ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସୁଅ

Advertisment

ନଭେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ବିଦେଶୀଙ୍କ ଆଗମନ, ବିଦେଶୀଙ୍କ ସୂତ୍ରରୁ ଆୟ ୩୮୮ କୋଟି

ନଭେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ବିଦେଶୀଙ୍କ ଆଗମନ, ବିଦେଶୀଙ୍କ ସୂତ୍ରରୁ ଆୟ ୩୮୮ କୋଟି

ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସୁଅ

ଭୁବନେଶ୍ୱର: ଓଡ଼ିଶାକୁ ବଢ଼ିଛି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ। ପୂର୍ବ ବର୍ଷ ତୁଳନାରେ ୨୦୧୭ ବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ୨୦୧୭ ନଭେମ୍ବର ସୁଦ୍ଧା ୮୪ହଜାର ୬୫୮ ଜଣ ବିଦେଶୀ ଓଡ଼ିଶାକୁ ଭ୍ରମଣ କରିଥିବା ଜଣାପଡ଼ିଛି। କେବଳ ନଭେମ୍ବର ମାସରେ କେବଳ ୧୩ ହଜାର ୪୭୩ ଜଣ ବିଦେଶୀ ଓଡ଼ିଶାକୁ ଆସିଛନ୍ତି। ୨୦୧୬ ବର୍ଷରେ ମୋଟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୭୬ହଜାର ୩୬୧ରେ ସୀମିତ ଥିଲା। ତେବେ ଗତ ଡିସେମ୍ବର ମାସର ତଥ୍ୟ ଆସିଲେ ୨୦୧୭ ବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧ଲକ୍ଷ ଟପିଯିବ ବୋଲି ପର୍ଯ୍ୟଟନ ବିଭାଗର ନିର୍ଦେଶକ ନୀତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି। ଶ୍ରୀ ଜଓ୍ଵାଲେଙ୍କ ସୂଚନା ମୁତାବକ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସହ ପର୍ଯ୍ୟଟନ ସୂତ୍ରରୁ ରାଜସ୍ୱ ବି ବଢ଼ିଛି। ୨୦୧୬ରେ କେବଳ ବିଦେଶୀ ପର୍ଯ୍ୟଟକଙ୍କଠାରୁ ଆୟ ୩୫୦ କୋଟି ଥିବା ବେଳେ ୨୦୧୭ ନଭେମ୍ବର ସୁଦ୍ଧା ଏହା ୩୮୮.୦୫କୋଟି ଛୁଇଁଛି। ବିସ୍ମୟର କଥା ହେଉଛି, ୨୦୧୫ ନବକଳେବର ବର୍ଷରେ ପର୍ଯ୍ୟଟନ ବିଭାଗ ତା’ର ଭିତ୍ତିଭୂମିର ବିକାଶ ପାଇଁ ବହୁ ଅର୍ଥ ବ୍ୟୟ କରିଥିଲେ ହେଁ ସେହିବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୬୬ହଜାର ୯୭୧ ଥିଲା। ଯାହା ୨୦୧୪ରେ ଆସିଥିବା ୭୧ହଜାର ୪୨୬ ସଂଖ୍ୟାଠାରୁ ବି କମ୍‌। ତେବେ ସଂପ୍ରତି ଏହି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତବର୍ଷ ଜୁଲାଇରେ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନ୍‌ସିପ୍‌ ଏବଂ ଡିସେମ୍ବରରେ ବିଶ୍ୱ ହକି ଲିଗ୍‌ ପାଇଁ ବହୁ ବିଦେଶୀଙ୍କ ଆଗମନ ବଢ଼ିଥିବା କୁହାଯାଉଛି। ସେହିପରି ୨୦୧୭ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ଏୟାରପୋର୍ଟରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାରପ୍ରସାର ଏବଂ ମୁମ୍ବାଇ ମେଟ୍ରୋ ଟ୍ରେନ୍‌ରେ ବ୍ରାଣ୍ଡିଂର ପ୍ରଭାବ ଏଥିରେ ପ୍ରମୁଖ ଭୂମିକା ନେଇଛି ବୋଲି ଶ୍ରୀ ଜଓ୍ଵାଲେ କହିଛନ୍ତି।

ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ରେକର୍ଡ ଅନୁଯାୟୀ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ପ୍ରକାଶ ପାଇଛି। ଏନ୍‌ସିଆର୍‌ବିର ରିପୋର୍ଟ ଅନୁଯାୟୀ ୨୦୧୪ରୁ ୨୦୧୬ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଦ୍ୱାରା ୪ଟି ଆପରାଧିକ ମାମଲା ହୋଇଛି। ୩ ବର୍ଷ ମଧ୍ୟରେ ସମସ୍ତ ଆପରାଧିକ ମାମଲା କେବଳ ପୁରୀରେ ଘଟିଛି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଗକୁ ବିଭାଗ ପକ୍ଷରୁ ଆହୁରି ବ୍ରାଣ୍ଡିଂ କରାଯିବାର ଯୋଜନା ରହିଥିବା ବେଳେ ଅନ୍ତର୍ଜାତୀୟ ଖେଳ ଆୟୋଜନ ଦୃଷ୍ଟିରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଆସନ୍ତା ବର୍ଷ ଦେଢ଼ ଲକ୍ଷ ଟପିବା ଆଶା କରାଯାଉଛି ବୋଲି ଶ୍ରୀ ଜଓ୍ଵାଲେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe