ

Advertisment

ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି ପ୍ରସୂତି, ନବଜାତ, ପଣ୍ଡାକୁଦିଆର ଅଙ୍ଗନବାଡ଼ି କେନ୍ଦ୍ର ଭୂତକୋଠି

ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି ପ୍ରସୂତି, ନବଜାତ, ପଣ୍ଡାକୁଦିଆର ଅଙ୍ଗନବାଡ଼ି କେନ୍ଦ୍ର ଭୂତକୋଠି

ବିସ୍ଥାପିତ କଲେ କିନ୍ତୁ ସୁବିଧା ଦେବାକୁ ଭୁଲିଗଲେ;  ୩ ବର୍ଷ ହେଲା ୪୦୦ ପରିବାର ଦହଗଞ୍ଜ

ଖଣ୍ଡଗିରି: ବିସ୍ଥାପିତ କରିଦେଲେ; କିନ୍ତୁ ସୁବିଧା ଦେବାକୁ ଭୁଲିଗଲେ। ଜଗନ୍ନାଥସାହି ବସ୍ତି ଏବଂ ଫାର୍ମସାହି ବସ୍ତିରୁ ଆସି ପଣ୍ଡାକୁଦିଆରେ ରହୁଥିବା ୪୦୦ ବିସ୍ଥାପିତ ପରିବାର ଏବେ ଏହି କାରଣରୁ ଦହଗଞ୍ଜ ହେଉଛନ୍ତି। ୩ ବର୍ଷରୁ ଊର୍ଧ୍ବ ସମୟ ହେଲା ସେମାନେ ଏଠାରେ ରହୁଥିଲେ ମଧ୍ୟ ଏଠାକାର ଲୋକଙ୍କ ପାଇଁ ଅଙ୍ଗନବାଡ଼ି ଏବଂ ଆଶାକର୍ମୀ ନିଯୁକ୍ତି ଦିଆଯାଉନାହିଁ। ଅନ୍ୟପକ୍ଷରେ ଏଠାରେ ନିର୍ମାଣ କରାଯାଇଥିବା ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବହୃତ ହୋଇ ନପାରି ଭୂତକୋଠି ପାଲଟିଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୧୮ ମସିହାରେ ଭୁବନେଶ୍ବରରେ ଆୟୋଜିତ ହକି ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ଜଗନ୍ନାଥସାହି ବସ୍ତିର ୨୯୦ ପରିବାର ଏବଂ ବର୍ଷେ ହେବ ଫାର୍ମସାହି ବସ୍ତିର ୧୧୦ ପରିବାରକୁ ପଣ୍ଡାକୁଦିଆରେ ଥଇଥାନ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ପଣ୍ଡାକୁଦିଆର ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ତାଲିକାରେ ଏହି ନୂତନ ବସ୍ତି ବାସିନ୍ଦାଙ୍କୁ ସାମିଲ କରାଯାଇନାହିଁ, ବରଂ ସେମାନଙ୍କ ନାମ ପୂର୍ବ ଭଳି ତାଙ୍କ ପୁରୁଣା ବସ୍ତିର ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ତାଲିକାରେ ରହିଛି। ସେହି ଅଞ୍ଚଳଟି ବର୍ତ୍ତମାନର ବସ୍ତିଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି। ଏଥିଯୋଗୁଁ ପ୍ରସବ ପୀଡ଼ାରେ ଛଟପଟ ମହିଳାଙ୍କୁ ଡାକ୍ତରଖାନା ଯିବା ପାଇଁ ପ୍ରଥମେ ଆଶାକର୍ମୀଙ୍କୁ ତାଙ୍କ ଘରୁ ନେବାକୁ ହୁଏ, ତା’ପରେ ଯାଇ ଡାକ୍ତରଖାନା ଯିବାକୁ ପଡ଼େ।

ଏପରିକି କିଛି ପ୍ରସୂତି ଡାକ୍ତରଖାନାରେ ଭର୍ତ୍ତି ପରେ ମଧ୍ୟ ଆଶାଦିଦି ଆସିନଥିବା ଅଭିଯୋଗ କରନ୍ତି। ଦୂରତା ମଧ୍ୟ ଅଧିକ ଥିବାରୁ ସ୍ବଳ୍ପ ବେତନଭୋଗୀ ଏହି ଦୁଇ ବର୍ଗର କର୍ମଚାରୀଙ୍କୁ ପ୍ରତିଦିନ ପଣ୍ଡାକୁଦିଆ ବସ୍ତି ଆସିବା ସମ୍ଭବ ହୁଏ ନାହିଁ। ପ୍ରସୂତିଙ୍କ ଖାଦ୍ୟ ୨ ମାସରେ ଦେଇଥାଆନ୍ତି। ଏଥିଯୋଗୁଁ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ସର୍ବାଧିକ ପ୍ରଭାବିତ ହେଉଛି। ବସ୍ତିର ୮ରୁ୯ ମାସର କିଛି ପିଲା ଅଛନ୍ତି ଯେଉଁମାନେ ଟିକା ମଧ୍ୟ ନେଇନାହାନ୍ତି। ଏଠାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ପ୍ରାୟ ଦେଢ଼ ବର୍ଷ ହେଲା ନିର୍ମାଣ ହୋଇ ଭୂତକୋଠି ପାଲଟିଲାଣି। କିନ୍ତୁ ପିଲାମାନେ ଅଙ୍ଗନବାଡ଼ି ଦିଦିଙ୍କ ଘରେ ପାଠ ପଢ଼ୁଥିବା ଅଭିଯୋଗ ହୋଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe