ପୂର୍ବତନ କର୍ପୋରେଟର ଚିତ୍‌ପଟାଙ୍ଗ୍: ଦୁଇ ନିର୍ବାଚନମଣ୍ଡଳୀ ବିଜେଡି ସଭାପତି ପରାସ୍ତ

Advertisment
ପୂର୍ବତନ କର୍ପୋରେଟର ଚିତ୍‌ପଟାଙ୍ଗ୍: ଦୁଇ ନିର୍ବାଚନମଣ୍ଡଳୀ ବିଜେଡି ସଭାପତି ପରାସ୍ତ

ଭୁବନେଶ୍ବର: ବିଜେଡି ଟିକେଟ୍‌ ହାତେଇଥିବା ବହୁ ପୂର୍ବତନ କର୍ପୋରେଟର ଚଳିତ ନିର୍ବାଚନରେ ଚିତ୍‌ପଟାଙ୍ଗ୍‌ ମାରିଛନ୍ତି। ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କୁ ଟିକେଟ୍‌ ଦେଇଥିବା ପୂର୍ବତନ କର୍ପୋରେଟରଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। କିଏ ସ୍ବା‌ଧୀନ ପ୍ରାର୍ଥୀଙ୍କଠାରୁ ହାରିଛନ୍ତି ତ ଆଉ କାହାକୁ ବିଜେପି ପ୍ରାର୍ଥୀ ପରାଜିତ କରିଛନ୍ତି। ଏକାମ୍ର ଓ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ବିଜେଡି ସଭାପତିଙ୍କୁ ବି ପରାଜୟର ମୁହଁ ଦେଖିବାକୁ ମିଳିଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ ୯ ନମ୍ବର ୱାର୍ଡରୁ ୨୦୧୪ରେ ସ୍ବାଧୀନ ପ୍ରାର୍ଥୀ ଭାବେ ସୂର୍ଯ୍ୟକାନ୍ତି ଜେନା ବିଜୟୀ ହୋଇଥିଲେ। ପରବର୍ତୀ ସମୟରେ ବିଜେଡିରେ ସାମିଲ ହୋଇ ନିର୍ବାଚନମଣ୍ଡଳୀ ସଭାପତି ପଦରେ ବସିଥିଲେ। ଲାଗୁଥିଲା ଏଥର ତାଙ୍କର ବିଜୟ ସୁନିଶ୍ଚିତ ମାତ୍ର। ସ୍ବାଧୀନ ପ୍ରାର୍ଥୀ ସୁଷମା ସାହୁ ତାଙ୍କୁ ପରାସ୍ତ କରିଛନ୍ତି। ୬୦ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ହୋଇଥିବା ଏକାମ୍ର ଭୁବନେଶ୍ବର ବିଜେଡି ସଭାପତି ରାଜେନ୍ଦ୍ର ସାମର୍ଥା ପରାସ୍ତ ହୋଇଛନ୍ତି।

ଏଠା‌ରେ ବି ସ୍ବାଧୀନ ପ୍ରାର୍ଥୀ ଚନ୍ଦ୍ର‌ଶେଖର ମଲ୍ଲିଆ ବିଜେଡି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଛନ୍ତି। ରାଜେନ୍ଦ୍ରଙ୍କ ପତ୍ନୀ ଦୀପ୍ତିମୟୀ ସାମର୍ଥା ପୂର୍ବରୁ କର୍ପୋରେଟର ରହିଥିଲେ।
ଏ ତ ଗଲା ନିର୍ବାଚନ ମଣ୍ଡଳୀ ସଭାପତିମାନଙ୍କ କଥା। ଚଳିତ ନିର୍ବାଚନରେ କୋଟିପତି ପ୍ରାର୍ଥୀ ତଥା ୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ୪ ନମ୍ବର ୱାର୍ଡର ଗତ ନିର୍ବାଚନରେ ଗାୟତ୍ରୀ ଲେଙ୍କା କର୍ପୋରେଟର ଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କ ସ୍ଵାମୀ ଅକ୍ଷୟ କୁମାର ‌ଲେଙ୍କା ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ବିଜୟ ହୋଇପାରି ନାହାନ୍ତି। ୩ ଓ ୪ ନମ୍ବରରେ ବିଜେଡି ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ ପରାସ୍ତ କରିଛନ୍ତି। ୨୪ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ହରପ୍ରିୟା ସାହୁଙ୍କ ସ୍ବାମୀ ପ୍ରତାପ ସାହୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ୩୫ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍‌ଙ୍କ ପତ୍ନୀ ସୁମିତା ସିଟ୍‌ ସ୍ବାଧୀନ ଭାବେ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇଛନ୍ତି। ୩୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନବକିଶୋର ବେହେରା ତାଙ୍କ ପତ୍ନୀ ରଞ୍ଜିତା ବେହେରାଙ୍କୁ ପ୍ରାର୍ଥୀ କରାଇଥିଲେ। ମାତ୍ର ସେ ବି ପରାସ୍ତ ହୋଇଛନ୍ତି।
୫୦ ନମ୍ବର ୱାର୍ଡରେ ସୁଜିତ୍‌ କୁମାର ସ୍ବାଇଁ ଗତଥର କର୍ପୋରେଟର ହୋଇଥିଲେ। ଏଥର ବି ବିଜେଡି ‌ଟିକେଟ୍‌ ହାତେଇ ପ୍ରାର୍ଥୀ ହୋଇଥିଲେ। ତେବେ ଭୋଟର ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରି ନାହାନ୍ତି। ଯେଉଁଥିପାଇଁ ସେ ମାତ୍ର ୭୦ ଭୋଟରେ ରାମଚନ୍ଦ୍ର ରଣସିଂହଙ୍କଠାରୁ ପରାସ୍ତ ହୋଇଛନ୍ତି। ୫୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ବନ୍ଦନା ସାହୁ ଏଥର ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଭୋଟରଙ୍କ ମନ ଜିଣିପାରି ନାହାନ୍ତି। ୫୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପୁଷ୍ପା ଦାଶଙ୍କୁ ସ୍ବାଧୀନ ପ୍ରାର୍ଥୀ ନମିତା ମହାପାତ୍ର ପରାସ୍ତ କରିଛନ୍ତି। ୬୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦଙ୍କ ପତ୍ନୀ ମିଲନ ଦେବୀ ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe