ଟ୍ରମା କେୟାର ସେଣ୍ଟର ପାଇଁ ବାଟ ଫିଟିଲା, କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ଟ୍ରମା କେୟାର ସେଣ୍ଟର ପାଇଁ ବାଟ ଫିଟିଲା, କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

Kalinga TV

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବାଟ ଫିଟିଛି। ଆଜି ହସ୍ପିଟାଲ‌ ପରିସରରେ ଜବରଦଖଲକୁ ‌ଉଚ୍ଛେଦ କରାଯାଇଛି। ତେଣୁ ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ରାଜଧାନୀରେ ଦୁର୍ଘଟଣା ବହୁ ସଂଖ୍ୟାରେ ବଢ଼ି ଚାଲିଛି। ସହର ଭିତରେ ହେଉ ବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ତେଣୁ ଏସବୁ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଉଛି। ତେବେ ଦୁର୍ଘଟଣାରେ ଗୁରୁତର ରୋଗୀମାନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ‌ରେ ଟ୍ରମା କେୟାର ସୁବିଧା ନାହିଁ। ତେଣୁ ପୂର୍ବରୁ ରୋଗୀମାନଙ୍କୁ କଟକସ୍ଥିତ ଟ୍ରମା କେୟାର ସେଣ୍ଟରକୁ ରେଫର କରିବାକୁ ପଡ଼ୁଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାର ରାଜଧାନୀର ୩ଟି ଘରୋଇ ହସ୍ପିଟାଲରେ ଗୁରୁତର ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସେବା ଆରମ୍ଭ କରିଥିଲେ। ଏହା ଜାରି ରହିଥିବା ବେଳେ କିଛି ବର୍ଷ ପୂର୍ବରୁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲରେ ଏକ ଟ୍ରମାକେୟାର ସେଣ୍ଟର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିପାଇଁ ଜାଗା ସମସ୍ୟା ଉପୁଜିଥିଲା। ଟ୍ରମା କେୟାର ସେଣ୍ଟର ନିର୍ମାଣ ହେବା ଜାଗାକୁ ନେଇ ବିବାଦ ଦେଖା ଦେଇଥିଲା। ଏପରିକି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ତେବେ ୮/୧୦ ଦିନ ପୂର୍ବରୁ ସଂପୃକ୍ତ ଜାଗାକୁ ଉଚ୍ଛେଦ କରିବା ପାଇଁ କୋର୍ଟଙ୍କ ନିର୍ଦେଶ ଆସିବା ପରେ ଆଜି ସେଠାରେ ଥିବା ଔଷଧ ଦୋକାନକୁ ଭାଙ୍ଗି ଦିଆଯାଇଛି। ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe