୨୧ରେ ନୂଆ ଷ୍ଟାଣ୍ଡିଂ କମିଟି ଗଠନ, ୨୮ରେ କର୍ପୋରେସନ ବୈଠକ

Advertisment

ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଉଥିଲେ, ଏବେ ଲଢ଼େଇ

ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଉଥିଲେ, ଏବେ ଲଢ଼େଇ

ବିଏମ୍‌ସିରେ ୫୪ ଲକ୍ଷର ଭାଉଚର ଉଭାନ ଘଟଣା: ଲୋକାୟୁକ୍ତଙ୍କ ପାଖରେ ରିପୋର୍ଟ

ଭୁବନେଶ୍ୱର: ବିଏମ୍‌ସିରେ ଗଠନ ହୋଇଥିବା ୧୦ଟି ଷ୍ଟାଣ୍ଡିଂ କମିଟିର କାର୍ଯ୍ୟକାଳ ଆସନ୍ତା ୨୧ରେ ଶେଷ ହେଉଛି। ଏଣୁ ନୂଆ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ଆସନ୍ତା ୨୧ ତାରିଖରେ ବୈଠକ ବସିବ। କେବଳ ମେୟରଙ୍କ ଅଧ୍ୟକ୍ଷତାରେ ଥିବା କଣ୍ଟ୍ରାକ୍ଟ୍‌ସ୍‌ କମିଟିକୁ ଛାଡ଼ିଦେଲେ ୯ଟି କମିଟିର ଉଭୟ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ନିର୍ବାଚନ ହେବ। ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ ଓ ସାଢ଼େ ଗୋଟାଏ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ୨୦୨୨ ମସିହାରୁ ବା ନୂଆ କର୍ପୋରେସନ ଗଠନ ହେବା ଦିନ ଠାରୁ ଦୁଇବର୍ଷ ହେବ ଏହି ପଦରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଧ୍ୟକ୍ଷ ଓ ସଦସ୍ୟମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥର ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ସେହିଭଳି ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ତିନିମାସ ହେଲା ମାସିକ କର୍ପୋରେସନ ବନ୍ଦ ରହିଥିଲା। ଏହି ବୈଠକ ଆସନ୍ତା ୨୮ ତାରିଖରେ ବସିବ। ଏଥର ବିଜେପି ବିଧାୟକ ବୈଠକରେ ବସିବାକୁ ଥିବାରୁ ମନଇଚ୍ଛା ପାରିତ ହେଉଥିବା ପ୍ରସ୍ତାବ ଉପରେ ରୋକ୍‌ ଲାଗିବାକୁ ଯାଉଥିବାରୁ ଏହି ବୈଠକ ମଧ୍ୟ ସରଗରମ ହେବ ବୋଲି କୁହାଯାଉଛି।

ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଉଥିଲେ, ଏବେ ଲଢ଼େଇ
୩ ମାସ ହେଲା ବସିନଥିଲା ମାସିକ ବୈଠକ

୨୦୨୨ ମସିହା ମାର୍ଚ୍ଚ ମାସରେ ନୂଆ କର୍ପୋରେସନ ଗଠନ ହୋଇଥିଲା। ତିନିବର୍ଷ ଧରି ପ୍ରଶାସକମାନେ ଦାୟିତ୍ବରେ ରହିବା ପରେ ପୌର ନିର୍ବାଚନ ହୋଇଥିଲା। ନୂଆ କର୍ପୋରେସନ ଗଠନ ହେବା ପରେ ପରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଗଠନ ହୋଇଥିଲା। ୯ଟି କମିଟିର ୯ ଜଣ ଅଧ୍ୟକ୍ଷ ଓ ସେଥିରେ ୪୩ ଜଣ ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ବିଜେଡି ସରକାରର ଶାସନ ଚାଲିଥିବା ବେଳେ ଏହି ପୌର ନିର୍ବାଚନରେ ବିଜେଡି ମୋଟ ୬୭ ୱାର୍ଡରୁ ୪୮ଜଣ କର୍ପୋରେଟର ନେଇ ବହୁମତ ହାସଲ କରିଥିଲା। ନିର୍ବାଚନ ପରେ ଆଉ ୭ଜଣ ସ୍ବାଧୀନ ବିଜେଡିରେ ମିଶିବା ପରେ ଏହି ସଂଖ୍ୟା ୫୫ରେ ପହଞ୍ଚିଥିଲା। ୧୦ଟି ୱାର୍ଡ ମାତ୍ର ବିଜେପି କବ୍‌ଜାରେ ଥିବା ବେଳେ ଦୁଇ ଜଣ ସ୍ବାଧୀନ କର୍ପୋରେଟର ବିଜେଡିରେ ସାମିଲ ହୋଇନାହାନ୍ତି। ଷ୍ଟାଣ୍ଡିଂ କମିଟିର ଆୟୂଷ ୧ ବର୍ଷ। ଅର୍ଥାତ୍‌ ନିର୍ବାଚନ ପରେ ଦୁଇ ଥର ଏହି କମିଟି ଗଠନ ହୋଇଛି। ରାଜ୍ୟରେ ବିଜେଡି ଓ ବିଏମ୍‌ସିରେ ବି ବିଜେଡି ଥିବାରୁ ଉପରମୁଣ୍ଡରୁ ଯାହା ନାଁ ସୁପାରିସ ହେଉଥିଲା ଏଥିରେ କେହି ପ୍ରତିବାଦ କରୁନଥିଲେ। ଫଳରେ ଏକମାତ୍ର ପ୍ରାର୍ଥୀପତ୍ର ଯୋଗୁ ଦୁଇ ଦୁଇ ଥର ସମାନ ଅଧ୍ୟକ୍ଷ ଓ ସଦସ୍ୟ ରହି ଆସିଥିଲେ। କିନ୍ତୁ ଏବେ ସରକାର ବଦଳିଛନ୍ତି। ଏଣେ ବିଜେଡିରେ ବି ଅନ୍ତର୍ଦ୍ବନ୍ଦ୍ବ ବଢ଼ିଛି। ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ) ବିଧାୟକ ଟିକେଟ୍‌ପାଇଁ ଲବିରେ ରହିଥି‌ଲେ। ଟିକେଟ୍‌ ନପାଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜେଡି ଆଶାୟୀଙ୍କ ସହ ସମାନ୍ତରାଳ ଶୋଭାଯାତ୍ରା‌, ପ୍ରଚାର କରୁଥିଲେ। ଯଦିଓ ଶେଷ ମୂହୁର୍ତ୍ତରେ ବୁଝାମଣା ହୋଇଥିଲା କିନ୍ତୁ ଉଭୟଙ୍କୁ ବିଜେଡି ପ୍ରାର୍ଥୀଙ୍କ ସହ ଦେଖିବାକୁ ମିଳିନଥିଲା ଯଦିଓ ଅନ୍ୟ ସମସ୍ତ ବିଜେଡି କର୍ପୋରେଟର ବିଜେଡି ପ୍ରାର୍ଥୀଙ୍କ ସହ ରହିଥିଲେ। ଏବେ ଉଭୟ କର୍ପୋରେଟର ଦୁଇଟି ମୁଖ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି। ବାଇଁଆଙ୍କ ହାତରେ ପବ୍ଲିକ୍‌ ୱାର୍କସ୍‌ ଥିବା ବେଳେ ଲିଟୁଙ୍କ ହାତରେ ରହିଛି ଜନସ୍ବାସ୍ଥ୍ୟ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ କମିଟି। ଏହି ଦୁଇଟି କମିଟି ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଥର ଏକାଧିକ ପ୍ରାର୍ଥୀପତ୍ର ଦାଖଲ ପାଇଁ କର୍ପୋରେଟର ପ୍ରସ୍ତୁତ ହେଉଥିବା କହିଛନ୍ତି।

ଅନ୍ୟପଟେ ୨୮ ତାରିଖରେ କର୍ପୋରେସନ ବୈଠକ ବସିବାକୁ ଯାଉଛି। ଗତ ଫେବ୍ରୁଆରିରେ ଶେଷ ବୈଠକ ବସିଥିଲା। ଆଦର୍ଶ ନିର୍ବାଚନ ଆଚରଣ ବିଧି ପାଇଁ ଏହା ବନ୍ଦ ରହିଥିଲା। ପୂର୍ବରୁ ବିଜେଡି ସରକାର ଥିବାରୁ ସମସ୍ତ ପ୍ରସ୍ତାବ ପାରିତ ହୋଇଯାଉଥିଲା। ଅଭିଯୋଗ ହେଉଥିଲେ ବି କୌଣସି ପ୍ରଭାବ ପଡ଼ୁନଥିଲା। କିନ୍ତୁ ଏବେ ରାଜ୍ୟରେ ବିଜେପି ସରକାର ଥିବା ବେଳେ ବିଜେପିର ଏକାମ୍ର ବିଧାୟକ ଏହି ବୈଠକରେ ବସିବେ। ଏଣୁ ବିଏମ୍‌ସିର ପ୍ରସ୍ତାବ ସବୁ ସହଜରେ ପାରିତ ହେବା ସମ୍ଭବ ହେବ ନାହିଁ। ଏହି ବୈଠକ ମଧ୍ୟ ସରଗରମ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe