ସାପ ବିଷ ପରୀକ୍ଷଣ ପାଇଁ କୋଲ୍‌କାତା ଓ ବେଙ୍ଗାଲୁରୁ ଗଲେ ବନବିଭାଗ କର୍ମଚାରୀ

Advertisment

ଆଜି ଡିଏଫ୍‌ଓ ନିଜେ ଯିବେ ବେଙ୍ଗାଲୁରୁ!

ଆଜି ଡିଏଫ୍‌ଓ ନିଜେ ଯିବେ ବେଙ୍ଗାଲୁରୁ!

ସାପ ବିଷ ପରୀକ୍ଷଣ ପାଇଁ କୋଲ୍‌କାତା ଓ ବେଙ୍ଗାଲୁରୁ ଗଲେ ବନବିଭାଗ କର୍ମଚାରୀ

ଭୁବନେଶ୍ବର: ଆନ୍ତର୍ଜାତିକ ବଜାରର ମୂଲ୍ୟ ଅନୁଯାୟୀ ପ୍ରାୟ ୧୬କୋଟିରୁ ଅଧିକ ଟଙ୍କାର ସାପ ବିଷ ଜବତ ହେବା ପରେ ଏବେ ଏହି ବିଷର ପରୀକ୍ଷଣ ପାଇଁ ଭୁବନେଶ୍ବର ବନ ବିଭାଗ ରାଜ୍ୟ ବାହାରକୁ ନମୁନା ପଠାଇଛି। ଗତକାଲି ରାତିରେ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପଶ୍ଚିମବଙ୍ଗକୁ ନମୁନା ପରୀକ୍ଷଣ ପାଇଁ ଯାଇଥିଲାବେଳେ ଆଜି ଆଉ ଜଣେ କର୍ଣ୍ଣାଟକକୁ ପରୀକ୍ଷଣ ପାଇଁ ଯାଇଛନ୍ତି। କୋଲ୍‌କାତାସ୍ଥିତ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆରେ ଏହି ସାପ ବିଷ ପରୀକ୍ଷଣ ହେବା ପାଇଁ ଯାଇଛି। ସେହିଭଳି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ଆଜି ଯାଇଥିବା ନମୁନା ପରୀକ୍ଷଣ କରାଯିବ। ତେବେ ଆସନ୍ତାକାଲି ନିଜେ ଡିଏଫ୍‌ଓ ବେଙ୍ଗାଲୁରୁସ୍ଥିତ ଏହି ପରୀକ୍ଷଣ କେନ୍ଦ୍ରକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି।

ସେହିଭଳି ୮ ବର୍ଷ ତଳେ ଅର୍ଥାତ୍ ୨୦୧୩ ଅକ୍ଟୋବର ୨୧ରେ ଠିକ୍ ଏହି ଭଳି ଏକ ସାପ ଗରଳ ସ୍ମଗଲିଂ ବେଳେ ଭୁବନେଶ୍ବର ବନ ବିଭାଗ ୬ ଜଣିଆ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ଶହ ମିଲିଲିଟର ବିଷ ଜବତ କରିଥିଲା। ହେଲେ ଏହାକୁ ସାପ ଗରଳ ବୋଲି ପ୍ରମାଣିତ କରିବାରେ ବନ ବିଭାଗ ବିଫଳ ହୋଇଥିଲା। ନିକଟରେ ବନ ବିଭ‌ାଗ ୧୬ଶହ ମିଲିଲିଟର ସାପ ବିଷ ଜବତ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏ ପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ଦାଶ ଫେରାର୍ ହୋଇଥିବାରୁ ସାପ ବିଷ କେଉଁଠୁ ସଂଗ୍ରହ କରାଯାଇ କୁଆଡ଼େ ଚାଲାଣ ହେବାକୁ ଥିଲା; ତା’ର କୌଣସି ଠୋସ୍ ସୂଚନା ପାଇବାରେ ବନ ବିଭାଗ ବିଫଳ ହୋଇଛି। ମାମଲାରେ ଅନ୍ତଃରାଜ୍ୟ ସ୍ମଗଲର୍‌ଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ବାହାର ରାଜ୍ୟର କୌଣସି ଅପରାଧୀଙ୍କୁ ଗିରଫ କରାଯାଇନାହିଁ।

ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଭୁବନେଶ୍ବର ବନ ବିଭାଗ କ୍ରାଇମ୍‌ବ୍ରାଞ୍ଚ୍‌ର ସହାୟତା ପାଇଁ ଚିଠି କରିଥିବା ବେଳେ ଏଯାଏ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ ୮ ବର୍ଷ ତଳେ ସାପ ବିଷ ଜବତ ମାମଲାରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ଭାର ପାଇଥିଲା। ମାତ୍ର ଘଟଣାର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe