ଭୁବନେଶ୍ବର: ସମ୍ପ୍ରତି ହତ୍ୟାକାଣ୍ଡଗୁଡ଼ିକର ତରିକା ବଦଳିବାରେ ଲାଗିଛି। ପୁଲିସକୁ ଚକ୍ମା ଦେବାକୁ ଅପରାଧୀମାନେ ନୂଆନୂଆ କୌଶଳ ଅବଲମ୍ବନ କରୁଛନ୍ତି। ତେଣୁ ସେସବୁକୁ ପ୍ରମାଣ କରିବା ପାଇଁ କେବଳ ବୈଷୟିକ ପଦ୍ଧତିର ତଦନ୍ତ ହିଁ ସାହା ଭରସା। ଫଳରେ ଦିନକୁ ଦିନ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବୋରେଟୋରି(ଏସ୍ଏଫ୍ଏସ୍ଏଲ୍)ର ଗୁରୁତ୍ବ ବଢ଼ିବାରେ ଲାଗିଛି। ମାତ୍ର ଆମ ରାଜ୍ୟର ଏହି ଲାବ୍ ବେଶ୍ ପୁରୁଣା ଏବଂ ଦୁର୍ବଳ ଭିତ୍ତିଭୂମି ଉପରେ ଠିଆହୋଇଛି। ତେଣୁ ବହୁ ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ପାଇଁ ଅନ୍ୟ ରାଜ୍ୟ ଲାବ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅଭିଯୁକ୍ତର ପରୀକ୍ଷା ପାଇଁ ହେଉ କି ଅନ୍ୟ କୌଣସି ପରୀକ୍ଷା ପାଇଁ ହେଉ, ବାହାର ରାଜ୍ୟକୁ ଯିବା ପାଇଁ ପଡ଼ୁଛି।
ଏଣିକି ଏହି ସମସ୍ୟା ଦୂର ହୋଇଯିବ। ଏସ୍ଏଫ୍ଏସ୍ଏଲ୍କୁ ଅତ୍ୟାଧୁନିକ କରିବାକୁ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏସ୍ଏଫଏସ୍ଏଲ୍କୁ ସୁଦୃଢ଼ କରିବା ପାଇଁ ଖୁବ୍ଶୀଘ୍ର ୩୬ଟି ଅତ୍ୟାଧୁନିକ ଭ୍ୟାନ୍ ଯୋଗାଇଦିଆଯିବ। ମୁଖ୍ୟାଳୟ ସହ ରାଜ୍ୟର ଅନ୍ୟ ଜିଲ୍ଲାରେ ଥିବା ଶାଖାକୁ ଭ୍ୟାନ୍ ପ୍ରଦାନ କରାଯିବ। ସେହିଭଳି ଏଠାରେ କାମ କରୁଥିବା ମାନବ ସମ୍ବଳକୁ ମଧ୍ୟ ସଶକ୍ତ କରାଯିବ। ଏସ୍ଏଫ୍ଏସ୍ଏଲ୍ ପାଇଁ ଆବଶ୍ୟକ ଥିବା ୨୪୭ ପଦବି ସୃଷ୍ଟି ହେବ। ଜଣେ ଜୁନିଅର ଡାଇରେକ୍ଟର, ୨ଜଣ ଡେପୁଟି ଡାଇରେକ୍ଟର, ୨୦ଜଣ ଆସିଷ୍ଟାଣ୍ଟ ଡାଇରେକ୍ଟର, ୬୫ଜଣ ବରିଷ୍ଠ ସାଇଣ୍ଟିଫିକ୍ ଅଧିକାରୀ, ୭୧ଜଣ ସାଇଣ୍ଟିଫିକ୍ ଅଧିକାରୀ, ୨୧ଜଣ ବରିଷ୍ଠ ଫୋରେନ୍ସିକ୍ ଆଟେଣ୍ଡାଣ୍ଟ ଏବଂ ୬୭ଜଣ କନିଷ୍ଠ ଫୋରେନ୍ସିକ୍ ଆଟେଣ୍ଡାଣ୍ଟ ପଦବି ସୃଷ୍ଟି କରିବା ପାଇଁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Follow Us